ଲକ୍ଡାଉନ୍ରେ ନିଅନ୍ତୁ ମୋଦୀ ସରକାରଙ୍କ ଏହି ୩ ସ୍କିମ, ଜୀବନ ସାରା ରହିବ ନାହିଁ ଚିନ୍ତା
10/04/2020 at 4:32 PM

ନୂଆଦିଲ୍ଲୀ୦୯।୦୪: ଲକଡାଉନ କାରଣରୁ ସ୍ଵାଭାବିଜ ଜୀବନଯାତ୍ରା ଠପ୍ ହୋଇ ପଡିଛି। ଏହି ସମୟରେ ଆପଣ ଘରେ ରହି ସୁରକ୍ଷିତ ଭବିଷ୍ୟତ ବିଷୟରେ ଚିନ୍ତା କରି ପାରିବେ। ଏଥିପାଇଁ ଆଜି ଆମେ ଆପଣଙ୍କୁ ୩ ଯୋଜନା ବିଷୟରେ କହିବାକୁ ଯାଉଛୁ। ମୋଦୀ ସରକାରଙ୍କ ଏହି ଯୋଜନାରେ ଆପଣ ନିବେଶ କରି ଆଜୀବନ ଚିନ୍ତା ମୁକ୍ତ ହୋଇ ପାରିବେ।
ଅଟଳ ପେନସନ ଯୋଜନା
ସୁରକ୍ଷିତ ଭବିଷ୍ୟତ ପାଇଁ ଆପଣ ମୋଦୀ ସରକାରଙ୍କ ଅଟଳ ପେନସନ ଯୋଜନାର ଅଂଶ ହୋଇ ପାରିବେ। ଏହି ସ୍କିମରେ ଏବେଠୁ ଅଳ୍ପ ନିବେଶ କରି ଆପଣ ବାର୍ଦ୍ଧକ୍ୟ ସମୟରେ ଏକ ସୁନିଶ୍ଚିତ ପେନସନର ବ୍ୟବସ୍ଥା କରି ପାରିବେ। ନିବେଶ ପାଇଁ ୧୮ ବର୍ଷ ବୟସ ହୋଇଥିବା ଜରୁରୀ ଅଟେ।

୧୮ ବର୍ଷ ବୟସରେ ନିବେଶ କରିବାର ପ୍ରାରମ୍ଭିକ ସ୍କିମ ହେଉଛି ୪୨ ଟଙ୍କା। ଏହି ଯୋଜନାର ଫାଇଦା ଏହା ଯେ ୬୦ ବର୍ଷ ହେବା ପରେ ଆପଣଙ୍କୁ ଆଜୀବନ ଏକ ନିଶ୍ଚିତ ରାଶି ପେନସନ ଭାବେ ମିଳିବ। ଯଦି ଆପଣଙ୍କର ମୃତ୍ୟୁ ଘଟେ ତେବେ ଆପଣଙ୍କ ସହଯୋଗୀକୁ ଆଜୀବନ ପେନସନ ମିଳିବ।
ସହଯୋଗୀଙ୍କ ମୃତ୍ୟୁ ପରେ ଜମା ରାଶି ଆପଣଙ୍କ ନୋମିନୀଙ୍କୁ ଫେରାଇ ଦିଆଯିବ। ସରଳ ଭାଷାରେ କହିବାକୁ ଗଲେ ଆପଣଙ୍କ ନିବେଶର ପଇସା ବୁଡିବ ନାହିଁ। ଆପଣଙ୍କୁ ୬୦ ବର୍ଷ ବୟସ ହେବା ପରେ ପେନସନ ରାଶି ମିଳିବା ଆରମ୍ଭ ହୋଇଯିବ।
ଅଟଳ ପେନସନ ସ୍କିମ ଆଧାରରେ ଆପଣଙ୍କୁ ୧୦୦୦ ଟଙ୍କାରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ପେନସନ ମିଳିବ। ଅଧିକ ଜାଣିବା ପାଇଁ ସମ୍ବନ୍ଧିତ ଓ୍ଵେବସାଇଟ୍ ଭିଜିଟ୍ କରନ୍ତୁ।
ଜୀବନ ଜ୍ୟୋତି ବୀମା ଯୋଜନା
୨୦୧୫ ମେରେ ଆରମ୍ଭ ହୋଇଥିବା ଜୀବନ ଜ୍ୟୋତି ବୀମା ଯୋଜନା ସରକାରଙ୍କ ଏକ ଟର୍ମ ଇନସ୍ୟୁରାନ୍ସ ପ୍ଲାନ। ଏହି ଯୋଜନାର ଅର୍ଥ ପଲିସିଧାରୀଙ୍କ ମୃତ୍ୟୁରେ ବୀମା କମ୍ପାନୀ ଇନସ୍ୟୁରାନ୍ସର ଅର୍ଥ ଦେଇଥାନ୍ତି।

ଯଦି ପଲିସିଧାରୀ ଜୀବନ ଜ୍ୟୋତି ବୀମା ଯୋଜନାର ସମୟ ପୂରା ହେବା ପରେ ମଧ୍ୟ ଠିକ୍ ଠାକ୍ ଥାନ୍ତି ତେବେ ତାଙ୍କୁ କୌଣସି ଲାଭ ମିଳିବ ନାହିଁ। ଏହି ଯୋଜନା ୧୮ ରୁ ୫୦ ବର୍ଷ ବୟସର କୌଣସି ବି ନାଗରିକ ନେଇ ପାରିବେ। ଏହି ପଲିସିର ମେଚ୍ୟୁରିଟିର ବୟସ ୫୫ ବର୍ଷ। ଏହାକୁ ପ୍ରତ୍ୟେକ ବର୍ଷରେ ରିନ୍ୟୁ କରିବାକୁ ପଡିଥାଏ।

ସୁରକ୍ଷା ବୀମା ଯୋଜନା
ସୁରକ୍ଷା ବୀମା ଯୋଜନାରେ ବାର୍ଷିକ ୧୨ ଟଙ୍କା କଟିଥାଏ। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ଲାଭ ତାଙ୍କୁ ହିଁ ମିଳିବ ଯାହାଙ୍କ ବୟସ ୧୮ ରୁ ୭୦ ବର୍ଷ ମଧ୍ୟରେ ହୋଇଥିବ। ବୀମା କରିଥିବା ଗ୍ରାହକଙ୍କୁ ଦୁର୍ଘଟଣାଜନିତ ମୃତ୍ୟୁ ହେଲେ କିମ୍ବା ବିକଳାଙ୍ଗ ହେବା ସ୍ଥିତିରେ ୨ ଲକ୍ଷ ଟଙ୍କା ସେମାନଙ୍କର ପରିଜନଙ୍କୁ ଦିଆଯାଏ।