ଅମ୍ପାନରେ ବେହାଲ କୋଲକାତା: ବିଜୁଳି-ପାଣି ଦାବି ନେଇ ସଡକକୁ ଓହ୍ଲାଇଲେ ଲୋକ, ମମତା କହିଲେ- ମୋ ମୁଣ୍ଡ କାଟି ଦିଅନ୍ତୁ

Published By : Prameya-News7 Bureau | May 24, 2020 IST

କୋଲକାତା ୨୪।୦୫: ସାମୁଦ୍ରିକ ଝଡ ବାତ୍ୟା ଅମ୍ଫାନ କାରଣରୁ ପଶ୍ଚିମବଙ୍ଗରେ ନାହିଁ ନଥିବା କ୍ଷତି ଘଟିଛି। ଅନେକ ଅଞ୍ଚଳରେ ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇ ପଡିଛି। ଚାରି ଦିନ ପରେ ମଧ୍ୟ ସ୍ଥିତି ସ୍ଵାଭାବିକ ହୋଇ ନାହିଁ। ବିଜୁଳି-ପାଣି ପରି ଜରୁରୀ ସେବା ନମିଳିବା କାରଣରୁ ଅନେକ ଜାଗାରେ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇ ଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକଙ୍କୁ ଧୈର୍ଯ୍ୟ ରଖିବାକୁ ଅପିଲ୍ କରିଛନ୍ତି। ସେ କହିଛନ୍ତି ପ୍ରଶାସନ ବିଜୁଳି ଓ ପାଣି ଯୋଗାଇ ଦେବାକୁ ଯଥା ସମ୍ଭବ ଉଦ୍ୟମ ଚଳାଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ଯଦି ପାରୁଛ ମୋ ମୁଣ୍ଡ କାଟି ନିଅନ୍ତୁ।

ମମତା ବାନାର୍ଜୀ ଶନିବାର ସନ୍ଧ୍ୟାରେ କହିଛନ୍ତି, ଏହା ବଡ ବିପର୍ଯ୍ୟୟ। ଆମର ଟିମ୍ ଗମ୍ଭୀରତା ସହ କାମ କରୁଛନ୍ତି। ରାଜ୍ୟରେ ଅତି କମ୍‌ରେ ଏକ ହଜାର ଟିମ୍ କାମ କରୁଛନ୍ତି। ସେମାନଙ୍କ ସହିତ ସ୍ଥାନୀୟ ଯୁବ ବର୍ଗ ମଧ୍ୟ କାମ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଚିବାଳୟରେ କହିଛନ୍ତି, ଲକ୍‌ଡାଉନ୍ ଲାଗୁ କରିବା ଓ ଆଇନ୍‌ ଶୃଙ୍ଖଳା ବ୍ୟତୀତ ପୋଲିସ୍ ପୁନରୁଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଅମ୍ଫାନ କାରଣରୁ ରାଜ୍ୟରେ ୮୬ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ୧୪ଟି ଜିଲ୍ଲାରେ ବାତ୍ୟା ବ୍ୟାପକ କ୍ଷତି ଘଟିଛି। ସବୁଠୁ ଅଧିକ କ୍ଷୟକ୍ଷତି ଦକ୍ଷିଣ ୨୪ ପ୍ରଗଣା, କୋଲକାତା, ଉତ୍ତର ୨୪ ପ୍ରଗଣା ଓ ପୂର୍ବ ମେଦିନିପୁର ଜିଲ୍ଲାରେ ଘଟିଛି।

ଦକ୍ଷିଣ କୋଲକାତାର ଅନେକ ଅଞ୍ଚଳରେ ଆଜି ଯାଏ ବିଜୁଳି ସଂଯୋଗ ହୋଇ ନାହିଁ। ସହରର ଅନେକ ଭାଗରେ ବିରୋଧ ପ୍ରଦର୍ଶନ  ଜାରି ରହିଛି। ଦକ୍ଷିଣ କୋଲକାତାର ବେହାଲରୁ ଉତ୍ତର କୋଲକାତାର ବେଲଘୋରିଆ ପର୍ଯ୍ୟନ୍ତ ଲୋକଙ୍କ ମଧ୍ୟରେ ଆକ୍ରୋଶର ମାହୋଲ ରହିଛି। ଶନିବାର କ୍ରମାଗତ ଦ୍ଵିତୀୟ ଦିନରେ ଲୋକ ସଡକକୁ ଓହ୍ଲାଇ ଟିଏମସି ସରକାର ବିରୋଧରେ ନାରାବାଜି କରିଛନ୍ତି। ପ୍ରଦର୍ଶନକାରୀଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିଲେ। ସେମାନେ କହିଛନ୍ତି, ପାଣି ଓ ବିଜୁଳି ବିନା ସେମାନଙ୍କୁ ବହୁତ ଅସୁବିଧା ହେଉଛି। କିଛି ଜାଗାରେ ପୋଲିସ୍ ଓ ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.