ବିଧାନସଭାରେ ବଜେଟ୍‌ ଉପସ୍ଥାପନ କଲେ ଯୋଗୀ ସରକାର, ଜାଣନ୍ତୁ କେତେ ଟଙ୍କାର ହେଲା ବ୍ୟୟ ବରାଦ

Published By : Prameya-News7 Bureau | February 22, 2021 IST

ଲକ୍ଷ୍ନୌ, ୨୨/୦୨: ଉତ୍ତରପ୍ରଦେଶର ଯୋଗୀ ସରକାର ସୋମବାର ବିଧାନ ମଣ୍ଡଳରେ ରାଜ୍ୟର ଆଗାମୀ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ କରିଛନ୍ତି । ରାଜ୍ୟ ପାଇଁ ସମୁଦାୟ ୫ ଲକ୍ଷ ୨୭୦ କୋଟି ୭୮ ଲକ୍ଷ ଟଙ୍କାର ଅଟକଳ ବ୍ୟୟ ବରାଦ କରାଯାଇଛି । ଏହି ବଜେଟ୍‌କୁ ଆଗାମୀ ବର୍ଷ ହେବାକୁ ଥିବା ବିଧାନ ସଭା ନିର୍ବାଚନ ସହିତ ଯୋଡ଼ା ଯାଉଥିବା ଦେଖାଯାଇଛି । ବଜେଟ୍‌ରେ ମହିଳା, ଗାଁ, ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ ଏବଂ ମେଡିକାଲ୍‌ କଲେଜ୍‌ ପାଇଁ ଅଧିକ ରାଶିର ବ୍ୟବସ୍ଥା କରାଯାଇଛି ।

ଏହି ବଜେଟ୍‌ରେ ମହିଳାଙ୍କ ପାଇଁ କନ୍ୟା ସୁମଙ୍ଗଳ ଯୋଜନାରେ ୧୨୦୦ କୋଟି ଏବଂ ମହିଳା ଶକ୍ତି କେନ୍ଦ୍ର ପାଇଁ ୩୨ କୋଟି ଟଙ୍କା ଖର୍ଚ୍ଚ କରାଯିବା ନେଇ ଆବଣ୍ଟନ କରାଯାଇଛି ।

ଅର୍ଥମନ୍ତ୍ରୀ ସୁରେଶ୍‌ ଖାନ୍ନା ଏନେଇ କହିଛନ୍ତି ଯେ, ୨୦୨୧-୨୦୨୨ ବର୍ଷର ଆର୍ଥିକ ବଜେଟ୍‌ ଯୁବକ ଏବଂ ରୋଜଗାରୀଙ୍କ ପାଇଁ ସମର୍ପିତ ହୋଇଛି । ପ୍ରଦେଶର ପ୍ରତ୍ୟେକ ମହିଳାଙ୍କୁ ଏହା ସୁରକ୍ଷା ଦେଇପାରିବ । ଅପରାଧୀଙ୍କ ଉପରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ବଜେଟ୍‌ରେ ୟୁପିକୁ ଆତ୍ମନିର୍ଭର କରିବା ପାଇଁ ପ୍ରାବଧାନ ହୋଇଥିବା ସେ କହିଛନ୍ତି ।

କହିରଖୁଛୁ କି ୟୁପି ସରକାରଙ୍କ ଏହା ପ୍ରଥମଥର ଉପସ୍ଥାପିତ ହେଉଥିବା ପେପର୍‌ଲେସ୍‌ ବଜେଟ୍‌ । ଏହା ବଜେଟ୍‌ ଆପ୍‌ରେ ମଧ୍ୟ ଉପଲବ୍ଧ ହୋଇଛି । ସରକାର ଏଥିପାଇଁ ଉପ୍ର ସରକାରଙ୍କର ବଜେଟ୍‌ ଆପ୍‌ ପ୍ରସ୍ତୁତ କରିଛନ୍ତି । ଏହି ଆପ୍‌ ଗୁଗୁଲ୍‌ ପ୍ଲେ ଷ୍ଟୋର୍‌ରୁ ଡାଉନ୍‌ଲେଡ୍‌ କରାଯାଇ ପାରିବ । ତେବେ ଯୋଗୀ ସରକାରଙ୍କର ଏହା ପଞ୍ଚମ ତଥା ଶେଷ ବଜେଟ୍‌ ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.