ସହିଦଙ୍କ ପରିବାରକୁ ଏବେ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବେ ଯୋଗୀ ସରକାର

Published By : Prameya-News7 Bureau | June 16, 2020 IST

ଲକ୍ଷ୍ନୌ ୧୬।୦୬: ଉତ୍ତର ପ୍ରଦେଶ ସରକାର ସେନାର ଯବାନଙ୍କ ଲାଗି ଏକ ବଡ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି କ୍ରମେ ଏବେ ୟୁପିର କୌଣସି ଯବାନ ସହିଦ ହେଲେ ସେମାନଙ୍କ ପରିଜନଙ୍କୁ ଯୋଗୀ ସରକାର ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ। ଏହି ନିଷ୍ପତ୍ତି ସମୟରେ କ୍ୟାବିନେଟ୍‌ର ମାହୋଲ ଭାବନାତ୍ମକ ହୋଇ ପଡିଥିଲା। ସମସ୍ତେ ଟେବୁଲ୍‌ ବଜାଇ ଯୋଗୀ ଆଦିତ୍ୟନାଥଙ୍କ ଏହି ନିଷ୍ପତ୍ତିକୁ ସ୍ଵାଗତ କରିଥିଲେ।

ଯୋଗୀ ସରକାର ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ୍  ବୈଠକରେ ୟୁପିର କୌଣସି ଯବାନ ସହିଦ ହେଲେ ରାଜ୍ୟ ସରକାର ପରିଜନଙ୍କୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି ପ୍ରସ୍ତାବ ରଖାଯାଇଥିଲା। ଯୋଗୀଙ୍କ ଏହି ପ୍ରସ୍ତାବକୁ କ୍ୟାବିନେଟ୍‌ରେ ସର୍ବସମ୍ମତି କ୍ରମେ ମଞ୍ଜୁରୀ ମିଳିଛି।

ଯୋଗୀ ଏହି ପ୍ରସ୍ତାବ ରଖିବା ସମୟରେ କହିଛନ୍ତି, ସହିଦ ଯବାନଙ୍କ ପରିବାର ଲାଗି ଯାହା କିଛି ବି କଲେ ସେ ସବୁ କମ ପଡିବ। ନିଆଯାଇଥିବା ଏହି ନିଷ୍ପତ୍ତି ବହୁତ ଛୋଟ, ମାତ୍ର ଆମେ ସେମାନଙ୍କ ପାଇଁ କିଛି କଲେ ଆମକୁ ସନ୍ତୁଷ୍ଟି ମିଳିବ। ଯୋଗୀଙ୍କ ଏହି କଥାରେ ସମସ୍ତେ ଭାବ ବିହ୍ଵଳ ହୋଇ ପଡିଥିବା ଦେଖିବାକୁ ମିଳିଥିଲା।

ଯୋଗୀ କହିଛନ୍ତି, ଉତ୍ତର ପ୍ରଦେଶର ମୂଳ ନିବାସୀ ଯାହାଙ୍କ ପରିବାର ୟୁପିରେ ରହିଛି ଏମିତି ସହିଦଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ପୂର୍ବେ ଏହି ଆର୍ଥିକ ସହାୟତା ୨୫ ଲକ୍ଷ ଟଙ୍କା ଥିଲା, ଯାହା ପରିଜନଙ୍କ ଲାଗି କମ୍  ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.