ଯୋଗୀଙ୍କ ବଡ ପଦକ୍ଷେପ: ୟୁପିରେ ୫୦ ବର୍ଷରୁ ଅଧିକ ବୟସର ପୋଲିସ କର୍ମଚାରୀଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର

Published By : Prameya-News7 Bureau | September 12, 2020 IST

ଲକ୍ଷ୍ନୌ ୧୨।୦୯: ଉତ୍ତର ପ୍ରଦେଶର ଯୋଗୀ ସରକାର ଭ୍ରଷ୍ଟ ପୋଲିସବାଲାଙ୍କୁ ବାଧ୍ୟତାମୂଳକ ଅବସର କରାଇବା ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ଡିଜିପି ମୁଖ୍ୟାଳୟ ପୋଲିସର ସମସ୍ତ ସଂଗଠନର ପ୍ରମୁଖ, ସମସ୍ତ ଆଇଜି ରେଞ୍ଜ ଓ ଏଡିଜି ଜୋନକୁ ଏମିତି ଭ୍ରଷ୍ଟ କର୍ମଚାରୀ ଓ ଅଧିକାରୀଙ୍କ ତାଲିକା ଦେବାକୁ ଚିଠି ଲେଖିଛି। ଚିଠିରେ ୨୦୨୦ ମାର୍ଚ୍ଚ ୩୧ରେ ୫୦ ବର୍ଷ ବୟସ ପୂରା ହେଉଥିବା ପୋଲିସ କର୍ମଚାରୀଙ୍କ ସ୍କ୍ରିନିଂ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ କନଷ୍ଟେବଲଙ୍କଠୁ ନେଇ ଇନ୍ସପେକ୍ଟର ରାଙ୍କ ପର୍ଯ୍ୟନ୍ତ ପୋଲିସ କର୍ମଚାରୀଙ୍କ ବାଧ୍ୟତାମୂଳକ ଅବସର ଦେବା ପାଇଁ ସ୍କ୍ରିନିଂ କରାଯିବ। ଯୋଗୀ ସରକାରଙ୍କ ଏହି ବଡ କାର୍ଯ୍ୟାନୁଷ୍ଠାନ ପରେ ୟୁପି ପୋଲିସରେ ଭ୍ରଷ୍ଟ ପୋଲିସ କର୍ମଚାରୀଙ୍କ ପଦ ଯିବା ନିଶ୍ଚିତ। ଏହି ସବୁ ପୋଲିସ କର୍ମଚାରୀଙ୍କୁ ଛଟେଇ କରାଯିବ ଯାହାଙ୍କ ବୟସ ୨୦୨୦ ମାର୍ଚ୍ଚ ୩୧ରେ ୫୦ ବର୍ଷ ବୟସ ପୂରା ହୋଇଥିବ।

ଉଲ୍ଲେଖଯୋଗ୍ୟ କିଛି ସମୟ ପୂର୍ବରୁ ଖବର ଆସିଥିଲା ଉତ୍ତର ପ୍ରଦେଶ ସରକାର ୫୦ ବର୍ଷରୁ ଅଧିକ ବୟସର କର୍ମଚାରୀଙ୍କ କାର୍ଯ୍ୟର ସମୀକ୍ଷା କରିବାକୁ ଯାଉଛନ୍ତି। ଆଶାନୁରୂପ କାର୍ଯ୍ୟ କରୁନଥିବା କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ। ମୁଖ୍ୟ ସଚିବ ଆରକେ ତିଓ୍ଵାରୀଙ୍କ ପକ୍ଷରୁ ଜାରି ଆଦେଶ ଅନୁଯାୟୀ ସମସ୍ତ ବିଭାଗଙ୍କ ଉପ ସଚିବ ଏବଂ ସଚିବଙ୍କୁ ୫୦ ବର୍ଷ ବୟସ ଅତିକ୍ରମ କରି ସାରିଥିବା କର୍ମଚାରୀଙ୍କ କାର୍ଯ୍ୟ ସମୀକ୍ଷା କରିବାକୁ କୁହାଯାଇଛି। ଏମିତି କର୍ମଚାରୀଙ୍କ ତାଲିକା ୨୦୨୦ ଜୁଲାଇ ୩୧ ପର୍ଯ୍ୟନ୍ତ ପ୍ରସ୍ତୁତ କରିବାକୁ କୁହାଯାଇଥିଲା।

ସୂଚନା ଅନୁଯାୟୀ ଏମିତି ୩୦ ଅଫିସରଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ବର୍ତ୍ତମାନ ବାଧ୍ୟତାମୂଳକ ଅବସର ଦିଆଯିବ। ଏଥିରୁ ୧୭ ଇନ୍ସପେକ୍ଟର, ୮ ସବ ଇନ୍ସପେକ୍ଟର, ତିନି ଜଣ ସଚିବ ଓ ଦୁଇ ଜଣ ଉପ ସଚିବ ସାମିଲ। ଏମାନଙ୍କ ବିରୋଧରେ ପୂର୍ବରୁ  ହୋଇଥିବା ତଦନ୍ତ, କାର୍ଯ୍ୟାନୁଷ୍ଠାନ ଓ ସେମାନଙ୍କ ବିରୋଧରେ ରୁଜୁ ଅପରାଧିକ ମାମଲାର ତଥ୍ୟ ସଂଗ୍ରହ କରାଯାଉଛି। ଯଦ୍ଵାରା ଏମାନଙ୍କୁ ଚାକିରିରୁ ହଟାଇବାର ପର୍ଯ୍ୟାପ୍ତ ପ୍ରମାଣ ମହଜୁଦ ରହିବ। ଏହା ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ୧୫ ବରିଷ୍ଠ ଆଇଟି ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର କରାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.