ଯୋଗୀ ସରକାରଙ୍କ ବଡ଼ ଘୋଷଣା: କରୋନା କାଳରେ ଦାୟର ୩ ଲକ୍ଷ ମାମଲା ହେବ ପ୍ରତ୍ୟାହାର, ୯୦ ହଜାର ଚାଷୀଙ୍କୁ କ୍ଷତିପୂରଣ

Published By : Prameya-News7 Bureau | October 26, 2021 IST

ଲକ୍ଷ୍ନୌ ୨୬/୧୦: ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ ଘୋଷଣା କରିଛନ୍ତି । କରୋନା କାଳରେ ସାଧାରଣ ଲୋକଙ୍କ ଉପରେ ରୁଜୁ ହୋଇଥିବା ୩ ଲକ୍ଷରୁ ଅଧିକ ମାମଲା ସରକାର ପ୍ରତ୍ୟାହାର କରିନେବେ । ଅନ୍ୟପଟେ ଅଦିନିଆ ବର୍ଷା ଏବଂ ବନ୍ୟା ପାଇଁ କ୍ଷତି ସହିଥିବା ଚାଷୀଙ୍କ ପାଇଁ ସରକାର ୩୦.୫୪ କୋଟି ଟଙ୍କା ଘୋଷଣା କରିଛନ୍ତି ।

୩୫ରୁ ଅଧିକ ଜିଲ୍ଲାର ୯୦ ହଜାରରୁ ଅଧିକ କୃଷକଙ୍କୁ ଏହି ସହାୟତା ରାଶି ମିଳିବ। କରୋନା କାଳରେ ସାଧାରଣ ଲୋକଙ୍କ ଉପରେ ଯେଉଁ ସବୁ ଅପରାଧିକ ମାମଲା ରୁଜୁ ହୋଇଥିଲା ସେସବୁକୁ ସରକାର ପ୍ରତ୍ୟାହାର କରିନେବେ। ଏନେଇ ମଙ୍ଗଳବାର ମଧ୍ୟ ବିଜ୍ଞପ୍ତି ଜାରି ହୋଇଛି। କିନ୍ତୁ ଏଥିରୁ ପୂର୍ବତନ ଏବଂ ବର୍ତ୍ତମାନର ରାଜନେତାଙ୍କୁ ବାଦ ଦିଆଯାଇଛି।

ତେବେ କେବଳ ୩ ମାସରେ ୩ ଲକ୍ଷରୁ ଅଧିକ ମାମଲା ପ୍ରତ୍ୟାହାର କରି ଇହ୍ଲାବାଦ ହାଇକୋର୍ଟରେ ରିପୋର୍ଟ ଦାଖଲ କରିବେ ସରକାର। କୋଭିଡ-୧୯ ନିୟମ ଭାଙ୍ଗିବା ପାଇଁ ହୋଇଥିବା ମକଦ୍ଦମା ରଦ୍ଦ  କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲା। ଏହା ବ୍ୟତୀତ ରାଜ୍ୟର ୯୦୯୫୦ କୃଷକଙ୍କୁ କ୍ଷତିପୂରଣ ଦେବେ ଯୋଗୀ ସରକାର । ଏଥିପାଇ ସରକାରଙ୍କ ପକ୍ଷରୁ ୩୦ କୋଟି ୫୪ ଲକ୍ଷ ୧୬,୨୦୩ ଟଙ୍କା ଜାରି କରାଯାଇଥିବା ଜଣାପଡ଼ିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.