ଯୋଗୀ କ୍ୟାବିନେଟ୍‌ଙ୍କ ବଡ ନିଷ୍ପତ୍ତି, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ନାମରେ ହେବ ଅଯୋଧ୍ୟା ବିମାନ ବନ୍ଦର

Published By : Prameya-News7 Bureau | November 24, 2020 IST

ଅଯୋଧ୍ୟା ୨୪।୧୧: ଅଯୋଧ୍ୟାରେ ନିର୍ମିତ ବିମାନ ବନ୍ଦରର ନାମ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଏୟାରପୋର୍ଟ ନାମରେ ନାମିତ ହେବ। ବିମାନ ବନ୍ଦରକୁ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ମାନ୍ୟତା ଦିଆଯିବ। ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍ ମଙ୍ଗଳବାର ଅଯୋଧ୍ୟା ବିମାନ ବନ୍ଦରର ନାମକରଣ କରିବା ଓ ଏହାକୁ ଅନ୍ତରାଷ୍ଟ୍ରୀୟ ମାନ୍ୟତା ଦେବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଇବାକୁ ମଞ୍ଜୁରୀ ଦେଇଛି।

ରାଜ୍ୟ ସରକାରଙ୍କ ମୁଖପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୧୮ ନଭେମ୍ଵର ୬ରେ ଅଯୋଧ୍ୟାରେ ବିମାନ ବନ୍ଦର ନିର୍ମାଣ ଘୋଷଣା କରିଥିଲେ। ଏହି ବିମାନ ବନ୍ଦରକୁ ଅନ୍ତରାଷ୍ଟ୍ରୀୟସ୍ତରୀୟ କରିବା ଲାଗି ପ୍ରସ୍ତୁତି ଜାରି ରହିଛି। ବିମାନ ବନ୍ଦରରେ ପ୍ରଥମ ପର୍ଯ୍ୟାୟରେ ଏ-୩୨୧ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ବି-୭୭୭ ପରି ବିମାନ ସଞ୍ଚାଳନ ପାଇଁ ରନଓ୍ଵେର ବିସ୍ତାର କରାଯିବ। ଏଥିପାଇଁ ଭାରତୀୟ ବିମାନ ଚଳାଚଳ ପ୍ରାଧିକରଣକୁ ୬୦୦ ଏକର ଜମି ଉପଲବ୍ଧ କରାଯିବ।

ସୂଚନାଯୋଗ୍ୟ, ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ସାରିଛି। ଏଥିସହ ଅଯୋଧ୍ୟାକୁ ଅତ୍ୟାଧୁନିକ ଯୋଗାଯୋଗ ସହ ସଂଯୋଗ କରିବା ସହିତ ନୂତନ ରୂପ ଦେବାକୁ ଯୋଗୀ ସରକାର ଅଣ୍ଟା ଭିଡିଛନ୍ତି।

ଗୋଟିଏ ପଟେ ଭଗବାନ ରାମଙ୍କ ଭବ୍ୟ ରାମମନ୍ଦିର ନିର୍ମାଣ ଜାରି ରହିବା ସହିତ ଅନ୍ୟପଟେ ଅଯୋଧ୍ୟାକୁ ମଧ୍ୟ ବିଶ୍ଵସ୍ତରୀୟ ଆଧୁନିକ ସୁବିଧାରେ ସୁସଜ୍ଜିତ କରାଯିବ। ଅଯୋଧ୍ୟାକୁ ରେଳ, ସଡକ ଓ ବାୟୁ ସବୁ ପ୍ରକାରର ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା  ସହ ଯୋଡାଯିବ। ଏହାର ପୂରା ବନ୍ଦୋବସ୍ତ କରାଯିବ ଯେମିତି କେହି ବି ଅଯୋଧ୍ୟା ଆଗମନ କଲେ ତାଙ୍କୁ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ଯେମିତି ନପଡେ।

ସୂତ୍ର ଅନୁଯାୟୀ ସରକାର ଚାହାନ୍ତି ଆଗାମୀ ୫ ବର୍ଷରେ ଦୁନିଆକୁ ଅଯୋଧ୍ୟାର ଏମିତି ରୂପ ଦେଖିବାକୁ ମିଳିବ ଯାହାକୁ ଦେଖିବା ପରେ ଏହାକୁ ‘ମୋଷ୍ଟ ଫେବରେଟ୍ ଟୁରିଷ୍ଟ ଡେଷ୍ଟିନେସନ’ର ଆଖ୍ୟା ଦେବେ। ବିମାନ ବନ୍ଦର, ଟ୍ରେନ, ଭିତ୍ତିଭୂମି, ବିଜୁଳି ପରି ସବୁ ଦିଗରେ ସରକାର ଅଯୋଧ୍ୟା ଓ ଏହାର ଆଖପାଖ ଅଞ୍ଚଳକୁ ଚମକାଇବା ପାଇଁ ଅଣ୍ଟା ଭିଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.