ଯୋଗୀଙ୍କୁ ଆନ୍ଦୋଳନ ଅଡୁଆ : ତୁରନ୍ତ ସବୁ ଧାରଣାସ୍ଥଳ ଓ ଧାରଣାକାରୀଙ୍କୁ ହଟାଇବାକୁ ଦେଲେ ନିର୍ଦ୍ଦେଶ
28/01/2021 at 6:10 PM

ଲକ୍ଷ୍ନୌ ୨୮/୦୧ : ଦିଲ୍ଲୀରେ କୃଷକମାନଙ୍କ ବ୍ୟାପକ ହିଂସାକାଣ୍ଡ ପରେ ପରିସ୍ଥିତି ଅସମ୍ଭାଳ ହୋଇପଡିଥିଲା । ପୋଲିସ ଏବଂ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି ବେଳେ ଅନେକ ଆହତ ମଧ୍ୟ ହୋଇଥିଲେ । ଏପରିକି ଲାଲ କିଲ୍ଲା ମଧ୍ୟ ଚାଷୀଙ୍କ କବଜାକୁ ଚାଲିଯାଇଥିଲା । ଦିଲ୍ଲୀ ରାଜରାସ୍ତାରେ ଚାଷୀଙ୍କ ଟ୍ରାକ୍ଟର ରାଲି ଯେପରି ରଣକ୍ଷେତ୍ରରେ ପରିଣତ ହୋଇଥିଲା । ଚାଷୀଙ୍କୁ ଆୟତ କରିବା ପାଇଁ ନାକେଦମ ହୋଇଥିଲା ପୋଲିସ ।
ତେବେ ବର୍ତ୍ତମାନ ଉତ୍ତର ପ୍ରଦେଶରେ ମଧ୍ୟ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହାକୁ ନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୁରନ୍ତ ସବୁ ଧାରଣାସ୍ଥଳ ଓ ଧାରଣାକାରୀଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ଧାରଣାସ୍ଥଳ ଖାଲି କରିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ପୋଲିସ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ସୂଚନା ଅନୁସାରେ ଉତ୍ତର ପ୍ରଦେଶର କେତେକ ସ୍ଥାନରେ ଗତ ୨ ମାସ ହେଲା କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ତେବେ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା ହିଂସା ପରେ ସଜା ହୋଇଉଠିଛି ୟୁପି ପ୍ରଶାସନ । ଟ୍ରାକ୍ଟର ପରେଡ୍ରେ ହୋଇଥିବା ହିଂସା ପରେ ଅନେକ ଚାଷୀ ନେତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଧାରଣାସ୍ଥଳ ଖାଲି କରିବା ପାଇଁ ନିର୍ଦେଶ ଦେବା ପରେ ସକ୍ରିୟ ହୋଇଉଠିଛି ପ୍ରଶାସନ । ଗାଜିଆବାଦ ଜିଲ୍ଲାପାଳ, ଚାଷିମାନଙ୍କୁ ତୁରନ୍ତ ଧାରଣାସ୍ଥଳ ଖାଲି କରିବା ପାଇଁ ଆଦେଶ ଦେଇଛନ୍ତି । ତେବେ ଗୁରୁବାର ରାତି ସୁଦ୍ଧା ଧାରଣାସ୍ଥଳ ଖାଲି କରିବା ପାଇଁ ଚାଷୀଙ୍କୁ କୁହାଯାଇଛି । ଧାରଣାସ୍ଥଳଗୁଡିକୁ ଖାଲି କରିବା ପାଇଁ ଜିଲ୍ଲା ପ୍ରଶାସନଗୁଡିକ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ତେବେ ଆଗକୁ ଏହା କେଉଁ ରୂପ ନେଉଛି ତାହା ଦେଖିବା ବାକି ରହିଲା ।