ନୂତନ ଜନସଂଖ୍ୟା ନୀତି ଜାରି କରିବେ ଯୋଗୀ ସରକାର ! ୨ରୁ ଅଧିକ ସନ୍ତାନ ହେଲେ ମିଳିବ ନାହିଁ ସରକାରୀ ସୁବିଧା
6/03/2020 at 10:00 PM

ଲକ୍ଷ୍ନୌ ୦୬।୦୩- ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ନୂତନ ଜନସଂଖ୍ୟା ନୀତି ପ୍ରସ୍ତୁତ କରିବା ଉପରେ ବିଚାର କରୁଛନ୍ତି। ଏହି ଆଧାରରେ ଦୁଇରୁ ଅଧିକ ସନ୍ତାନ ଥିବା ଲୋକଙ୍କୁ ସରକାରୀ ଯୋଜନାର ଲାଭ ମିଳିବ ନାହିଁ। ୟୁପିର ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜୟ ପ୍ରତାପ ସିଂହ କହିଛନ୍ତି ଯେ, ରାଜ୍ୟର ଜନସଂଖ୍ୟା ୨୦ କୋଟି ଅତିକ୍ରମ କରି ସାରିଛି, ଯାହା ଘୋର ଚିନ୍ତାର ବିଷୟ।
ସେ କହିଛନ୍ତି ଯେ, ଗତ ବିଧାନସଭା ଅଧିବେଶନ ସମୟରେ କିଛି ବିଧାୟକ ଏହି ପ୍ରସଙ୍ଗ ଉଠାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ୨୦୧୯ରେ ସ୍ଵାଧୀନତା ଦିବସ ଭାଷଣ ସମୟରେ ଦେଶର ବୃଦ୍ଧି ଘଟୁଥିବା ଜନସଂଖ୍ୟା ଉପରେ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ।
ସ୍ଵାସ୍ଥ୍ୟ ମନ୍ତ୍ରୀ ଜୟ ପ୍ରତାପ କହିଛନ୍ତି ଜନସଂଖ୍ୟା ଅଧିକ ହେବା କାରଣରୁ ଜନକଲ୍ୟାଣକାରୀ ନୀତି କରିବାରେ ସମସ୍ୟା ହୋଇଥାଏ। ତେଣୁ ଏବେ ରାଜ୍ୟ ସରକାର ନୂତନ ଜନସଂଖ୍ୟା ନୀତି କରିବାକୁ ଯାଉଛନ୍ତି। ଏହି ଦିଗରେ ସମସ୍ତଙ୍କୁ ମିଶି କାର୍ଯ୍ୟ କରିବାକୁ ପଡିବ। ସେ କହିଛନ୍ତି ଯେ, ପରିବାର କଲ୍ୟାଣ କାର୍ଯ୍ୟକ୍ରମରେ ପରିବାର ନିୟୋଜନ ଏକ ମହତ୍ଵପୂର୍ଣ୍ଣ ପ୍ରସଙ୍ଗ।
ପରିବାର ନିୟୋଜନ ନେଇ ପରିବାର ନିଅନ୍ତୁ ନିଷ୍ପତ୍ତି
ଉତ୍ତର ପ୍ରଦେଶରେ ସଂପ୍ରତି ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ଜାରି ହଙ୍ଗମା ମଧ୍ୟରେ ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ପରିବାର ନିୟୋଜନ ସମ୍ବନ୍ଧରେ ମହିଳା ନିଜେ ନିର୍ଣ୍ଣୟ ନିଅନ୍ତୁ, ତେବେ ଯାଇ ଏହି ବିଷୟରେ ଶତ ପ୍ରତିଶତ ସଫଳତା ମିଳି ପାରିବ। ଏହି ବିଷୟକୁ ନେଇ ସରକାର ବହୁତ ଗମ୍ଭୀର ଏବଂ ଆମ ସମସ୍ତଙ୍କୁ ମିଶି ଏହି କାର୍ଯ୍ୟକ୍ରମ ପାଇଁ ମହିଳାଙ୍କ ନିଷ୍ପତ୍ତି ନେବାର କ୍ଷମତା ବିକଶିତ କରିବାକ ପଡିବ। ତେବେ ଯାଇ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଆଶାପୂର୍ବକ ସଫଳତା ମିଳି ପାରିବ।