୧୭ଟି ଗୁଳି ବାଜିବା ପରେ ବି ମୃତ୍ୟୁ ଛୁଇଁ ପାରିନଥିଲା ତାଙ୍କୁ, ମାତ୍ ଦେଇଥିଲେ ପାକିସ୍ତାନୀ ସେନାକୁ : ଜାଣନ୍ତୁ ଏହି ବୀର ଯବାନଙ୍କ ସମ୍ପର୍କରେ

Published By : Prameya-News7 Bureau | September 17, 2018 IST

ଗାଜିଆବାଦ ୧୭|୯: କାରଗିଲ ଯୁଦ୍ଧ ବେଳେ ବହୁ ଯବାନ ସହିଦ ହୋଇଥିଲେ । ଯୁଦ୍ଧରେ ପାକିସ୍ତାନୀ ସେନାକୁ ମାତ୍ ଦେଇଥିବା ସେମିତି ଜଣେ ବୀର ହେଉଛନ୍ତି ପରମବୀର ଯୋଗେନ୍ଦ୍ର ସିଂହ ଯାଦବ । ଦେହରେ ୧୭ଟି ଗୁଳି ବାଜିବା ପରେ ମଧ୍ୟ ଯୋଗେନ୍ଦ୍ର ମୃତ୍ୟୁ ସହ ସଂଗ୍ରାମ କରି ପାକିସ୍ତାନୀ ସୈନିକଙ୍କୁ ମାରିଥିଲେ । ଶିରାପ୍ରସିରାରେ ଭରି ରହିଥିବା ଦେଶପ୍ରେମ ତାଙ୍କୁ ମୃତ୍ୟୁ ସହ ଲଢେଇ କରିବାକୁ ସାହସ ଦେଇଥିଲା । ସେ ଏକା ପାକିସ୍ତାନ ସୈନିକମାନଙ୍କ ସହ ଲଢେଇ କରି ସେମାନଙ୍କୁ ମାରି ଟାଇଗର ହିଲରେ ପାକିସ୍ତାନର ୩ଟି ବଙ୍କର ଉପରେ କବଜା କରିଥିଲେ । ଯେଉଁଭଳି ପରିସ୍ଥିତିରେ ସେ ଯୁଦ୍ଧ କରିଥିଲେ ସେ କଥା ଶୁଣିଲେ ଲୋମ ଟାଙ୍କୁରି ଉଠିବ । ତାଙ୍କର ସାହାସିକତା ଏବଂ ବୀରତ୍ବକୁ ସମ୍ମାନ ଜଣାଇ ତାଙ୍କୁ ପରମବୀର ଚକ୍ର ମିଳିଥିଲା । ୧୯୮୦ ମସିହା ମେ ମାସ ୧୦ତାରିଖରେ ଜନ୍ମ ହୋଇଥିଲେ ଯୋଗେନ୍ଦ୍ର ସିଂହ ଯାଦବ । ସାହିବାବାଦର ଲାଜପତ ନଗରରେ ତାଙ୍କ ଘର । ଯେତେବେଳେ ଯୋଗେନ୍ଦ୍ରଙ୍କ ବୀରତ୍ବର କଥା କୁହାଯାଏ ତାଙ୍କ ପରିବାରଲୋକ ଗର୍ବିତ ହୁଅନ୍ତି । ଯୋଗେନ୍ଦ୍ର ଏବେ ବରେଲିରେ ସୁବେଦାର ମେଜର ପଦବୀରେ ଅଛନ୍ତି । ସବୁଠୁ କମ୍ ବୟସରେ ପରମବୀର ଚକ୍ର ପାଇଥିବା ସୈନିକ ହେଉଛନ୍ତି ଯୋଗେନ୍ଦ୍ର । ୧୯ବରର୍ଷ ବୟସରେ ୧୯୯୯ ମସିହା କାର୍ଗିଲ ଯୁଦ୍ଧରେ ସେ ଅପ୍ରତିମ ପରକାଷ୍ଠା ଦେଖାଇଥିଲେ । ସେଥିପାଇଁ ତାଙ୍କୁ ୨୦୦୦ମସିହା ଜାନୁଆରୀ ମାସରେ ତତ୍କାଳୀନ ରାଷ୍ଟ୍ରପତି କେ.ଆର୍. ନାରାୟଣନ୍ ପରମବୀର ଚକ୍ର ପ୍ରଦାନ କରିଥିଲେ । ଯୋଗେନ୍ଦ୍ର କୁହନ୍ତି ଯେ, କାରଗିଲ ଯୁଦ୍ଧ ବେଳେ ପରିସ୍ଥିତି ବହୁତ ଜଟିଳ ଥିଲା । ୧୬,୫୦୦ ଫୁଟ ଉଚ୍ଚତା ବିଶିଷ୍ଟ ଟାଇଗର ହିଲ୍ ବରଫାବୃତ ଥିଲା । ତାପମାତ୍ରା ମାଇନସ ୩୦ଡିଗ୍ରୀ ସେଲସିୟସ୍ ଥିଲା ।ବରଫ ଝଡ ସହ ପାହାଡ ଉପରେ ଚଢିବା ସମ୍ଭବପର ନଥିଲା । ପାକିସ୍ତାନ ସେନା ଉଚ୍ଚରେ ଥିଲେ । ଦିନରେ ଚଢିଥିଲେ ପାକିସ୍ତାନୀ ସେନା ଦେଖିବାର ଡର ରହିଥିଲା । ରାତିରେ ପାହାଡ ଚଢୁଥିଲୁ ଏବଂ ଦିନରେ ଲୁଚିରହୁଥିଲୁ । ଆମେ ଲଗାତର ଦୁଇ ରାତି ଚାଲିଥିଲୁ । ତୃତୀୟ ଦିନର ସକାଳେ ଆମ ଫୌଜ ଟାଇଗର ହିଲର ଶୃଙ୍ଗର ନିକଟତର ଥିଲା ଏତିକିବେଳେ ପାକିସ୍ତାନ ସେନା ଆମକୁ ଦେଖିଦେଇଥିଲେ । ଆମ ଫୌଜ ଉପରକୁ ପାକିସ୍ତାନୀ ସୈନିକ ଗୁଳିମାଡ କରିବା ଆରମ୍ଭ କରିଦେଇଥିଲେ । ଆମ ସେନା ଅଦମ୍ୟ ସାହସ ଦେଖାଇ କେତେକ ପାକିସ୍ତାନୀ ସୈନିକଙ୍କୁ ମାରିଦେଇଥିଲେ । ଏଥିରେ ୧୪ଜଣ ଭାରତୀୟ ଯବାନ ସହିଦ ହୋଇଯାଇଥିଲେ । ମାତ୍ର ୭ଜଣ ପାହାଡ ଉପରେ ପହଞ୍ଚିଥିଲେ । ପାକିସ୍ତାନ ସୈନିକଙ୍କ ସହ ଲଢି ଲଢି ୬ ଯବାନ ଆହତ ହୋଇଯାଇଥିଲେ । ଯୋଗେନ୍ଦ୍ରଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା ଏବଂ ସେ ତଳେ ପଡିଯାଇଥିଲେ । ପାକିସ୍ତାନ ସେନା ଯବାନମାନଙ୍କ ପାଖକୁ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ ଯୋଗେନ୍ଦ୍ରଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ । ତାଙ୍କ ଛାତିକୁ ମଧ୍ୟ ଗୁଳି ମାରିଥିଲେ ମାତ୍ର ସେ ତାଙ୍କ ପକେଟ୍‌ରେ ରଖିଥିବା ୫ଟଙ୍କିଆ କଏନ ତାଙ୍କ ଜୀବନ ବଞ୍ଚାଇ ଦେଇଥିଲା । ପାକିସ୍ତାନ ସୈନିକ ସେମାନଙ୍କ ଅସ୍ତ୍ରଶସ୍ତ୍ର ଲୁଟି ନେଇଥିଲେ । ତାଙ୍କ ଦେହରେ ୧୭ଟି ଗୁଳି ଲାଗିବା ପରେ ସେ ଯେତେବେଳେ ବେହୋସ୍ ହେବାକୁ ଲାଗିଲେ ସେତିକି ବେଳେ ତାଙ୍କ ପାଦରେ ପାକିସ୍ତାନୀ ସୈନିକର ପାଦ ବାଜିଯାଇଥିଲା ।ଫଳରେ ସେ ହୋସ୍ କୁ ଆସିଥିଲେ । ପାକିସ୍ତାନ ସେନା ତାଙ୍କର ଅସ୍ତ୍ରଶସ୍ତ୍ର ଲୁଟି ନେଇ ଯାଉଥିବାବେଳେ ଯୋଗେନ୍ଦ୍ର ତାଙ୍କ ଉପରକୁ ଗ୍ରେନେଡ୍ ଫିଙ୍ଗିଥିଲେ । ଏଥିରେ କେତେ ସୈନିକ ମରିଯାଇଥିଲେ ଏବଂ କେତେକ ଦୌଡିକି ଲୁଚିଯାଇଥିଲେ । ଏତିକିବେଳେ ସେମାନଙ୍କ ଅସ୍ତ୍ରଶସ୍ତ୍ର ଯୋଗେନ୍ଦ୍ର ପାଇଯାଇଥିଲେ । ତାଙ୍କ ହାତ ଗୋଡରେ ଗୁଳି ଭର୍ତ୍ତି ହୋଯାଇଥିଲା । ସେ ସେସବୁକୁ ଖାତିର ନକରି ପାକିସ୍ତାନୀ ସୈନିକଙ୍କୁ ମାରିଦେଇଥିଲେ । ସେ ପାକିସ୍ତାନର ୩ଟି ବଙ୍କର ଉପରେ କବଜା କରିଥିଲେ । ସେ ପାକିସ୍ତାନୀ ସେନାର ଲୋକେସନ ଦେଖି ପାହାଡ ତଳକୁ ତାଙ୍କ ପୋଷ୍ଟ ପାଖକୁ ଆସିଥିଲେ ଏବଂ ସମସ୍ତ ବିବରଣୀ ଦେଇଥିଲେ । ତାପରେ ସେ ବେହୋସ ହୋଇଯାଇଥିଲେ ଏବଂ ହୋସରେ ଆସିଲା ବେଳକୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କଠାରୁ ମିଳିଥିବା ସୂଚନା ଆଧାରରେ ପାକିସ୍ତାନ ସେନାଙ୍କୁ ଆକ୍ରମଣ କରି ଟାଇଗର ହିଲ୍ ଉପରେ କବଜା କରିଥିଲେ ଭାରତୀୟ ସେନା । ଯୋଗେନ୍ଦ୍ର ପ୍ରାୟ ୧୬ମାସ ଧରି ହସ୍ପିଟାଲରେ ଥିଲେ । ପରମବୀର ଯୋଗେନ୍ଦ୍ର ସିଂହ ଯାଦବ କୁହନ୍ତି ଯେ ବ୍ୟକ୍ତିର ପରିଚୟ, ପଦବୀ ବଂଶଗତ ହୋଇନଥାଏ ବରଂ କର୍ମରୁ ହୋଇଥାଏ ।ସେ କୌଣସି ବିଶେଷ ଶକ୍ତି ନେଇ ଜନ୍ମ ହୋଇନାହାନ୍ତି । ସାଧାରଣ ମଣିଷ । କେବଳ ଜବାନ ହିଁ ନୁହଁ ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ସୈନିକ ଯିଏ ଦେଶ ପାଇଁ କିଛି କରୁଛନ୍ତି । ତାଙ୍କ ଭଗବାନ ମାତୃଭୂମୀର ସେବା ପାଇଁ ସୁଯୋଗ ଦେଇଥିବା ସେ କୁହନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.