'ୟସ୍' ମୁକାବିଲା ଓ ଉଦ୍ଧାରକାର୍ଯ୍ୟରେ ସାମିଲ ୧୦ ଅଗ୍ନିଶମ କର୍ମଚାରୀ କୋଭିଡ୍ ପଜିଟିଭ୍

Published By : Prameya-News7 Bureau | June 01, 2021 IST

କଟକ,୦୧/୦୬: ଅଗ୍ନଶମ କର୍ମଚାରୀ କରୋନା ପଜିଟିଭ୍ । ବାତ୍ୟା ୟସ୍‌ର ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ଲାଗି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଜିଲ୍ଲାରେ ନିୟୋଜିତ ହୋଇଥିବା ଅଗ୍ନିଶମ ସେବା ସଂସ୍ଥାର ଉଦ୍ଧାରକାରୀ ଦଳରୁ ପ୍ରାୟ ୧୦ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି । ଦୁଇ ଦିନ ମଧ୍ୟରେ ପ୍ରାୟ ୧୦ ଜଣ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଆଉ କିଛି କର୍ମଚାରୀ ଏବେ ଆଇସୋଲେସନ୍‌ରେ ରହିଥିବା ଖବର ମିଳିଛି ।

ବାତ୍ୟା ସମୟରେ ଉଦ୍ଧାର କାର୍ଯ୍ୟ ଏବଂ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ମଧ୍ୟରେ କର୍ମଚାରୀମାନେ ସଂକ୍ରମିତ ହୋଇଥିବା ଜଣାଯାଇଛି । କୋଭିଡ୍‌ରେ ଆକ୍ରାନ୍ତ କର୍ମଚାରୀଙ୍କୁ କୋଭିଡ୍‌ କେୟାର ସେଣ୍ଟରରେ ରଖାଯାଇ ଚିକିତ୍ସା କରାଯାଉଛି । କୋଭିଡ୍‌ ଆକ୍ରାନ୍ତ କର୍ମଚାରୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ବୁଝି ସହାୟତା ଯୋଗାଇବା ପାଇଁ ଅଗ୍ନିଶମ ନିର୍ଦ୍ଦେଶାଳୟ ପକ୍ଷରୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ୟସ୍‌ ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ଲାଗି ଅଗ୍ନିଶମ ବାହିନୀର ୧୯୦ଟି ଟିମ୍‌ ନିୟୋଜିତ ଥିଲେ । ୨୫ରୁ ୨୮ ତାରିଖ ମଧ୍ୟରେ ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଏବଂ ସ୍ଥାନାନ୍ତର ଆଦି କାର୍ଯ୍ୟ ତୁଲାଇଥିଲେ । ଉଲ୍ଲେଖଯୋଗ୍ୟ, ଗତ ବର୍ଷ ପଶ୍ଚିମବଙ୍ଗରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ଅମ୍‌ପନ୍‌ର ଉଦ୍ଧାର କାର୍ଯ୍ୟ ସାରି ଓଡ଼ିଶା ଫେରିବା ବେଳକୁ ଅଗ୍ନିଶମ ସେବା ସଂସ୍ଥାର ବହୁ କର୍ମଚାରୀ କୋଭିଡ୍‌ ଆକ୍ରାନ୍ତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.