ମ୍ୟୁଚୁଆଲ ଫଣ୍ଡ କାରବାରରୁ ଓହରିବ Yes Bank, ଅଂଶ ବିକ୍ରୟ ଲାଗି କଲେ ବୁଝାମଣା

Published By : Prameya-News7 Bureau | August 21, 2020 IST

ମୁମ୍ବାଇ୨୧।୮:  ଘରୋଇ କ୍ଷେତ୍ରର ଇୟେସ୍‌ ବ୍ୟାଙ୍କ ମ୍ୟୁଚୁଆଲ ଫଣ୍ଡ କାରବାରରୁ ଓହରିଯିବେ। ତେବେ ଏଥିରେ ଥିବା ନିଜର ଭାଗ ମ୍ୟାନେଜମେଣ୍ଟ ଓ ଟ୍ରଷ୍ଟି ସବସିଡାରି ୟୁନିଟ୍‌ଙ୍କୁ ବିକ୍ରି କରିବେ ବୋଲି ବ୍ୟାଙ୍କ ଶୁକ୍ରବାର କହିଛନ୍ତି। ଏ ନେଇ ବ୍ୟାଙ୍କ ସେୟାର ବଜାରଙ୍କୁ ଦେଇଥିବା ସୂଚନାରେ ୨୧ ଅଗଷ୍ଟ ୨୦୨୦ରେ  ଇୟେସ୍ ଆସେଟ୍ ମ୍ୟାନେଜମେଣ୍ଟ ଇଣ୍ଡିଆ ଲିମିଟେଡ ( ଏସଏଏମସି) ଓ ଇୟେସ୍ ଟ୍ରଷ୍ଟି ଲିମିଟେଡ (ୱାଇଟିଏଲ)ରେ ଥିବା ନିଜର ୧୦୦ ପ୍ରତିଶତ ଭାଗିଦାରୀକୁ ଜେପିଏଲ ଫାଇନାନ୍ସ ଏଣ୍ଡ ଇନଭେଷ୍ଟମେଣ୍ଟସ୍‌ଙ୍କୁ ବିକିବା ଲାଗି ରାଜିନାମା କରିଛନ୍ତି। ଏହି ଦୁଇ ସଂସ୍ଥାଙ୍କୁ ଇୟେସ୍‌ ବ୍ୟାଙ୍କ ମାଲିକାନାଧୀନ ଅନୁଷଙ୍ଗୀ ୟୁନିଟ୍‌ ବୋଲି କହିଛନ୍ତି।

ତେବେ ଏଥିଲାଗି ଏବେ ନିୟାମକ ପ୍ରାଧିକରଣଙ୍କ ଠାରୁ ଆବଶ୍ୟକ ମଞ୍ଜୁରି ନିମନ୍ତେ ନିବେଦନ କରାଯିବ। ଏସଏଏମସି ଇୟେସ୍ ମ୍ୟୁଚୁଆଲ ଫଣ୍ଡର ସମ୍ପତ୍ତି ପରିଚାଳନା କମ୍ପାନୀ। ସେହିପରି ୱାଇଟିଏଲ ଇୟେସ୍ ମ୍ୟୁଚୁଆଲ ଫଣ୍ଡର ଟ୍ରଷ୍ଟି ଅଟନ୍ତି। ତେବେ ଏହି କାରବାର ହେଲେ ଇୟେସ୍ ବ୍ୟାଙ୍କ ମ୍ୟୁଚୁଆଲ ଫଣ୍ଡରୁ ସମ୍ପୂର୍ଣ୍ଣ ବାହାରିଯିବେ।  

ଏହି ରାଜିନାମାର ୮ରୁ ୧୨ ମାସ ମଧ୍ୟରେ ବିକ୍ରୟ ପ୍ରକ୍ରିୟା ପୁରା କରିବେ ବୋଲି ବ୍ୟାଙ୍କ କହିଛନ୍ତି। ଏବେ ବ୍ୟାଙ୍କର କେହି ପ୍ରମୋଟର ନାହାନ୍ତି। ଆର୍ଥିକବର୍ଷ ୨୦୧୯-୨୦ରେ  ଏସଏଏମସି ର ରାଜସ୍ୱ ଭାଗିଦାରୀ ୩୩ଲକ୍ଷ ଟଙ୍କା ଥିଲା। ଯାହାକି ଅତ୍ୟନ୍ତ ନଗଣ୍ୟ। ଆର୍ଥିକ ବର୍ଷରେ ସଂସ୍ଥାର ନିଟ୍‌ ସମ୍ପତ୍ତି ଭାଗିଦାରୀ ୪୯.୭ କୋଟି ଟଙ୍କା ଥିଲା, ଏହା ମଧ୍ୟ ଅତ୍ୟନ୍ତ ନଗଣ୍ୟ। ସେହିପରି ୱାଇଟିଏଲଙ୍କ  ରାଜସ୍ୱ ଓ ନିଟ୍ ସମ୍ପତ୍ତି ଭାଗିଦାରୀ ପୁରା ଆର୍ଥିକ ବର୍ଷରେ ଶୂନ୍ୟ ଥିଲା। ତେବେ ଜେପିଏଲ ଫାଇନାନ୍ସ ଏଣ୍ଡ ଇନଭେଷ୍ଟମେଣ୍ଟ ଲିଃ ଏକ ଏନବିଏଫସି ହୋଇଥିବା ବେଳେ ଇୟେସ୍ ଆସେଟ୍ ଓ ଇୟେସ୍‌ ଟ୍ରଷ୍ଟିଙ୍କ ୧୦୦ ପ୍ରତିଶତ ଅଧିଗ୍ରହଣ କରିବେ। ଶୁକ୍ରବାର ଇୟେସ୍ ବ୍ୟାଙ୍କ ସେୟାର ବିଏସଇ ସୂଚକାଙ୍କରେ ୧.୨୧ ପ୍ରତିଶତ ଖଶି ପ୍ରତି ସେୟାର ଦର ୧୫.୫୭ଟଙ୍କାରେ ବନ୍ଦ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.