ୟେସ୍ ବ୍ୟାଙ୍କର ପୂର୍ବତନ ଭାଇସ ପ୍ରେସିଡେଣ୍ଟ୍ ଧିରଜ ଅଲଓ୍ୱାଟଙ୍କ ମୃତ୍ୟୁର ତଦନ୍ତ ହାତକୁ ନେଲା ସିବିଆଇ, ଗତ ଅଗଷ୍ଟରେ ନିଖୋଜ ପରେ ମିଳିଥିଲା ଧିରଜଙ୍କ ମୃତଦେହ

Published By : Prameya-News7 Bureau | January 23, 2021 IST

ଚଣ୍ଡିଗଡ, ୨୩।୦୧ :   କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବା ସିବିଆଇ ୟେସ୍ ବ୍ୟାଙ୍କର ପୂର୍ବତନ ଭାଇସ ପ୍ରେସିଡେଣ୍ଟ୍ ବା ଉପସଭାପତି ଧିରଜ ଅଲଓ୍ୱାଟଙ୍କ ହତ୍ୟା ମାମଲା ହାତକୁ ନେଇଛି । ପୂର୍ବରୁ ଏହି ମାମଲାର ତଦନ୍ତ ହରିୟାଣା ପୋଲିସ କରୁଥିଲା । ଧିରଜ ୫ ମାସ ପୂର୍ବରୁ ଗୁରୁଗ୍ରାମରେ ଥିବା ନିଜ ଘରୁ ନିଖୋଜ ହୋଇଯାଇଥିଲେ । ୨ ଦିନ ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ଧିରଜ ଗୁରୁଗ୍ରାମର ସେକ୍ଚର ୪୬ରେ ରହୁଥିଲେ । ୩୮ ବର୍ଷୀୟ ଧିରଜ ଗତ ବର୍ଷ ଅଗଷ୍ଟ ୫ ତାରିଖରେ ଘରୁ ବାହାରକୁ ଯାଉ ଆଉ ଫେରିନଥିଲେ । ୨ଦିନ ପରେ ରୋହିଣୀ ଅଞ୍ଚଳରେ ତାଙ୍କର ମୃତଦେହ ଠାବ ହୋଇଥିଲା । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ । ଧିରଜ ୟେସ୍ ବ୍ୟାଙ୍କର କର୍ପୋରେଟ ବିଭାଗର ଉପ ସଭାପତି ଭାବେ କାମ କରୁଥିଲେ । ପରିବାର ଲୋକେ ତାଙ୍କ ହାତରେ ବନ୍ଧାଥିବା ରାକ୍ଷୀରୁ ହିଁ ତାଙ୍କୁ ଚିହ୍ନିଥିଲେ ।

ହରିୟାଣା ପୋଲିସ ମାମଲାର ତଦନ୍ତ କରୁଥିଲା । କିନ୍ତୁ ତଦନ୍ତରେ କୌଣସି ଅଗ୍ରଗତି ଦେଖିବାକୁ ମିଳିନଥିଲା । ପରିବାର ଲୋକେ ଏଥିପାଇଁ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ଭେଟିଥିଲେ । ଏହାସହ ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିଥିଲେ ।

ହରିୟାଣା ସରକାର ଅକ୍ଟୋବର ୧୭ରେ ମାମଲାର ତଦନ୍ତ ପାଇଁ ସିବିଆଇକୁ ସୁପାରିଶ କରିଥିଲେ । ଏହି ସୁପାରିଶକୁ ଜାନୁଆରୀ ୬ ତାରିଖରେ ମଞ୍ଜୁରି ମିଳିଥିଲା । ସିବିଆଇ ଏବେ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.