ବଢ଼ିଲା ଶୀତ : ୧୮ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
22/01/2020 at 8:59 AM

ଭୁବନେଶ୍ବର ୨୨/୧: ଖସିଲା ପାରଦ । ବଢ଼ିଲା ଶୀତ । ଆଭ୍ୟନ୍ତରୀଣ ଓଡିଶା ସହ ବିଭିନ୍ନ ସ୍ଥାନରେ ୧ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଦିନରେ ତାପମାତ୍ରା ବଢିବ ଓ ରାତିରେ କମିବ । ସେହିପରି ଦୁଇ ଦିନ ଧରି ଘନ କୁହୁଡ଼ି ଲାଗିରହିବ। ରାସ୍ତା ଠିକ୍ ଭାବେ ଦୃଶ୍ୟମାନ ହେବନି।
ସ୍ଥାନେ ସ୍ଥାନେ ୫୦ ମିଟର ପରେ ରାସ୍ତା ଦେଖାଯିବ ନାହିଁ। ଉପକୂଳ ଓଡ଼ିଶା ସମେତ ୧୭ଟି ଜିଲ୍ଲାରେ ଏଭଳି ସ୍ଥିତି ଉପୁଜିବ। ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର, ଜଗତ୍ ସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଧା, କଟକ, ପୁରୀ, ନୟାଗଡ଼, ସୁନ୍ଦରଗଡ଼, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ଯାଜପୁର, ମାଲକାନଗିରି, ସୋନପୁର ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଲାଗିରହିବ। ତେଣୁ ଉକ୍ତ ଜିଲ୍ଲାଗୁଡ଼ିକ ଲାଗି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ସର୍ବନିମ୍ନ ତାପମାତ୍ରା ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ଖସିପାରେ। ୨୩ ତାରିଖ ଯାଏ ଅନ୍ୟ ଅଞ୍ଚଳରେ ପାଗରେ ସେଭଳି ଆଖିଦୃଶିଆ ପରିବର୍ତନ ହେବନି। ତେବେ ୨୪ ତାରିଖଠାରେ ପାଗରେ ସାମାନ୍ୟ ପରିବର୍ତନ ଆସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।