ଆସୁଛି ଆଉ ଏକ ଲଘୁଚାପ : ଆଜି ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

Published By : Prameya-News7 Bureau | June 16, 2020 IST

ଭୁବନେଶ୍ବର ୧୬।୬: ଆସନ୍ତା ୧୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୮ତାରିଖରୁ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ପୂର୍ବ ମଧ୍ୟପ୍ରଦେଶ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଉତ୍ତରପ୍ରଦେଶ ଓ ସଂଲଗ୍ନ ଅଞ୍ଚଳ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି । ଏହାଦ୍ବାରା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ ଆର ବିଶ୍ବାସ କହିଛନ୍ତି ଯେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଓଡ଼ିଶାରେ ସକ୍ରିୟ ରହିଛି । ତେଣୁ ସାରା ରାଜ୍ୟରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ଲାଗି ରହିଛି । ମଙ୍ଗଳବାର ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜର ଗୋଟିଏ ଦୁଇଟି ଜାଗାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ଏହାବାଦ୍‌ କୋରାପୁଟ ଓ ରାୟଗଡ଼ାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୮ ତାରିଖରୁ ବର୍ଷା ପରିମାଣ ବଢ଼ିବ ।

ତେବେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୧୮ରୁ ୨୦ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ଆହୁରି ବଢ଼ିବ । ଜୁନ୍ ପହିଲାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ସ୍ବାଭାବିକ୍ ଠାରୁ ୨୩ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ଏହି ସମୟ ମଧ୍ୟରେ ସ୍ବାଭାବିକ ଭାବେ ୭୯.୨ମିମି ବର୍ଷା ହୋଇଥାଏ ।

ତେବେ ଏଥର ୯୭.୪ମିମି ବର୍ଷା ହୋଇଛି । ଝାରସୁଗୁଡ଼ାରେ ସବୁଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ରବିବାର ସକାଳ ୮ଟା ୩୦ରୁ ଆଜି ସକାଳ ସୁଦ୍ଧା ଦୁଇଟି ସ୍ଥାନରେ ଶହେ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ବରଗଡ଼ ଜିଲ୍ଲା ଅତାବିରାରେ ୧୨୬ମିମି ବର୍ଷା ହୋଇଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାର କୋଲାବିରାରେ ୧୦୬ମିମି ବର୍ଷା ରେକର୍ଡ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.