ଭୁବନେଶ୍ବର ୮।୨: ରାଜ୍ୟର ୭ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ଆଲର୍ଟ । ୪ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି । ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ । ରାଜ୍ୟରେ ଦୁଇ ଦିନ ହେବ ପାଗ କୋହଲା ରହିବା ସହ ବର୍ଷା ହେଉଛି । ଏନେଇ ୭ଟି ଜିଲ୍ଲାକୁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ଏହି ଜିଲ୍ଲାଗୁଡିକ ହେଲା ଅନୁଗୋଳ, ଢେଙ୍କାନାଳ, ଦେବଗଡ, ସୋନପୁର, ବୌଦ୍ଧ, ସମ୍ବଲପୁର ଓ କେନ୍ଦୁଝର । ଏହି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ଘୂର୍ଣ୍ଣିବଳୟର ପ୍ରଭାବ କାରଣରୁ ଆହୁରି ୨ ଦିନ ରାଜ୍ୟରେ ଲାଗି ରହିବ ବର୍ଷା । ୯ ତାରିଖ ଅପରାହ୍ନ ଯାଏଁ ବର୍ଷା କମିବନି ବୋଲି ଆଂଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଭଳି ସ୍ଥିତି ଆସନ୍ତା ଦୁଇ ଦିନ ଲାଗି ରହିବ । ଏହାପରେ ଘନ କୁହୁଡିରେ ଢାଙ୍କି ହୋଇଯିବ ଉତ୍ତର- ପଶ୍ଚିମ ଓଡିଶା । ତେବେ ୧୦ ତାରିଖ ପରଠାରୁ ବଢିବ ଶୀତ । ୧୦ ଓ ୧୧ ତାରିଖରେ ଘନ କୁହୁଡି ଦେଖାଦେବା ସମ୍ଭାବନା ରହିଛି ।
ବିହାର ଓ ଏହାର ପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ରହିଥିବାରୁ ଏପରି ସ୍ଥିତି ଓଡିଶାରେ ଦେଖିବାକୁ ମିଳିଥିବା କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଘୂର୍ଣ୍ଣିବଳୟ ପ୍ରଭାବରୁ ଆସନ୍ତା ୯ ତାରିଖ ଅପରାହ୍ନ ଯାଏଁ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୪ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।