୪୮ଘଣ୍ଟାରେ ଆରବ ସାଗରରେ ଲଘୁଚାପ ! ଦୁଇ ଦିନ ରାଜ୍ୟରେ ବର୍ଷା ସମ୍ଭାବନା, ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

Published By : Prameya-News7 Bureau | May 31, 2020 IST

ଭୁବନେଶ୍ବର ୩୧।୫: ଦକ୍ଷିଣ ପୂର୍ବ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ଅଛି । ତେବେ ଆସନ୍ତାକାଲି ଏହା ଅବପାତରେ ପରିଣତ ହେବ । ଆସନ୍ତା ୨ ତାରିଖରେ ଗଭୀର ଅବପାତର ରୂପ ନେବା ପରେ ୪ ତାରିଖ କିମ୍ବା ୫ ତାରିଖରେ ଗୁଜରାଟ ଉପକୂଳ ସ୍ପର୍ଶ କରିବ । ଫଳରେ କେରଳ ଅପେକ୍ଷା ଗୁଜରାଟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ଅନ୍ୟପଟେ ଆସନ୍ତା ୬ ତାରିଖରେ ମିଆଁମାର ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା କ୍ରମେ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଆସନ୍ତା ୯ ତାରିଖ ବେଳକୁ ଏହା ୱେଲ୍- ମାର୍କ ଲଘୁଚାପରେ ପରିଣତ ହେବ । ପ୍ରଭାବରେ ୧୦ ତାରିଖ ଦିନ ସମସ୍ତ ଉପକୂଳ ଓଡିଶା ଏବଂ ୧୧ ତାରିଖ ଦିନ ସମଗ୍ର ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।

 ସେପଟେ ଆସନ୍ତା ୨୪ ଘଣ୍ଟା ଭିତରେ କେରଳ ଛୁଇଁପାରେ ମୌସୁମୀ । କିନ୍ତୁ ଓଡିଶାକୁ କେବେ ପ୍ରବେଶ କରିବ ସେ ନେଇ ଅନିଶ୍ଚିତତା ଦେଖାଦେଇଛି । ସାଧାରଣତଃ କେରଳକୁ ମୌସୁମୀ ପ୍ରବେଶ କରିବାର ୧୦ରୁ ୧୧ ଦିନ ମଧ୍ୟରେ ଓଡିଶାକୁ ଛୁଏଁ । କିନ୍ତୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ଆରବ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଏଥିରେ ବାଧା ସୃଷ୍ଟି କରିପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ସେହିପରି ଆଜି ଉତ୍ତର ଓଡିଶାର ଅନେକ ସ୍ଥାନ ଏବଂ ଉପକୂଳ ଓ ଦକ୍ଷିଣ ଓଡିଶାର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ନେଇ କେନ୍ଦୁଝର, ମୟୁରଭଞ୍ଜ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୋଳ, କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡା, କନ୍ଧମାଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଜୁନ୍ ୧ ତାରିଖ ପାଇଁ ଅନୁଗୋଳ, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, ଦେବଗଡ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.