ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Published By : Prameya-News7 Bureau | February 25, 2020 IST

ଭୁବନେଶ୍ବର୨୫/୨: ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ଅଦିନିଆ ବର୍ଷା । ଫୁଲବାଣୀ ଓ ସୋନପୁରରେ ଝଡ଼ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି । ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି ବର୍ଷା । ବର୍ଷା ପାଣିରେ ମଣ୍ଡିରେ ଭିଜିଛି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ । ଦୁଇ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବା ସହ ୨୭ରୁ ପାଗରେ ପରିବର୍ତ୍ତନ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ୨୭ ତାରିଖରୁ ଉପକୂଳ ଓଡ଼ିଶାରେ ଘନ କୁହୁଡି ହେବ।

ଆଜି ସକାଳୁ ସକାଳୁ ହଠାତ ବଦଳିଗଲା ପାଗ । ରାଜଧାନୀ ଆକାଶରେ ଢାଙ୍କିଗଲା କଳା ବାଦଲ । ଦିନରେ ରାତିର ଭ୍ରମ ସୃଷ୍ଟି କରୁଥିଲା। ଏହା ସହିତ ପ୍ରବଳ ବର୍ଷା ବି ହୋଇଛି । ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଏଭଳି ସ୍ଥିତି ଆସନ୍ତା ୨ ଦିନ ଯାଏ ଲାଗି ରହିବ । ତେବେ ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ଯାଜପୁର, ମୟୁରଭଞ୍ଜ, ସୁନ୍ଦରଗଡ, ଦେଓଗଡ, କେନ୍ଦ୍ରାପଡା ଭଳି ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବ । ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଜିଲ୍ଲାରେ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବ ।

ସେପଟେ ଅଦିନିଆ ବର୍ଷାର ମଜା ନେଇଛନ୍ତି କଟକବାସୀ । ଶୀତ କମି ଆସୁଥିବା ବେଳେ ପବନ ଓ ବର୍ଷା ପୁଣି ସମସ୍ତଙ୍କୁ କାଲୁଆ କରିଦେଇଛି । ବର୍ଷା ଲୋକଙ୍କୁ ଜ୍ୟାକେଟ୍ ଉପରେ ରେନକୋଟ୍ ପିନ୍ଧିବାକୁ ବାଧ୍ୟ କରିଥିଲା । ଆଉ କେହି କେହି ବର୍ଷାରେ ଭିଜି ମଜା ନେଉଥିଲେ । ବର୍ଷା ପବନରେ ଚା ଖଟି ବି ବେଶ୍ ଜମିଥିଲା । ଆହୁରି ୨୪ ଘଣ୍ଟା ବର୍ଷା ୨୭ରୁ ବର୍ଷାର କମିବା ସହ ପାଗରେ ପରିବର୍ତ୍ତନ ଆସିବ । ଉପକୂଳ ଓଡ଼ିଶା ସହ ମୟୁରଭଞ୍ଜ, ଖୋର୍ଦ୍ଧା, ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ଅନୁଗୋଳରେ ଘନ କୁହୁଡି ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.