୪ ଯାଏଁ ଥରାଇବ ଶୀତ, ୭ ଜିଲ୍ଲାକୁ ଅରେଞ୍ଜ୍ ଓ୍ୱାର୍ଣ୍ଣିଂ

Published By : Prameya-News7 Bureau | February 02, 2021 IST

ଭୁବନେଶ୍ୱର ୦୨/୦୨: ହଠାତ ମାଡ଼ି ଆସିଛି ଶୀତ । କନ୍ଧମାଳରୁ କଟକ, ବଲାଙ୍ଗିରରୁ ବାଲେଶ୍ୱର ପର୍ଯ୍ୟନ୍ତ ସବୁଠି କାଲୁଆ ପବନ ଥରାଉଛି । ସଂଜରୁ ସକାଳ ୯ଟା ଯାଏଁ କାଲୁଆ ପବନ ବହୁଛି । ୯ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‌ ତଳକୁ ଖସି ଆସିଥିବା ରେକର୍ଡ କରାଯାଇଛି ।

ପାଣିପାଗ ବିଭାଗର କହିବାନୁସାରେ, ଏଭଳି ଶୀତ ଲହରି ୪ ତାରିଖ ଯାଏଁ ଜାରି ରହିବ । ଅଧିକାଂଶ ସ୍ଥାନରେରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଖସିଯିବ । ଅର୍ଥାତ୍‌ ଭୀଷଣ ଥଣ୍ଡା ପ୍ରବାହ ଲାଗି ରହିବ । ୭ଟି ଜିଲ୍ଲାରେ ଭୀଷଣ ଶୀତ ଲହରୀ ଓ ୧୬ଟି ଜିଲ୍ଲାରେ ଶୀତ ଲହରୀ ପାଇଁ ସତର୍କ ସୂଚନା ଜାରି ହୋଇଛି ।

ରବିବାର ରାତିରେ ଫୁଲବାଣୀ ତାପମାତ୍ରା ୫ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ା ୭.୫, ବଲାଙ୍ଗିର ୭.୮, କେନ୍ଦୁଝର ୮.୪, ସୋନପୁର ୮.୬, ଦାରିଙ୍ଗିବାଡ଼ି ୯, ବୌଦ୍ଧ ୯, ସୁନ୍ଦରଗଡ଼ ୯, ବାରିପଦା ୯.୬ ଡିଗ୍ରୀ ଥିଲା । କଟକରେ ୧୨, ଭୁବନେଶ୍ୱରରେ ୧୩.୮ ଡିଗ୍ରୀ ସେଲସିୟସ ରହିଥିଲା ତାପମାତ୍ରା ।

ପାଣିପାଗ ବିଭାଗ ସତର୍କ କରାଇଛି ଯେ, ମଙ୍ଗଳବାର ସକାଳେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବଲାଙ୍ଗିର ଓ କନ୍ଧମାଳରେ ଭୀଷଣ ଥଣ୍ଡା ଲହରୀ ଅନୁଭୂତ ହେବ । ଏସବୁ ଜିଲ୍ଲାରେ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ନୟାଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, ଖୋର୍ଦ୍ଧାରେ ଶୀତ ଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.