SCBରେ ପ୍ରଥମ ସ୍ବାଇନ୍ ଫ୍ଲୁ ରୋଗୀ ଚିହ୍ନଟ, ମେଡିକାଲ ପରିସରରେ ଆତଙ୍କ

Published By : Prameya-News7 Bureau | February 06, 2020 IST

କଟକ ୬।୨: କଟକ ବଡ ଡାକ୍ତରଖାନାରେ ଚିହ୍ନଟ ହୋଇଛନ୍ତି ଚଳିତ ବର୍ଷର ପ୍ରଥମ ସ୍ବାଇନ୍ ଫ୍ଲୁ ରୋଗୀ । ସଂପୃକ୍ତ ବ୍ୟକ୍ତି ଢେଙ୍କାନାଳ ଅଞ୍ଚଳର ବୋଲି ଜଣାପଡିଛି । ତାଙ୍କୁ କଟକ ବଡ ଡାକ୍ତରଖାନାର ସ୍ବତନ୍ତ୍ର ୱାର୍ଡରେ ରଖି ଚିକିତ୍ସିତ କରାଯାଉଛି । ସ୍ବାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହେବା ଘଟଣା ପୁଣି କଟକ ବଡ ଡାକ୍ତରଖାନା ପରିସରରେ ଆତଙ୍କ ଖେଳାଇଛି ।

କିଛିଦିନ ପୂର୍ବରୁ କଟକ ବଡ ଡାକ୍ତରଖାନାରେ ୩ ଜଣ ସନ୍ଦିଗ୍ଧ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଇଥିଲା । ସେମାନଙ୍କୁ ସ୍ବତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯିବା ସହିତ ସେମାନଙ୍କ ରକ୍ତ ଓ ସ୍ବାବ୍ ପରୀକ୍ଷା ପାଇଁ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ଗବେଷଣା ତଥା ପରୀକ୍ଷା କେନ୍ଦ୍ରକୁ ପଠାଯାଇଥିଲା । ୩ଟି ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ସେଥିରୁ ଦୁଇଟି ନେଗେଟିଭ୍ ବାହାରିଥିବା ବେଳେ ଗୋଟିଏ ପଜିଟିଭ୍ ରହିଛି। ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ ଆବଶ୍ୟକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ବେଳେ ଅନ୍ୟ ଦୁଇ ଜଣ କିନ୍ତୁ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ।

ଅନ୍ୟପଟେ କରୋନା ୱାର୍ଡରେ ଆଉ ଜଣେ ସଂନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ଜଗତସିଂହପୁରରୁ ଜଣେ ଯୁବ ଇଞ୍ଜିନିୟର କରୋନା ସନ୍ଦେହରେ ଏସସିବିରେ ଭର୍ତ୍ତି ହୋଇଛନ୍ତି । ତେବେ କରୋନା ସନ୍ଦେହରେ ଆସିଥିବା ଏହି ଯୁବ ଇଞ୍ଜିନିୟର ଗତ ୨୪ ତାରିଖରୁ ହଂକଂରୁ ଫେରିଛନ୍ତି । ଜ୍ବର, ଥଣ୍ଡା କାଶ ଲାଗି ରହିବାରୁ ତାଙ୍କୁ ଏସସିବି ଆଇସୋଲେସନ ୱାର୍ଡରେ ରଖାଯାଇଛି । ତାଙ୍କ ରକ୍ତ ନମୁନା, ଥ୍ରୋଟ ସ୍ବାବ ଓ ନାକ ସ୍ବାବ ସାମ୍ପୁଲ ପରୀକ୍ଷା ପାଇଁ ପୁନେ ସ୍ଥିତ ଏନଆଇଭିକୁ ପଠାଯିବ ବୋଲି କହିଛନ୍ତି ଏସସବି ମେଡିକାଲର ଜରୁରୀକଳୀନ ଅଧିକାରୀ ।

ପୂର୍ବରୁ କରୋନା ସନ୍ଦେହରେ ଏସସିବି କରୋନା ୱାର୍ଡରେ ଭର୍ତ୍ତି ହୋଇଥିବା ମେଡିକାଲ ଛାତ୍ରୀଙ୍କ ଟେଷ୍ଟ ରିପୋର୍ଟ ଆସିବାକୁ ଆଉ ଦିନେରୁ ଦୁଇ ଦିନ ଲାଗିବ । ତେଣୁ ତାଙ୍କୁ କରୋନା ହୋଇଛି କି ନାହିଁ ଏବେବି ସ୍ପଷ୍ଟ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.