ଭୀଷଣ କୋପ ଦେଖାଇବ 'ୟସ୍': ରାଜ୍ୟର ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି, ମୁକାବିଲା ପାଇଁ ୩୨ ଏନଡିଆରଏଫ ଟିମ୍ ପ୍ରସ୍ତୁତ

Published By : Prameya-News7 Bureau | May 23, 2021 IST

ଭୁବନେଶ୍ଵର ୨୩।୦୫: ସମ୍ଭାବ୍ୟ ବାତ୍ୟା ୟସ୍ ଉତ୍ତର ଓଡିଶାରେ ଭୀଷଣ କୋପ ଦେଖାଇବା ଆକଳନ କରାଯାଉଛି  । ବାତ୍ୟା ସ୍ଥିତି ମୁକାବିଲା ଲାଗି ରାଜ୍ୟ ଏବଂ କେନ୍ଦ୍ରୀୟ ଉଦ୍ଧାରକାରୀ ଦଳ ଆଲର୍ଟ ମୋଡ୍‌ରେ ଅଛନ୍ତି । NDRFର ୭ଟି ଟିମ୍ ବାଲେଶ୍ବରରେ ଏବଂ ମୟୁରଭଞ୍ଜ ଓ ଭଦ୍ରକରେ ଗୋଟିଏ ଲେଖାଏଁ ଟିମ୍ ନିୟୋଜିତ କରାଯାଇଛି। ଆଉ ୯ଟି ଟିମ୍ ରାଜ୍ୟର ଅନ୍ୟ ଉପକୂଳ ଜିଲ୍ଲାକୁ ଯିବେ। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରି ଏହି ବିପଦ ସଙ୍କେତ ଜାରି କରାଯାଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ଯିବା ସହ ୧୦ ଜିଲ୍ଲାକୁ ସଜାଗ ରଖାଯିବ।

ଓଡିଶାକୁ ଆଉ ୧୦ ଏନଡିଆରଏଫ ଟିମ୍ ଆସିବେ ବୋଲି ଏନଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ରାଜ୍ୟରେ ୨୨ଟି ଟିମକୁ ସଜାଗ ରଖାଯିବା ସହ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି। ଆଉ ୧୦ ଟିମ୍ ପଠାଇବାକୁ ରାଜ୍ୟ ସରକାର ଅନୁରୋଧ କରିଥିଲେ। ତେଣୁ ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏୟାର ଲିଫ୍ଟ ଜରିଆରେ ଟିମ୍ ପହଞ୍ଚିବେ ବୋଲି ପ୍ରଧାନ ଦେଇଛନ୍ତି। ଏହାକୁ ମିଶାଇ ଓଡିଶାରେ ମୋଟ୍ ୩୨ ଏନଡିଆରଏଫ ଟିମକୁ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ମୁତୟନ କରାଯିବ। ଅନ୍ୟଫଟେ ପଶ୍ଚିମବଙ୍ଗରେ ଆଜି ସନ୍ଧ୍ୟା ସୁଦ୍ଧା ୩୫ଟି ଏନଡିଆରଏଫଟିମ ପହଞ୍ଚିବେ  ବୋଲି ଏନଡିଆରଏଫ ଡିଜି କହିଛନ୍ତି।

{"id":456210,"sizeSlug":"large","linkDestination":"none"}

ବାତ୍ୟା ୟାସ୍ ମୁକାବିଲା ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଜୋରଦାର ।  ସେପଟେ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାର ଲୋକେ ମଧ୍ୟ ନିଜ ଆଡୁ ସତର୍କ । ଜଳେଶ୍ବରର ସମୁଦ୍ର କୁଳିଆ ଅଞ୍ଚଳ  ସର୍ବାଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀମାନେ ସେମାନଙ୍କ ଡଙ୍ଗା ଓ ଜାଲକୁ ସୁରକ୍ଷିତ ସ୍ଥାନକୁ ନେଉଛନ୍ତି । ସେପଟେ ସୋର ଏବଂ ବାହାନଗା ବ୍ଲକ ପ୍ରଶାସନ ସଜାଗ ରହିଛି । ବାହାନଗାରେ  ୧୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ।

ୟେଲୋ ୱାର୍ଣ୍ଣିଂ ଜାରି ପରେ ମୟୁରଭଞ୍ଜବାସୀଙ୍କ ଭୟ ବଢିଯାଇଛି। ବାତ୍ୟା ଲାଗି ଯୁଦ୍ଧକାଳୀନ ଭିତ୍ତିରେ  ଆଗୁଆ ପସ୍ତୁତି କରିଛି ଜିଲ୍ଲା ପ୍ରଶାସନ। ମୟୁରଭଞ୍ଜ ଜିଲ୍ଲାପାଳ ବାତ୍ୟା ଆଶ୍ରୟସ୍ଥଳୀରେ ବ୍ୟବସ୍ଥା ପରଖିଛନ୍ତି। କରୋନା କାଳରେ ସାମାଜିକ ଦୂରତା ରଖିବା ଲାଗି ଅଧିକ ଆଶ୍ରୟସ୍ଥଳୀର ଆବଶ୍ୟକ ହେଉଥିବାରୁ  ଆହୁରି କିଛି ସ୍କୁଲ ଓ ସରକାରୀ ଅଫିସକୁ ମଧ୍ୟ ବାତ୍ୟା ଆଶ୍ରୟସ୍ଥଳୀ ଭାବରେ ପ୍ରସ୍ତୁତ କରାଯାଉଛି ।

{"id":456211,"sizeSlug":"large","linkDestination":"none"}

ସମୁଦ୍ର କୂଳରେ ଥିବା ଭଦ୍ରକ ବିନୋବା ଭାବେନଗର ପଂଚାୟତ ଲୋକେ ଭୟରେ ଅଛନ୍ତି । ଭଦ୍ରକରେ ବାତ୍ୟା ପ୍ରକୋପ ଅଧିକ ହେବା ଆଶଙ୍କା ଥିବାରୁ ବାସୁଦେବପୁର ବ୍ଲକର ୨୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ପ୍ରସ୍ତୁତି କରୁଛି ।  ଭଦ୍ରକ ଜିଲ୍ଲାର ୮୪ ଟି ବାତ୍ୟା ଆଶ୍ରୟ ସ୍ଥଳକୁ ପ୍ରସ୍ତୁତ କରାଯିବ । ୫ଶହ ବିଦ୍ୟାଳୟକୁ ସେଲଟର ଭାବେ ବ୍ୟବହାର କରାଯିବ। ଏଣେ କରୋନା ଭୟରେ ଲୋଲେ ଘର ଛାଡି ଆସିବାକୁ ନାରାଜ। ତେଣୁ ପ୍ରଶାସନ ଆଗରେ ଚାଲେଞ୍ଜ ବଢି ଯାଇଛି ।  ସେପଟେ ଚାନ୍ଦବାଲି, ଧାମରା, ଆରଡି ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ମତ୍ସ୍ୟଜୀବୀମାନେ ସମୁଦ୍ରରୁ ଫେରି ଚାନ୍ଦବାଲି ଜେଟୀରେ ବୋଟ ରଖିଛନ୍ତି ।

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ବ୍ୟାପକ ପଦକ୍ଷେପ ନେଇଛି ।  ଜିଲ୍ଲାର ୪୨ଟି ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ରଖାଯାଇଛି । ୧୮୨ଟି ବିକଳ୍ପ କେନ୍ଦ୍ରକୁ ଚିହ୍ନଟ କରାଯାଇଛି । ଏହାସହ କଟର୍ ମେସି ର୍ ଆସ୍କା ଲାଇଟ୍ ,  ଜେସିବି ମେସିନ୍ , ପଲିଥିନ୍, ଓଭରହେଡ୍ ଟ୍ୟାଙ୍କ, ପାୱାର ବୋଟ୍ ସହ ଆନୁସଙ୍ଗିକ ସରଞ୍ଜାମ ପ୍ରସ୍ତୁତ କରି ରଖାଯାଇଛି । ଉତ୍ତର ଏବଂ ଉପକୂଳ ଜିଲ୍ଲାରେ ବାତ୍ୟା ମୁକାବିଲା ଲାଗି ପ୍ରଶାସନ ସଂପୂର୍ଣ ସଜାଗ ରହିଛି । ତେବେ କୋଭିଡ କାଳରେ ବାତ୍ୟା ମୁକାବିଲା ପ୍ରଶାସନ ପାଇଁ ବଡ ଚାଲେଞ୍ଜ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.