ଯମୁନା ନଦୀରେ ଶବର ବନ୍ୟା, ପୋଲିସ କଲା ବଡ଼ ଖୁଲାସା

Published By : Prameya-News7 Bureau | May 07, 2021 IST

ଲକ୍ଷ୍ନୌ ୭/୫: ଉତ୍ତରପ୍ରଦେଶର ହମିରପୁର ଜିଲ୍ଲା ଅନ୍ତର୍ଗତ ଯମୁନା ନଦୀରେ ଏକସଙ୍ଗେ ଡଜନେରୁ ଅଧିକ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ଏହା ପରେ ଜିଲ୍ଲାରେ ଭୟର ବାତାବରଣ ଖେଳିଯାଇଛି । ନଦୀରେ ଏତେ ଶବ ଆସିଲା କେଉଁଠୁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନଦୀରେ ଏତେ ସଂଖ୍ୟକ ମୃତଦେହ ଦେଖିବା ପରେ ଗାଁରେ ଭୟ ଖେଳିଯାଇଥିବା ବେଳେ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ନଦୀରେ ଡଜନେରୁ ଅଧିକ ଶବ ଭାସୁଥିବାର ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲା।

ହମିରପୁର ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି, କାନପୁର ଏବଂ ହମିରପୁର ଗ୍ରାମାଞ୍ଚଳରେ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଉଛନ୍ତି। ଏହି ସବୁ ମୃତଦେହକୁ ଗାଁ ଲୋକେ ନଦୀରେ ଭସାଇ ଦେଉଛନ୍ତି। ଯମୁନା ନଦୀର ଉତ୍ତର ପାର୍ଶ୍ବ କାନପୁର ଏବଂ ଦକ୍ଷିଣ ପାର୍ଶ୍ବ ହମିରପୁର ଦେଇ ପ୍ରବାହିତ ହେଉଛି। ଦୁଇ ଗାଁର ସୀମା ରେଖା ଦେଇ ଯମୁନା ନଦୀ ଯାଇଛି ବୋଲି ପୋଲିସ କହିଛି ।

ତେବେ ଏହି ଦୁଇ ଗାଁର ଲୋକେ ମୃତଦେହକୁ ଯମୁନା ନଦୀରେ ଭସାଇ ଦିଅନ୍ତି। କାରଣ ସେମାନେ ଏହାକୁ ପରମ୍ପରା ବୋଲି ମାନିଆସିଛନ୍ତି। ୧-୨ ଶବ ପ୍ରାୟ ପ୍ରତିଦିନ ଦେଖିବାକୁ ମିଳେ। କିନ୍ତୁ କରୋନା ସମୟରେ ମୃତଦେହର ବନ୍ୟା ଆସିଥିବା ଭଳି ମନେ ହେଉଛି। ଯାହା​‌ ସ୍ପଷ୍ଟ କରୁଛି ଗ୍ରାମାଞ୍ଚଳରେ କେତେ ସଂଖ୍ୟକ ଲୋକେ ପ୍ରାଣ ହରାଉଛନ୍ତି। ଅନ୍ୟପଟେ କରୋନା ଭୟରେ ଲୋକେ ଶବଦାହ ନକରି ନଦୀରେ ଭସାଇ ଦେଉଛନ୍ତି। ତେଣୁ ଯମୁନା ନଦୀରେ ଶବ ସଂଖ୍ୟା ବୃଦ୍ଧି ପାଉଛି ବୋଲି ମଧ୍ୟ ପୋଲିସ କହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.