ଭୁବନେଶ୍ଵର ୨୬।୫: ଅଧିକ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ସାମୁଦ୍ରିକ ଝଡ 'ୟାସ୍' । ତୀବ୍ର ବେଗରେ ଓଡିଶା ଉପକୂଳ ଆଡକୁ ମାଡିଆସୁଛି ବାତ୍ୟା 'ୟାସ୍' । ବର୍ତ୍ତମାନ ଭଦ୍ରକର ଧାମରାରୁ ୪୦ କି.ମି. ଦୂରରେ ବାତ୍ୟା ରହିଛି । ସେହିପରି ବାଲେଶ୍ବର ଓ ପଶ୍ଚିମବଙ୍ଗର ଦୀଘାଠୁ ୯୦ କି.ମି. ଦୂରରେ ରହିଛି 'ୟାସ୍' । ବାତ୍ୟା 'ୟାସ୍' ଧାମରା-ବାଲେଶ୍ବର ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । 'ୟାସ୍'କୁ ନେଇ ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏଭଳି ସୂଚନା ଦେଇଛନ୍ତି ।
ବାତ୍ୟା 'ୟାସ୍' ଧାମରାଠାରୁ ୪୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି । ଘଣ୍ଟା ପ୍ରତି ୧୫ କି.ମି. ବେଗରେ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଏହି ଗତିରେ ଯାଇ ବୁଧବାର ମଧ୍ୟାହ୍ନ ସୁଦ୍ଧା ଓଡିଶା ଉପକୂଳ ଅତିକ୍ରମ କରିବ । ଧାମରାର ଉତ୍ତରକୁ ଏବଂ ବାଲେଶ୍ବରର ଦକ୍ଷିଣକୁ ଅର୍ଥାତ୍ ବାହାନଗା, ବାସୁଦେବପୁର, ସୋର ଅଞ୍ଚଳକୁ ଏହାର କେନ୍ଦ୍ରାଞ୍ଚଳ ଯାଇପାରେ ବୋଲି ଆକଳନ କରାଯାଉଛି । କେନ୍ଦ୍ରାଞ୍ଚଳରେ ୧୩୦ କି.ମି.ରୁ ୧୪୦ କି.ମି. ପ୍ରତି ଘଣ୍ଟା ପବନର ବେଗ ରହିବ । ଏହି ବେଗରେ ଏହା ଉପକୂଳ ଅତିକ୍ରମ କରିବ । ଏହାଠାରୁ ଅଧିକ ପବନ ହେବ ନାହିଁ ବୋଲି ଆଇଏମ୍ଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଅତି ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ୟାସ୍’ର ଆଖିର ବ୍ୟାସାର୍ଦ୍ଧ ରହିଛି ୩୫ କିଲୋମିଟର । ଲ୍ୟାଣ୍ଡଫଲ୍ ବେଳେ ୧୩୦ରୁ ୧୫୫ କି.ମି. ବେଗରେ ପବନ ବହିପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଭଦ୍ରକ ଏବଂ ବାଲେଶ୍ବରରେ ୪ ମିଟର ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରହିଛି ।