ପ୍ରଭାବିତଙ୍କ ଖାତାକୁ ଯିବ ସହାୟତା ରାଶି, ମମତା କହିଲେ- ପଶ୍ଚିମବଙ୍ଗରେ ବାତ୍ୟା ‘ୟାସ୍‌’ ଯୋଗୁଁ ହୋଇଛି ୧୫ ହଜାର କୋଟି ଟଙ୍କାର କ୍ଷତି

Published By : Prameya-News7 Bureau | May 27, 2021 IST

କୋଲକାତା ୨୭/୫: ଚାଲିଯାଇଛି ବାତ୍ୟା ‘ୟାସ୍‌’। ଏବେ କ୍ଷୟକ୍ଷତି ଆକଳନର ସମୟ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି। ଆକାଶମାର୍ଗରୁ ବାତ୍ୟା କ୍ଷୟକ୍ଷତିର ଆକଳନ କରିବେ। ଏହା ସହ ସହାୟତା ପ୍ୟାକେଜ୍‌ ମଧ୍ୟ ଘୋଷଣା କରିପାରନ୍ତି। ବାତ୍ୟା ଓଡ଼ିଶା ପ୍ରତି ବିଦପ ସୃଷ୍ଟି କରିବା ସହ ବାଲେଶ୍ବର ପାଖାପାଖି ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରିଥିଲା। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ାରେ ବାତ୍ୟା ଯୋଗୁ କ୍ଷତି ହୋଇଥିବା ନେଇ ଆକଳନ ଚାଲିଛି।

କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାତ୍ୟା ଲ୍ୟାଣ୍ଡଫଲ୍‌ କରିବା ଦିନ ହିଁ କ୍ଷୟକ୍ଷତିର ଆକଳନ କରିନେଇଛନ୍ତି। ବୁଧବାର ଏକ ରିପୋର୍ଟ ଦେଇଥିବା ବେଳେ ଗୁରୁବାର କହିଛନ୍ତି ରାଜ୍ୟରେ ୧୫ ହଜାର କୋଟିର ସମ୍ପତ୍ତି ନଷ୍ଟ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଉଦ୍ଧାର କାର୍ଯ୍ୟ ପାଇଁ ହଜାରେ କୋଟିର ପ୍ୟାକେଜ୍‌ ଘୋଷଣା କରିଛନ୍ତି ମମତା। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଏବେ ଯାଏ ଆକଳନ ଅନୁସାରେ ୧୫ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ଏହା ପ୍ରାଥମିକ ଆକଳନ। ଗୁରୁବାର କିଛି ଜିଲ୍ଲାରେ ଜୋରଦାର ପବନ ନେଇ ସୂଚନା ମିଳିଛି। ଯାହାଦ୍ବାରା ଅନେକ ଘର ଭାଙ୍ଗିଥିବା ଜଣାପଡ଼ିଛି। ବଜ୍ରପାତ ଯୋଗୁ  ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।’

ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି, ‘ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଆମକୁ ପର୍ଯ୍ୟାପ୍ତ ସର୍ଭେ କରିବା ଜରୁରୀ। ଏଥିପାଇଁ ଆମେ ଏକ ପ୍ରୋଜେକ୍ଟ ‘ଦୁଆରେ ତ୍ରାନ୍‌’ (ଘରେ ସୁରକ୍ଷା) ଆରମ୍ଭ କରିବୁ। ୩ ଜୁନ୍‌ ଏବଂ ୧୮ ଜୁନ୍‌ ପର୍ଯ୍ୟନ୍ତ ଗାଁରେ କ୍ୟାମ୍ପ ଲାଗିବ। ସେଠାରେ ଲୋକେ ଘର ଏବଂ ଶସ୍ୟ କ୍ଷତିକୁ ନେଇ ସୂଚନା ଦେବେ। ୧୯ ଜୁନ୍‌ରୁ ୩୦ ଜୁନ ପର୍ଯ୍ୟନ୍ତ ଯାଞ୍ଚ ହେବ। ୧ରୁ ୮ ଜୁଲାଇ ମଧ୍ୟରେ ପ୍ରଭାବିତ ଲୋକଙ୍କ ବ୍ୟାଙ୍କ ଖାତାକୁ ସହାୟତା ରାଶି ପ୍ରଦାନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.