ମେଡିକାଲ କଲେଜରେ ଶବର କରାଗଲା ୧୦ଟି ଏକ୍ସରେ : ନିଲମ୍ବିତ ହୋଇପାରନ୍ତି ଡାକ୍ତରଙ୍କ ସମେତ ୧୧ ଜଣ

Published By : Prameya-News7 Bureau | June 25, 2019 IST

ମେରଠ ୨୫/୬ : ମେରଠ ଏଲଏଲଆରଏମ ମେଡିକାଲ କଲେଜରେ ଏକ ଶବର ୧୦ ଥର ଏକ୍ସରେ କରାଯାଇଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଘଟଣା ପରେ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମାମଲା ସମ୍ପର୍କରେ ମେଡିକାଲ କଲେଜର ଅଧ୍ୟକ୍ଷ ଡ.ଆର ସି ଗୁପ୍ତା କାଜୁଆଲଟି ମେଡିକାଲ ଅଫିସର, ଜୁନିଅର ଡାକ୍ତର ଏବଂ ଅନ୍ୟ କର୍ମଚାରୀଙ୍କ ସମେତ ୧୧ ଜଣଙ୍କୁ ରିପୋର୍ଟ ମାଗିଛନ୍ତି ।

ଜୁନ ୨୦ ତାରିଖରେ ମେଡିକାଲ ଥାନା ଅନ୍ତର୍ଗତ ଜାଗୃତି ବିହାର ସେକ୍ଟର-୭ ରେ ଜଣେ ବ୍ୟକ୍ତି ଦ୍ରୁତ ଗତିରେ କାର ଚଳାଉଥିଲେ । ସେ ଅନେକ ଗାଡିକୁ ଧକ୍କା ମାରିଥିଲେ । ଦୁର୍ଘଟଣାରେ ଜଣେ ରିକ୍ସା ଚାଳକ ଆହତ ହୋଇଥିଲେ । ରିକ୍ସା ଚାଳକଙ୍କୁ ମେଡିକାଲ କଲେଜ ହସ୍ପିଟାଲର ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହି ରିକ୍ସା ଚାଳକଙ୍କ ଶବର ଏକ୍ସରେ କରାଯାଇଥିଲା । ମୃତ ରିକ୍ସା ଚାଳକ ହେଲେ ଅଖତର । ମୃତ୍ୟୁ ପରେ ଏକ୍ସରେ କରାଇବା ଘଟଣାରେ ଏମେର୍ଜେନ୍ସି ୱାର୍ଡରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ଶବର ୧୦ଟି ଏକ୍ସରେ କରାଯାଇଥିବା ଜଣେ ଟେକନିସିଆନ ରେଡିଓଲୋଜି ବିଭାଗ ଡାକ୍ତରଙ୍କୁ ସୂଚନା ଦେଇଥିଲେ । ରେଡିଓଲୋଜି ବିଭାଗ ଡାକ୍ତର ଘଟଣା ସମ୍ପର୍କରେ ମେଡିକାଲ କଲେଜ ଅଧ୍ୟକ୍ଷ ଡ.ଆର ସି ଗୁପ୍ତାଙ୍କୁ ଅବଗତ କରାଇଥିଲେ ।

ଅଧ୍ୟକ୍ଷ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି । ଇଏମଓ, ଅର୍ଥୋପେଡ଼ିକ ବିଭାଗ ସହ ଜଡିତ ଜେଆର-୧ ଠାରୁ ଆରମ୍ଭ କରି ଜେଆର-୩ ଯାଏଁ ଏବଂ ସର୍ଜରୀ ବିଭାଗର ୫ଜଣଙ୍କୁ ଏ ସମ୍ପର୍କରେ ଲିଖିତ ଜବାବ ମାଗିଛନ୍ତି । ଘଟଣାକୁ ଚାପି ଦିଆଯାଇଥିଲା । କିନ୍ତୁ କୌଣସି ପ୍ରକାରେ ମାମଲା ସାମ୍ନାକୁ ଆସିଥିଲା ।

{"id":127177}

ଅଧ୍ୟକ୍ଷ ଆର ସି ଗୁପ୍ତା କହିଛନ୍ତି ଯେ, ରିକ୍ସା ଚାଳକଙ୍କୁ ପ୍ରଥମବର୍ଷ ଜୁନିୟର ରେସିଡେଣ୍ଟ ଡାକ୍ତର ଆଟେଣ୍ଡ କରିଥିଲେ । ତାଙ୍କ ଶରୀରରେ ଅନେକ ଜାଗାରେ ଫ୍ରାକ୍ଚର ଥିଲା । ସେ ନିଜେ ଘଟଣାର ତଦନ୍ତ କରିଛନ୍ତି ବୋଲି କହିଛନ୍ତି । ରିକ୍ସା ଚାଳକଙ୍କ ଅନେକଗୁଡାଏ ଏକ୍ସରେ କରାଯାଇଛି । କିନ୍ତୁ ଏଥିରେ ଡାକ୍ତର ଏବଂ ଅନ୍ୟ ଷ୍ଟାଫଙ୍କ ମନୋଭାବ ଖରାପ ନଥିଲା ବୋଲି କହିଛନ୍ତି ଅଧ୍ୟକ୍ଷ । ତେବେ ଅଖତରଙ୍କ ମୃତ୍ୟୁ ହୋଇଛି ନା ନାହିଁ ସେନେଇ ସର୍ଜରୀ ଏବଂ ଅର୍ଥୋପେଡ଼ିକ ଡାକ୍ତର ସନ୍ଦେହରେ ଥିଲେ । ଅର୍ଥୋପେଡ଼ିକ ଡାକ୍ତର କହିଥିଲେ ଯେ, ଛାତିରେ ଫ୍ରାକ୍ଚର ହେଲେ ମୃତ୍ୟୁ ହୋଇପାରିବ ନାହିଁ । ଏପଟେ କିନ୍ତୁ ସର୍ଜରୀ ବିଭାଗ ଡାକ୍ତର କହିଥିଲେ ଛାତିରେ ଫ୍ରାକ୍ଚର ହେଲେ ହିଁ ମୃତ୍ୟୁ ହେବ । ତେବେ ଅଖତରଙ୍କ ୧୦ଟି ଏକ୍ସରେ କରାଇବା ପୂର୍ବରୁ ସେମାନେ ଅଧ୍ୟକ୍ଷଙ୍କ ଅନୁମତି ନେବା ଉଚିତ ଥିଲେ ବୋଲି ସେ କହିଛନ୍ତି । ସେଥିପାଇଁ ଏହି ମାମଲାକୁ ଗମ୍ଭୀରତାର ସହ ଚିନ୍ତା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡା.ଆର ସି ଗୁପ୍ତା ।

ତେବେ ଏହି ମାମଲାରେ ଯେଉଁ ଜୁନିୟର ଡାକ୍ତର ଏବଂ ଅନ୍ୟ ଷ୍ଟାଫଙ୍କୁ ଜବାବ ମଗାଯାଇଛି ସେମାନେ ନିଲମ୍ବିତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.