ଚୀନ୍‌ରେ ବିରୋଧୀଙ୍କୁ ରାସ୍ତାରୁ ହଟାଉଛନ୍ତି ସି ଜିନପିଙ୍ଗ୍ ! ଆସିଲା ବିସ୍ଫୋରକ ରିପୋର୍ଟ

Published By : Prameya-News7 Bureau | September 05, 2020 IST

ବେଜିଂ ୫।୯: ପଡୋଶୀ ଦେଶମାନଙ୍କ ସହ ଚୀନ୍‌ର ସମ୍ପର୍କ ଏବେ ପ୍ରାୟ ଖରାପ। ତେବେ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ନେଇ ଯେଉଁ ତଥ୍ୟ ମିଳୁଛି ସେଥିରେ ଯେ କେହିବି ଆଶ୍ଚର୍ଯ୍ୟ ହେବା ନିଶ୍ଚିତ। କେବଳ ପଡୋଶୀ ନୁହନ୍ତି ଦେଶରେ ବିରୋଧୀଙ୍କୁ ରାସ୍ତାରୁ ହଟାଇବାକୁ ଜିନ୍‌ପିଙ୍ଗ ଗୁପ୍ତ ଅଭିଯାନ ଚଳାଇଥିବାର ଜଣାପଡିଛି। ଯେଉଁଥିରେ ସେ ନିଜ ଦଳର ଅନେକ କ୍ୟାଡରଙ୍କ ଲାଗି ମଧ୍ୟ ବିପଦର କାରଣ ହୋଇଗଲେଣି। 

ଦେଶରେ ଦୁର୍ନୀତି ଉନ୍ମୋଳନ କାର୍ଯ୍ୟକ୍ରମ ନାମରେ ଜିନ୍‌ପିଙ୍ଗ ଏହି ଅଭିଯାନ ହାତକୁ ନେଇଥିବା ବେଳେ ଯେଉଁ ନେତାଙ୍କ ପଟରୁ ତାଙ୍କ ପ୍ରତି ବିପଦ ଆଶଙ୍କା ରହୁଛି ତାଙ୍କୁ ସିଧା ରାସ୍ତାରୁ ହଟାଇ ଦେଉଛନ୍ତି। ଏଥିରେ ଚୀନ୍‌ କମ୍ୟୁନିଷ୍ଟ ପାର୍ଟିର ପ୍ରଭାବଶାଳୀ ସଦସ୍ୟ ଓ ସରକାରୀ ଅଧିକାରୀ ଜିନ୍‌ପିଙ୍ଗଙ୍କ କାର୍ଯ୍ୟକ୍ରମକୁ ସଫଳ କରିବାରେ ଲାଗିପଡିଛନ୍ତି। ଚୀନ୍‌ରେ ଜିନପିଙ୍ଗ ବିରୋଧୀଙ୍କ ସଫେଇ ସମ୍ପର୍କରେ ଆମେରିକୀୟ ଗଣମାଧ୍ୟମ ‘ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ’ରେ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବା ପରେ ଘଟଣା ସାମ୍ନାକୁ ଆସିଛି।

{"id":325307,"width":579,"height":302,"sizeSlug":"large"}

ରିପୋର୍ଟ ଅନୁସାରେ ଗତ ଜୁଲାଇ ୮ ତାରିଖରେ ଅନୁଷ୍ଠିତ ସେଣ୍ଟ୍ରାଲ ପଲିଟିକାଲ ଏଣ୍ଡ ଲିଗାଲ କମିଶନ ବୈଠକରେ ସିଙ୍କ ସହଯୋଗୀ ଚେନ୍‌ ୟେକ୍ସିନ୍‌ 'ୟାନ୍‌ ରେକ୍ଟିଫିକେସନ ମୁଭମେଣ୍ଟ' ଶୈଳୀରେ ସଫେଇ ଅଭିଯାନ ନେଇ କହିଥିଲେ। ତାଙ୍କ ଅଭିଭାଷଣର ମାସଟିଏ ବି ଯାଇନି ଅଗଷ୍ଟ ମାସରେ ପୋଲିସ ଓ ବିଚାର ବିଭାଗରେ ଯାଞ୍ଚ କରାଯାଇ ଅନେକ ଅଧିକାରୀ ଓ ବିଚାରପତିଙ୍କୁ ଚାକିରୀରୁ ବହିଷ୍କାର କରିଦିଆଯାଇଛି। ତେବେ ପାର୍ଟିର ଏହି ନୀତି ଯୋଗୁ ଦଳର ଲକ୍ଷଲକ୍ଷ କ୍ୟାଡର ଏବେ ବିପଦରେ ପଡି ଯାଇଥିବା ଆଶଙ୍କା କରାଯାଉଛି।

ଚୀନ୍‌ରେ ୟାନ୍‌ ରେକ୍ଟିଫିକେସନ ମୁଭମେଣ୍ଟ ନୂଆ ନୁହେଁ। ୧୯୪୨ରୁ ୪୫ ମସିହା ପର୍ଯ୍ୟନ୍ତ ଦେଶରେ ଏହି ଆନ୍ଦୋଳନ ଚଳାଯାଇଥିଲା। ଏଥିରେ ଲୋକଙ୍କ ଉପରେ ଆଧୁନିକ ଚୀନର ନିର୍ମାତା ମାଓ ସେ ତୁଙ୍ଗଙ୍କ ବିଚାର ଥୋପି ଦିଆଯାଇଥିଲା। ଯେଉଁମାନେ ଏହାକୁ ବିରୋଧ କରିଥିଲେ ସେମାନଙ୍କୁ ନିଷ୍କାସନ ଅଥବା ଯାତନା  କିମ୍ବା ମୃତ୍ୟୁ ଦଣ୍ଡ ଦିଆଯାଇଥିବା ଆଶଙ୍କା କରାଯାଉଛି। ଏହା ଏକ ନିଜସ୍ୱ ଶୈଳୀର ବିଚାରଗତ ଆନ୍ଦୋଳନ ଥିଲା ଓ ଅନେକ ଧନଜୀବନ ହାନୀ ହୋଇଥିଲା। ଏବେ ଜିନପିଙ୍ଗ ଭ୍ରଷ୍ଟାଚାର ନାମରେ ନିଜ ବିରୋଧୀଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି।

{"id":325309,"width":581,"height":402,"sizeSlug":"large"}

କରୋନା ଭାଇରସ ମହାମାରୀ ଲାଗି ଚୀନ୍‌ ଏବେ ବିଶ୍ୱରେ ଅପଦସ୍ତ ହେଉଛି। ଏଥିରେ ବିଭିନ୍ନ ଦେଶଙ୍କ ସହ ଚୀନ୍‌ର ବିବାଦ ମଧ୍ୟ ବଢିବାରେ ଲାଗିଲାଣି। ଏଥିରେ ଦେଶ ଭିତରେ ମଧ୍ୟ ରାଷ୍ଟ୍ରପତି ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ନିଜ ଦଳରେ ସେ ଘେରି ଯାଇଥିବା ବେଳେ ବିରୋଧୀଙ୍କୁ ବାଛି ବାଛି ରାସ୍ତାରୁ ହଟାଇବାରେ ଲାଗିଥିବା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.