LACରେ ଜିନପିଙ୍ଗଙ୍କ ରଣନୀତି ଫ୍ଲପ୍, ଭାରତର ସ୍ଥିତି ମଜଭୁତ ସ୍ୱୀକାର କଲେ ଚୀନ୍ ଏକ୍ସପର୍ଟ

Published By : Prameya-News7 Bureau | September 14, 2020 IST

ନୂଆଦିଲ୍ଲୀ ୧୪।୯: ଲଦ୍ଦାଖ ସମେତ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚୀନ୍‌ର ଦୁର୍ବଳତା ଓ ଭାରତର ମଜଭୁତ ସ୍ଥିତିକୁ ଚୀନ୍‌ ରକ୍ଷା ବିଶେଷଜ୍ଞ ମଧ୍ୟ ସ୍ୱୀକାର କରିଛନ୍ତି। ଆମେରିକୀୟ ପତ୍ରିକା ‘ନ୍ୟୁଜ୍‌ ୱିକ୍‌’ରେ ପ୍ରକାଶିକ ଏକ ଆଲେଖ୍ୟରେ ଚୀନ୍‌ ରକ୍ଷା ବିଶେଷଜ୍ଞ ଗର୍ଡନ ଜି ଚାଙ୍ଗ ଭାରତକୁ ଘେରିବା ଲାଗି ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ରଣନୀତି ଦୁର୍ବଳ ହେଉଥିବା ଦେଖାଯାଉଥିବା ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ଗଲୱାନ ପରିସ୍ଥିତିରୁ ପାଇଥିବା ଶିକ୍ଷା ଭାରତ ପାଇଁ ବେଶ ଉପାଦେୟ ହେଉଥିବା ସେ ଲେଖିଛନ୍ତି।

ଚୀନ୍‌ ରଣନୀତି ଉପରେ ଚାଙ୍ଗ ଦୃଷ୍ଟି ରଖନ୍ତି ଓ ସରକାରଙ୍କ କାର୍ଯ୍ୟପ୍ରଣାଳୀକୁ ମଧ୍ୟ ସେ ଉତ୍ତମ ରୂପେ ବୁଝନ୍ତି। ଏଥିରୁ ଚାଙ୍ଗଙ୍କ ଆଲେଖ୍ୟ ଭାରତକୁ ନେଇ ଚୀନ୍‌ର ନଜର ସ୍ପଷ୍ଟ ହୋଇଯାଇଛି। ଚାଙ୍ଗ ତାଙ୍କ ସ୍ତମ୍ବରେ ଭାରତ ବିରୋଧରେ ଚୀନ୍‌ ସୈନ୍ୟଙ୍କ ଏପରି ଆକ୍ରମକତାର ମୁଖ୍ୟ ସୂତ୍ରଧର ସି ଜିନପିଙ୍ଗ ବୋଲି କହିଥିବା ବେଳେ ଏଲଏସିରେ ତାଙ୍କର ପ୍ୟୁପିଲସ ଲିବରେସନ ଆର୍ମି ଶୋଚନୀୟ ବିଫଳ ହୋଇଥିବା ଉଲ୍ଲେଖ କରିଛନ୍ତି।

ତେବେ ଭାରତୀୟ ସୀମାରେ ଚୀନ୍‌ ଅସଫଳତାର ଦୁସ୍ପରିଣାମ ମଧ୍ୟ ନିକଟ ଭବିଷ୍ୟତରେ ଆସିବାକୁ ଲାଗିବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ଯେଉଁଥିରେ ଚୀନ୍‌ ସେନା ଭାରତୀୟ ସୁରକ୍ଷା ଚୌକିକୁ ଟାର୍ଗେଟ କରିପାରନ୍ତି ବୋଲି ସେ ଆଶଙ୍କା କରୁଛନ୍ତି। ଏଥିରେ ବିବାଦୀୟ କ୍ଷେତ୍ରରେ ଅନୁପ୍ରବେଶ କରିବା ଚୀନ୍‌ର ପୁରୁଣା ଅଭ୍ୟାସ ବୋଲି ସେ ଉଲ୍ଲେଖ କରିଥିବା ବେଳେ ୧୯୬୨ ଯୁଦ୍ଧରେ ପରାସ୍ତ ଭାରତୀୟ ସୈନିକ ଓ ରାଜନେତା ମନୋବୈଜ୍ଞାନିକ ଚାପରେ ଥିବା ଚୀନ୍‌ ଭାବୁଛି। ହେଲେ ଭାରତକୁ ନେଇ ଥିବା ଚୀନ୍‌ର ଏହି ଦୁର୍ଭାବନା ଦୂର ନ ହେଲେ ଏଥିଲାଗି ହୁଏତ ପଶ୍ଚାତାପ କରିବାକୁ ପଡିପାରେ ବୋଲି ଲେଖକ ଚେତାଇ ଦେଇଛନ୍ତି।

କୁହାଯାଉଛି ଗଲୱାନ ଘାଟି କାଣ୍ଡରେ ଚୀନ୍‌ର ୪୩ ଜଣ ସୈନିକ ଓ ଅଧିକାରୀ ପ୍ରାଣ ହରାଇଛନ୍ତି। ତେବେ ଫାଉଣ୍ଡେସନ ଫର ଡିଫେନ୍ସ ଅଫ ଡ୍ମୋକ୍ରେଟିଜ୍‌ର ସିଇଓ କ୍ଲେୟୋ ପାସ୍କଲ ଏହି ସଂଖ୍ୟା କାହିଁକି ୬୦ ନୁହେଁ ବୋଲି ଓଲଟି ପ୍ରଶ୍ନ କରିଛନ୍ତି। ତେବେ ଭାରତକୁ ନେଇ ଚୀନ ଗୁରୁତର ବିଫଳ ହୋଇଥିବା ବେଳେ ଭାରତର ରଣନୀତି ଚୀନ୍‌କୁ ସବୁ ରାସ୍ତାରେ ଏବେ ଛକି ସାରିଥିବା ବିଶେଷଜ୍ଞମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.