ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ ସି ଜିନପିଙ୍ଗ୍ ! କରୋନା ସଂକ୍ରମଣ ରୋକିବାରେ ବିଫଳ ହେବାରୁ ନେଇପାରନ୍ତି ଏହି ନିଷ୍ପତ୍ତି
14/09/2020 at 2:47 PM

ବେଜିଂ, ୧୪|୦୯ : କରୋନା ଭାଇରସ ପାଇଁ ନିଜକୁ ଦାୟୀ କରୁଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ । ଏଥି ପାଇଁ ସେ ନିଜ ଆସନ ମଧ୍ୟ ତ୍ୟାଗ କରିବା କଥା ଚିନ୍ତା କରୁଛନ୍ତି । କରୋନା ସଂକ୍ରମଣ ପରିଚାଳନାରେ ତ୍ରୁଟି ପାଇଁ ନିଜକୁ ଦାୟୀ କରି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ନିଜ ପଦରୁ ଇସ୍ତଫା ଦେଇପାରନ୍ତି । ସେ ଆସନ୍ତା ନଭେମ୍ବର ମାସରେ ନିଜ ପଦ ତ୍ୟାଗ କରିପାରନ୍ତି ବୋଲି ବ୍ରିଟେନର ଜଣେ ପ୍ରମୁଖ ପ୍ରତିରକ୍ଷା ବିଶେଷଜ୍ଞ ନିକୋଲାସ ଡ୍ରମଣ୍ଡ ଆକଳନ କରିଛନ୍ତି ।
ନିକୋଲାସଙ୍କ କହିବାନୁସାରେ, କରୋନା ଯଦି ଆଜି ବିଶ୍ୱରେ ମହାମାରୀ ରୂପ ନେଇଛି, ସେଥିପାଇଁ କେବଳ ଚୀନ୍ ଏବଂ ଜିନପିଙ୍ଗଙ୍କ ସରକାର ଦାୟୀ । ସେମାନଙ୍କୁ ଗତ ବର୍ଷ ନଭେମ୍ବର ମାସ ସୁଦ୍ଧା ଦେଶରେ କରୋନା ଭାଇରସ ବ୍ୟାପୁଛି ବୋଲି ଜଣାଥିଲା । ମାତ୍ର ଜିନ୍ପିଙ୍ଗ ସରକାର ଦୁଇ ମାସ ଯାଏଁ ତାହାକୁ ଲୁଚାଇଥିଲେ । ଏହାଯୋଗୁ କରୋନା ସମଗ୍ର ବିଶ୍ୱକୁ ବ୍ୟାପିଯାଇଥିଲା । ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ୯ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି । ସେହିପରି ଚୀନ୍ର ଏକ ଲାବ୍ରୁ କରୋନା ଭାଇରସ ଲିକ୍ ହୋଇଥିବାର ବି ସନ୍ଦେହ କରାଯାଉଛି ।
କରୋନା ସଂକ୍ରମଣ ପଛରେ ଚୀନ୍ର ଭୂମିକାର ଯାଞ୍ଚ କରିବା ପାଇଁ ଅଷ୍ଟ୍ରେଲିଆ ଜୋରଦାର ଦାବି କରିଥିଲା । ଚୀନ୍ ଏହାକୁ ନେଇ ତା’ ଉପରେ କ୍ଷୁବ୍ଧ ହୋଇଥିଲା । କିନ୍ତୁ ପରେ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ୧୩୦ରୁ ଉଦ୍ଧ୍ୱର୍ ଦେଶ ଏସମ୍ପର୍କିତ ପ୍ରସ୍ତାବକୁ ସମର୍ଥନ କରିଥିଲେ । ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଏହାର ଯାଞ୍ଚ ପାଇଁ ଏକ ନିରପେକ୍ଷ କମିଟି ଗଠନ କରାଯାଇଥିଲା । ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ହେଲେନ କ୍ଲାକ୍ ଏବଂ ଲାଇବେରିଆର ପୂର୍ବତନ ରାଷ୍ଟ୍ରପତି ଏଲେନ ଜନସନ ସାରଲିଫ୍ ଏହାର ସଦସ୍ୟ ଅଛନ୍ତି । ଏହି କମିଟି ଆସନ୍ତା ନଭେମ୍ବର ମାସରେ ଏହାର ରିପୋର୍ଟ ଦେବାର ଅଛି । ଯଦି ସେଥିରେ କରୋନା ସଂକ୍ରମଣ ପାଇଁ ଚୀନକୁ ଦାୟୀ କରାଯାଏ, ତାହାହେଲେ ସିଏ ଆନ୍ତର୍ଜାତିକ ସ୍ତରରେ ପ୍ରବଳ ବିରୋଧର ସମ୍ମୁଖୀନ ହେବ । ତେଣୁ ଚୀନ୍ ଉପରେ ଚାପ କମାଇବା ପାଇଁ ରାଷ୍ଟ୍ରପତି ଜିନ୍ପିଙ୍ଗ ନିଜ ପଦ ତ୍ୟାଗ କରିବାକୁ ଚିନ୍ତା କରିପାରନ୍ତି ।