ଚୀନ୍‌ କମ୍ପାନୀଙ୍କୁ ବ୍ଲାକ୍‌ ଲିଷ୍ଟ୍‌ରେ ପକାଇଲା ଆମେରିକା, ଡ୍ରାଗନ୍‌ କହିଲା ଦିଆଯିବ ଉଚିତ୍‌ ଜବାବ

Published By : Prameya-News7 Bureau | July 12, 2021 IST

ବେଜିଂ, ୧୨/୦୭: କରୋନା ଏବଂ ବିଭିନ୍ନ ବିବାଦକୁ ନେଇ ବିଶ୍ୱ ସମୁଦାୟର ଟାର୍ଗେଟ୍‌ରେ ଥିବା ଚୀନ୍‌କୁ ଏବେ ଆଉ ଏକ ଝଟ୍‌କା ଲାଗିଛି । ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଚୀନ୍‌ର କିଛି କମ୍ପାନୀଙ୍କୁ କଳା ତାଲିକାଭୁକ୍ତ କରିଛି । ଯାହାକୁ ନେଇ ଚୀନ୍‌ ବିଳିବିଳେଉଛି ।

ରବିବାର ଚୀନ୍‌ କହିଛି ଯେ, ଉଇଗର୍‌ ସମୁଦାୟ ଏବଂ ଅନ୍ୟ ଜାତୀୟ ସଂଖ୍ୟାଲଘୁଙ୍କ ସହିତ ଦୁର୍ବ୍ୟବହାରକୁ ନେଇ ଚୀନ୍‌ କମ୍ପାନୀଙ୍କୁ କଳା ତାଲିକାଭୁକ୍ତ କରିବା ଆମେରିକାକୁ ମହଙ୍ଗା ପଡ଼ିବ । ଏନେଇ ଚୀନ୍‌ ପକ୍ଷରୁ ଉଚିତ୍ ଜବାବ ଦିଆଯିବ । ଚୀନ୍‌ର ବାଣିଜ୍ୟ ମନ୍ତ୍ରଣାଳୟ ଏହି ଘଟଣାକୁ ନେଇ କହିଛି ଯେ, ଆମେରିକାର ଏହି ପଦକ୍ଷେପ ଚୀନ୍ର ଉଦ୍ୟୋଗକୁ ଅନୁଚିତ ଦମନ କରିବା ଏବଂ ଅନ୍ତରାଷ୍ଟ୍ରିୟ ଆର୍ଥିକ ଓ ବ୍ୟାପାର ନିୟମକୁ ଗମ୍ଭୀର ଭାବେ ଉଲଂଘନ କରିବା ସହିତ ସମାନ ।

ମନ୍ତ୍ରଣାଳୟ ଏକ ବୟାନରେ କହିଛି ଯେ, ଚୀନ୍‌ କମ୍ପାନୀର ବୈଧ ଅଧିକାରୀ ଏବଂ ସେମାନଙ୍କର ହିତ ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରାଯିବ । ଚୀନ୍‌ ନିଜର ସୁଦୂର ପଶ୍ଚିମାଞ୍ଚଳରେ ଥିବା ଉଇଗୁର ସମୁଦାୟର ଲୋକଙ୍କ ସହିତ ଚାପ ପ୍ରୟୋଗ କରି ଅଟକ ରଖିବା ଏବଂ ସେମାନଙ୍କ ସହିତ ବଳପୂର୍ବକ କାମ କରାଇବା ଅଭିଯୋଗକୁ ଖଣ୍ଡନ କରିଛି । ଏଥି ସହିତ ନିଜ କମ୍ପାନୀଗୁଡ଼ିକ ଉପରେ ଏବଂ ଅଧିକାରୀଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକର ଜବାବରେ ଚୀନ୍‌, ଭିସା ଏବଂ ବାଣିଜ୍ୟ ସମ୍ୱନ୍ଧୀୟ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଦେଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.