WTC Final: ଭାରତ ଓ ନ୍ୟୁଜିଲାଣ୍ଡ ଖେଳାଳି ଆଇସିସି ନିୟମରେ ଖପ୍ପା, କହିଲେ- ସମସ୍ତେ ଦେଖିବାକୁ ଚାହୁଁଥିଲେ ଗୋଟିଏ ଚମ୍ପିଆନ ଟିମ୍

Published By : Prameya-News7 Bureau | June 21, 2021 IST

ସାଉଥମ୍ପଟନ ୨୧।୦୬: ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍‌ ମୁକାବିଲାରେ ବର୍ଷା ବଡ ବାଧକ ସାଜିଛି। ଚତୁର୍ଥ ଦିନ ସୋମବାର ମଧ୍ୟ ପ୍ରଥମ ସେସନର ଖେଳ ହୋଇ ପାରିନାହିଁ। ସ୍ଥିତି ଯାହା ରହିଛି ପୂରା ଦିନର ଖେଳ ବାତିଲ୍ ହୋଇପାରେ। ପ୍ରଥମ ଦିନ ବର୍ଷା କାରଣରୁ ଟସ୍ ମଧ୍ୟ ହୋଇ ପାରିନଥିଲା। ଏ ପର୍ଯ୍ୟନ୍ତ ମ୍ୟାଚ୍‌ରେ କେବଳ ୧୪୧.୧ ଓଭର ଖେଳ ହୋଇ ପାରିଛି। ଭାରତୀୟ ଦଳ ପ୍ରଥମ ଇନିଂସରେ ୨୧୭ ରନରେ ଅଲଆଉଟ୍ ହେବା ପରେ ନ୍ୟୁଜିଲାଣ୍ଡ ତୃତୀୟ ଦିନର ଖେଳ ସୁଦ୍ଧା ୨ ଓ୍ଵିକେଟ୍ ହରାଇ ୧୦୧ ରନ କରିଛି। ଯଦି ବର୍ଷା କାରଣରୁ ମ୍ୟାଚ୍‌ର ପରିଣାମ ନଆସେ ତେବେ ଦୁଇ ଦଳକୁ ଯୁଗ୍ମ ବିଜେତା ଘୋଷିତ କରାଯିବ। ମାତ୍ର ଏଥିରେ ଅନେକ ପୂର୍ବତନ କ୍ରିକେଟ୍‌ ଖେଳାଳି ଖୁସି ନାହାନ୍ତି। ଆଇସିସି ନିୟମରେ ସେମାନେ ଖପ୍ପା।

ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ ଭିଭିଏସ ଲକ୍ଷ୍ମଣ ଷ୍ଟାର ସ୍ପୋର୍ଟ୍ସରେ କହିଛନ୍ତି, ଏହା ପ୍ରଶଂସକଙ୍କ ପାଇଁ ଦୁଃଖର ବିଷୟ। ବିଶ୍ଵ ଟେଷ୍ଟ ଚମ୍ପିଆନସିପରେ ଆଇସିସିର ନିୟମ ଠିକ୍ ଲାଗିଲା ନାହିଁ। ସମସ୍ତେ ଚାହୁଁଥିଲେ ଗୋଟିଏ ଚମ୍ପିଆନ୍ ଦଳ। ଏତେ ସମୟ ଅପେକ୍ଷା କରିବା ପରେ ଆଶା କରାଯାଉଥିଲା ୫ ଦିନ ଖେଳରେ ପ୍ରତି ଦିନ ୯୦ ଓଭର ହିସାବରେ ୪୫୦ ଓଭର  ଫିଙ୍ଗାଯିବ। ମୁଁ ଆଇସିସିଠୁ ଏହି ଆଶା ରଖିଥିଲି। ସମସ୍ତେ ଉତ୍ସାହିତ ଥିଲେ ଯେ, ରିଜର୍ଭ ଡରେ କିଛି ନା କିଛି ପରିଣାମ ଆସିବ। ହେଲେ ଏବେ ରିଜର୍ଭ ଡେରେ ଖେଳ ହେଲେ ବି ଆଉ ଫଳାଫଳ ଆସିବାର ଆଶା ଲାଗୁ ନାହିଁ ବୋଲି ଲକ୍ଷ୍ମଣ କହିଛନ୍ତି।

ଅନ୍ୟପଟେ ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର ସେନ ବଣ୍ଡ କହିଛନ୍ତି, ଦୁଇ ଦଳ ମ୍ୟାଚ୍ ଜିତିବା ପାଇଁ ଖେଳନ୍ତି। ପିଚ୍‌ରେ ବୋଲରଙ୍କ ପାଇଁ ବହୁତ କିଛି ଥିଲା। ଏମିତି ପରିବେଶରେ ୩ ରୁ ୪ ଦିନ ଖେଳ ହୋଇଥିଲେ ଫଳାଫଳ ଦେଖିବାକୁ ମିଳିଥାନ୍ତା। ବଣ୍ଡ କହିଛନ୍ତି, ମୁଁ ଭିଭିଏସ୍ ଲକ୍ଷ୍ମଣଙ୍କ କଥାରେ ସହମତ। ପ୍ରଶଂସକଙ୍କ ପରି ମୁଁ ମଧ୍ୟ ୪୫୦ ଓଭର ଏବଂ ଗୋଟିଏ ଶ୍ରେଷ୍ଠ ଦଳ ଦେଖିବାକୁ ଚାହୁଁଛି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର କହିଛନ୍ତି, ପରିଣାମ ଆସିବା ଜରୁରୀ ଥିଲା। ଯଦି ଭାରତୀୟ ଦଳ ନ୍ୟୁଜିଲାଣ୍ଡକକୁ ୧୫୦ ରୁ ୧୬୦ ରନର ବିଜୟ ଲକ୍ଷ୍ୟ ଦେଇଥାନ୍ତା ତେବେ ମଧ୍ୟ ଚତୁର୍ଥ ଇନିଂସରେ ଏହା ସହଜ ହୋଇନଥାନ୍ତା  ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.