WTC Final: ନ୍ୟୁଜିଲାଣ୍ଡ ୨୪୯ରେ ଅଲଆଉଟ୍, ମହମ୍ମଦ ସାମିଙ୍କୁ ୪ ଓ୍ଵିକେଟ୍, ୩୨ ରନରେ ଭାରତଠୁ ଆଗୁଆ କିଓ୍ଵି ଟିମ୍

Published By : Prameya-News7 Bureau | June 22, 2021 IST

ସାଉଥମ୍ପଟନ ୨୨।୦୬:  ଚତୁର୍ଥ ଦିନ ସଂପୂର୍ଣ୍ଣ ଖେଳ ବର୍ଷାରେ ଧୋଇ ହୋଇଯିବା ପରେ ପଞ୍ଚମ ଦିନରେ କ୍ରିକେଟ୍ ପ୍ରଶଂସକଙ୍କୁ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ୍ ମୁକାବିଲା ଦେଖିବାକୁ ମିଳିଛି। ମହମ୍ମଦ ସାମି ଓ ଇଶାନ୍ତ ଶର୍ମାଙ୍କ ଦମଦାର ବୋଲିଂ ଜରିଆରେ ଭାରତ ନ୍ୟୁଜିଲାଣ୍ଡ ଦଳକୁ ୨୪୯ ରନରେ ସୀମିତ ରଖି ପାରିଛି। ତଥାପି କିଓ୍ଵି ଦଳ ଭାରତଠୁ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୩୨ ରନରେ ଆଗୁଆ ରହିଛି। ଭାରତ ପ୍ରଥମ ଇନିଂସରେ ୨୧୭ ରନ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ଡେଭନ କନଓ୍ଵେଙ୍କ ୫୪ ଓ ଅଧିନାୟକ କେନ ଓ୍ଵିଲିୟମସନଙ୍କ ୪୯ ରନ ଜରିଆରେ ୨୪୯ ରନ କରିବାକୁ ସକ୍ଷମ  ହୋଇଛି।

ତୃତୀୟ ଦିନର ଅସମାପ୍ତ ଖେଳ ୨/୧୦୧ରୁ ନ୍ୟୁଜିଲାଣ୍ଡ ବ୍ୟାଟିଂ ଆରମ୍ଭ କରିଥିଲା। କ୍ରିଜରେ ଥିଲେ କେନ ଓ୍ଵିଲିୟମସନ(୧୨) ଓ ରସ ଟେଲର(୦)। ହେଲେ ଏହି ଯୋଡି ଅଧିକ ସମୟ ତିଷ୍ଠି ପାରିନଥିଲେ। ୧୧୭ ରନ ସ୍କୋରରେ ମହମ୍ମଦ ସାମି ଟେଲର(୧୧)ଙ୍କୁ ଆଉଟ୍ କରି ଭାରତକୁ ତୃତୀୟ ସଫଳତା ଦେଇଥିଲେ। ଦ୍ରୁତ ବୋଲରଙ୍କୁ ସୁହାଉଥିବା ପିଚ୍‌ରେ ଭାରତୀୟ ବୋଲର ମଧ୍ୟ ଶାଣିତ ବୋଲିଂ କରିଥିଲେ। ପ୍ରଥମ ସେସନରେ ଭାରତ ୩ ଓ୍ଵିକେଟ୍ ନେଇ ନ୍ୟୁଜିଲାଣ୍ଡ ରନ ଉପରେ ଅଙ୍କୁଶ ଲଗାଇଥିଲେ।

ଏହା ପରେ ୧୩୪ ରନ ସ୍କୋରରେ ହେନରି ନିକୋଲାସ(୧)ଙ୍କୁ ପାଭିଲିୟନ ପଠାଇଥିଲେ ଇଶାନ୍ତ ଶର୍ମା। ଏହାର ଗୋଟିଏ ରନ ସ୍କୋରରେ ବିଜେ ଓ୍ଵାଟଲିଙ୍ଗ୍‌(୧)ଙ୍କୁ  କ୍ଲିନ ବୋଲ୍ଡ କରି ନ୍ୟୁଜିଲାଣ୍ଡର ଅଧା ବ୍ୟାଟସମ୍ୟାନଙ୍କୁ ପାଭିଲିୟନ ପଠାଇଥିଲେ। ହେଲେ ଅନ୍ୟପଟୁ କ୍ରିଜରେ ଜମି ରହିଥିଲେ ଅଧିନାୟକ କେନ ଓ୍ଵିଲିୟମସନ। କୋଲିନ ଡି ଗ୍ରାଣ୍ଡହୋମ(୧୩)ଙ୍କୁ ସାମି ଆଉଟ୍ କରିଥିଲେ। କାଇଲ୍ ଜେମିସନ ଦ୍ରୁତ ବ୍ୟାଟିଂ କରି ୧୬ ବଲରୁ ୨୧ ରନ କରି ଆଉଟ୍ ହୋଇଥିଲେ। ୧୯୨ ରନରେ ୭ ଓ୍ଵିକେଟ୍ ହରାଇବା ପରେ ଲାଗୁଥିଲା କିଓ୍ଵି ଦଳ ୨୨୦ ଭିତରେ ସୀମିତ ରହିବେ। ଶେଷ ଆଡକୁ ଟିମ୍ ସାଉଦି ୩୦ ରନର ଉଲ୍ଲେଖନୀୟ ରନ କରିଥିଲେ। ଓ୍ଵିଲିୟମସନ ୪୯ ରନ କରି ଅଷ୍ଟମ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଥିଲେ। ଇଶାନ୍ତ ଶର୍ମା ଓ୍ଵିଲିୟମସନଙ୍କୁ ଆଉଟ୍ କରି ତୃତୀୟ ସଫଳତା ହାସଲ କରିଥିଲେ। ସାଉଦି(୩୦)ଙ୍କ ଆଉଟ୍ କରି  ଜାଡେଜା ନ୍ୟୁଜିଲାଣ୍ଡ  ଇନିଂସକୁ ୨୪୯ ରନରେ ସମାପ୍ତ କରିଥିଲେ।

ଭାରତ ପକ୍ଷରୁ ମହମ୍ମଦ ସାମି ୭୬ ରନ ଦେଇ ୪ ଓ୍ଵିକେଟ୍ ନେଇଥିବା ବେଳେ ଇଶାନ୍ତ ଶର୍ମା ୩ ଓ୍ଵିକେଟ୍ ନେଇଛନ୍ତି। ରବିଚନ୍ଦ୍ରନ ଅଶ୍ଵିନ ୨ ଏବଂ ରବୀନ୍ଦ୍ର ଜାଡେଜା ୧ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.