WTC Final: କାଇଲଙ୍କ ଘାତକ ବୋଲିଂରେ ଘାଇଲା ଭାରତ, ୨୧୭ ରନରେ ଅଲଆଉଟ୍ ବିରାଟ ବାହିନୀ

Published By : Prameya-News7 Bureau | June 20, 2021 IST

ସାଉଥମ୍ପଟନ ୨୦।୦୬: ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲାରେ ନିରାଶ କରିଛନ୍ତି ଭାରତୀୟ ବ୍ୟାଟସମ୍ୟାନ। ପ୍ରଥମ ଇନିଂସରେ କିଓ୍ଵି ବୋଲର କାଇଲ ଜେମିସନଙ୍କ ଘାତକ ବୋଲିଂର  ମୁକାବିଲା କରିନପାରି ଭାରତ ୨୧୭ ରନରେ ଅଲଆଉଟ୍ ହୋଇଛି। ଦ୍ଵିତୀୟ ଦିନରେ ୩ ଓ୍ଵିକେଟ୍ ହରାଇ ୧୪୬ ରନ କରିଥିବା ଭାରତ ତୃତୀୟ ଦିନରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ପକ୍ଷରୁ ଆଜିଙ୍କ୍ୟ ରାହାଣେ ସର୍ବାଧିକ ୪୯ ରନ କରିଛନ୍ତି। ଅଧିନାୟକ ବିାଟ କୋହଲି ୪୪ ଓ ରୋହିତ ଶର୍ମା ୩୪ ରନ କରିଥିଲେ। କାଇଲ୍ ଜେମିସନ ୩୧ ରନରେ ୫ ଓ୍ଵିକେଟ୍ ନେଇ ଭାରତୀୟ ଦଳକୁ ବ୍ୟାକଫୁଟ୍‌ରେ ରଖିଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦ୍ଵିତୀୟ ଦିନର ଖେଳ ୧୪୬/୩ ରୁ ତୃତୀୟ ଦିନର ବ୍ୟାଟିଂ ଆରମ୍ଭ କରିଥିଲା। କ୍ରିଜରେ ଥିଲେ ଅଧିନାୟକ ବିରାଟ କୋହଲି(୪୪) ଓ ଆଜିଙ୍କ୍ୟ ରାହାଣେ(୨୯)। ଲାଗୁଥିଲା ଦଳ ୩୦୦ ଉପରେ ସ୍କୋର କରିବ। କିନ୍ତୁ ପ୍ରଥମ ସେସନରେ ହିଁ ଭାରତ ଝୁଣ୍ଟିଥିଲା। ଦଳୀୟ ସ୍କୋରରେ ୩ ରନ ଯୋଡିବା ପରେ ୧୪୯ ରନ ସ୍କୋରରେ ଭାରତକୁ ବହୁତ ବଡ ଝଟକା ଲାଗିଥିଲା। ଅଧିନାୟକ କୋହଲି ୪୪ ରନ କରି ଜେମିସନଙ୍କ ଶିକାର ହୋଇଥିଲେ। ଏହା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଏହି ସେସନରେ ଭାରତ ୪ ଓ୍ଵିକେଟ୍  ହରାଇଥିଲା। ଋଷଭ ପନ୍ତ(୪) ସଅଳ ଆଉଟ୍ ହୋଇଥିଲେ। କ୍ରିଜରେ ଜମି ରହିଥିବା ଆଜିଙ୍କ୍ୟ ରାହାଣେଙ୍କ ଉପରେ ଦଳ ଇନିଂସ ସଜାଡିବାର ଦାୟିତ୍ଵ ଥିଲା। ହେଲେ ରାହାଣେ ମାତ୍ର ଗୋଟିଏ ରନରୁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇ ୪୯ ରନ କରି ଆଉଟ୍ ହୋଇଥିଲେ।

ଏହା ପରେ ରବିଚନ୍ଦ୍ରନ ଅଶ୍ଵିନ ଦ୍ରୁତ ବ୍ୟାଟିଂ କରି ଦଳ ପାଇଁ କିଛି ଆଶା ସଞ୍ଚାର କରିଥିଲେ। ସେ ୨୭ ବଲ୍‌ରୁ ୨୨ ରନ କରି ସାଉଦିଙ୍କ ଶିକାର ହୋଇଥିଲେ। ରବୀନ୍ଦ୍ର ଜାଡେଜା କିଛି ସମୟ କ୍ରିଜରେ ସଂଘର୍ଷ କରିଥିଲେ ମଧ୍ୟ ଦଳକୁ ବ୍ୟାଟିଂ ବିପର୍ଯ୍ୟୟରୁ ଉଦ୍ଧାର କରି ପାରିନଥିଲେ। ସେ ୧୫ ରନ କରି ବିଦାୟ ନେଇଥିଲେ। ବିଶେଷ କରି ନ୍ୟୁଜିଲାଣ୍ଡର କାଇଲ ଜେମିସନ ଘାତକ ବୋଲିଂ କରି ଭାରତୀୟ ବ୍ୟାଟିଂର ବିପର୍ଯ୍ୟୟ ଘଟାଇଥିଲେ। ଶେଷରେ ଭାରତ ୯୨.୧ ଓଭରରେ ୨୧୭ ରନରେ ଅଲଆଉଟ୍ ହୋଇଥିଲା।

ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜେମିସନ ୩୧ ରନ ଦେଇ ସର୍ବାଧିକ ୫ ଓ୍ଵିକେଟ୍ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ଓ ନିଲ ଓ୍ଵାଗନର ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ସାଉଦିଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.