ସାଙ୍ଘାତିକ ଅବହେଳା : ବୃଦ୍ଧଙ୍କୁ ପ୍ରଥମ ଡୋଜରେ ଦେଲେ କୋଭାକ୍ସିନ୍, ଦ୍ୱିତୀୟ ଡୋଜରେ ଲଗାଇଲେ କୋଭିସିଲ୍ଡ

Published By : Prameya-News7 Bureau | April 15, 2021 IST

ଲକ୍ଷ୍ନୌ, ୧୫/୪:   ପ୍ରଥମ ଡୋଜରେ ଦେଲେ ଗୋଟିଏ କମ୍ପାନୀର ଟିକା । ଦ୍ୱିତୀୟ ଡୋଜରେ କିନ୍ତୁ ବଦଳିଗଲା ଟିକା । ବୃଦ୍ଧଙ୍କୁ ଦେଇଦେଲେ ଅନ୍ୟ କମ୍ପାନୀର ଭାକସିନ୍ । ଏପରି ଏକ ଅଭାରନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ମହାରାଜଗଞ୍ଜରେ । ସ୍ୱାସ୍ଥ୍ୟ ବିଭାଗର ଅବହେଳାର ଏପରି ଏକ ନଗ୍ନ ଚିତ୍ର ଏଠାରେ ଦେଖିବାକୁ ମିଳିଛି ।

ସୂଚନାନୁସାରେ, ଟିକା ନେବା ବ୍ୟକ୍ତି ଗୌରବ ସିଂ କହିଛନ୍ତି ଯେ, ସେ ଫେବ୍ରୁଆରୀ ୨୫ ତାରିଖରେ କୋଭାକ୍ସିନର ପ୍ରଥମ ଡୋଜ୍ ନେଇଥିଲେ । ଦ୍ୱିତୀୟ ଡୋଜ୍ ମାର୍ଚ୍ଚ ୨୫ରେ ଲଗାଇବାର ଥିଲା । କିନ୍ତୁ ସେ କୌଣସି କାରଣରୁ ବିଳମ୍ବ କରିଥିଲେ । ପରେ ଗତ ମଙ୍ଗଳବାର ସେ ଦ୍ୱିତୀୟ ଡୋଜ୍ ନେବାକୁ ଜିଲ୍ଲା ମୁଖ୍ୟାଳୟରେ ପହଁଚିଥିଲେ । କିନ୍ତୁ ଦ୍ୱିତୀୟ ଡୋଜରେ ତାଙ୍କୁ କୋଭାକ୍ସିନ୍ ବଦଳରେ କୋଭିସିଲ୍ଡ ଦିଆଯାଇଥିଲା । ଏହାକୁ ନେଇ ସେ ହସ୍ପିଟାଲ ବିରୋଧରେ ଅଭିଯୋଗ କରିଛନ୍ତି ।

ଅଲଗା ଟିକା ନେବା ଖବର ସେ ଯେବେ ଜାଣିଥିଲେ ଭୟଭୀତ ହୋଇଯାଇଥିଲେ । ଏହାପରେ ହସ୍ପିଟାଲରେ ପାଟିତୁଣ୍ଡ କରିଥିଲେ । ସୂଚନା ମିଳିବା ପରେ ଡେପୁଟି ସିଏମଓ ଆଇଏ ଅନସାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାସହ ପୀଡିତଙ୍କୁ ବୁଝାଇବା ସହ ଭୟ ଦୂର କରିଥିଲେ । ଏବେ ପୀଡିତ ସୁସ୍ଥ ଅଛନ୍ତି । ତାଙ୍କୁ ପ୍ରଥମେ ଜ୍ୱର ହୋଇଥିଲା । ଔଷଧ ଖାଇବା ପରେ ସେ ସୁସ୍ଥ ହୋଇଯାଇଥିଲେ ।

ହସ୍ପିଟାଲର ଡାକ୍ତର ଏକେ ଶ୍ରୀବାସ୍ତବ କହିଛନ୍ତି ଯେ, ଭାକସିନର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । କିନ୍ତୁ ଏପରି ଭୁଲ ହେବା କଥା ନୁହେଁ । ଆଗକୁ ଯେପରି ଭୁଲ ନହେବ ସେନେଇ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ କୁହାଯାଇଛି । ତେବେ ସ୍ୱାସ୍ଥ୍ୟ ବିଭାଗର ଏହି ଅବହେଳାକୁ ନେଇ ଅନେକ ବ୍ୟକ୍ତି ଭୟଭୀତ ଅଛନ୍ତି । ଏହା ଏକ ସମ୍ବେଦନଶୀଳ ମାମଲା ବୋଲି ଲୋକମାନେ କହିଛନ୍ତି । ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି ସେମାନେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.