ଭୁଲ୍‌ ଇଞ୍ଜେକ୍ସନ ପାଇଁ ଜନ୍ମ ନେଲା କନ୍ୟା ସନ୍ତାନ, ଦମ୍ପତିଙ୍କୁ ମିଳିଲା ୭୪ କୋଟି ଟଙ୍କା

Published By : Prameya-News7 Bureau | November 19, 2020 IST

ନୂଆଦିଲ୍ଲୀ ୧୯/୧୧: ଗର୍ଭ ନିରୋଧକ ଇଞ୍ଜେକ୍ସନ ପାଇଁ ଡାକ୍ତରଙ୍କୁ କହିଥିଲେ ମହିଳା। କିନ୍ତୁ ନର୍ସ ଲଗାଇଦେଲେ ଏକ ଫ୍ଲୁ ସଟ୍‌ ଇଞ୍ଜେକ୍ସନ। ଦୁଇଟି ପିଲାର ମା’ ହୋଇଥିବା ବେଳେ ମହିଳା ଜଣଙ୍କ ଆଉ ପିଲା ଚାହୁଁନଥିଲେ। ତେଣୁ ​‌ସେ ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ। କିନ୍ତୁ ସେଠାରେ ଜଣେ ନର୍ସ ଭୁଲ ଇଞ୍ଜେକ୍ସନ ଲଗାଇ ଦେବା ଫଳରେ ମହିଳା ଗର୍ଭବତୀ ହୋଇଥିଲେ। ପରେ ତାଙ୍କର ଏକ ବିକଳାଙ୍ଗ କନ୍ୟା ସନ୍ତାନ ଜନ୍ମ ନେଇଥିଲା। ଏହା ବିରୋଧରେ କୋର୍ଟର ଦ୍ବାରସ୍ଥ ହୋଇଥିଲେ ମହିଳା।

ଜାତୀୟ ଗଣମାଧ୍ୟମ ‘ଆଜତକ୍’‌ରେ ପ୍ରକାଶିତ ଏକ ଖବର ଅନୁସାରେ ଏହି ଘଟଣା ଆମେରିକାରେ ଘଟିଛି। ୟେସୋନିଆ ପଚେକୋ ୧୬ ବର୍ଷ ପୂର୍ବେ ଜଣେ ରିଫ୍ୟୁଜି ଭାବେ ଆମେରିକା ଆସିଥିଲେ। ସେ ଦୁଇଟି ପିଲାର ମା’ ହୋଇଥିବା ବେଳେ ପରିବାର ବଢ଼ାଇବାକୁ ଚାହୁଁନଥିଲେ।ତେବେ ସେ ଏକ ଘରୋଇ ହସ୍ପିଟାଲକୁ ଯୋଗାଯୋଗ କରିଥିଲେ। କିନ୍ତୁ ସେଠାକାର  ଜଣେ ନର୍ସ ତାଙ୍କୁ ଭୁଲ ଇଞ୍ଜେକ୍ସନ ଦେଇଥିଲେ। ଫଳରେ ସେ ଗର୍ଭବତୀ ହୋଇଥିଲେ।

ଏ ମାମଲାରେ ତାଙ୍କୁ ନ୍ୟାୟ ନମିଳିବାରୁ ସେ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଜଜ୍‌ ମାମଲାର ଶୁଣାଣି କରି ତାଙ୍କୁ ୭୪ କୋଟି ଟଙ୍କା ପ୍ରଦାନ କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି। ଜନ୍ମ ନେଇଥିବା କନ୍ୟା ସନ୍ତାନର ଲାଳନ ପାଳନ, ପଢ଼ା ଖର୍ଚ୍ଚ ବାବଦକୁ ୫୫ କୋଟି ଟଙ୍କା ଓ ଦମ୍ପତିଙ୍କୁ କ୍ଷତିପୂରଣ ବାବଦରେ ୧୮ କୋଟି ଟଙ୍କା ଦେବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.