ସାହିତ୍ୟର ଅନାବାଦି ଜମିକୁ ଚଷିଥିଲେ ଉପେନ୍ଦ୍ର ତ୍ରିପାଠୀ

Published By : Prameya-News7 Bureau | September 10, 2018 IST

ଭୁବନେଶ୍ୱର ୧୦/୯ : ଓଡିଆ ସାହିତ୍ୟ ଇତିହାସର ପ୍ରଥମ ରାଷ୍ଟ୍ରପ୍ରତି ପୁରଷ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ ‘ଉତ୍କଳଚନ୍ଦ୍ର’ ଉପେନ୍ଦ୍ର ତ୍ରିପାଠୀ । ‘ଘଣ୍ଟି- ଘାଗୁଡି’ ପୁସ୍ତକ ପାଇଁ 1954ରେ ସେ ଭାରତ ସରକାରଙ୍କ ଦ୍ବାରା ହୋଇଥିଲେ ପୁରସ୍କୃତ । ଏକା ଧାରାରେ ଜଣେ ଆଦର୍ଶ ଶିକ୍ଷକ, ଔପନ୍ୟାସିକ ଓ ସଫଳ ଶିଶୁ ସାହିତ୍ୟ ସ୍ରଷ୍ଠା ଭାବେ ପରିଚିତ ଉପେନ୍ଦ୍ର ତ୍ରିପାଠୀ । ଶିଶୁ ସାହିତ୍ୟକୁ, ପାଠ୍ୟ-ପୁସ୍ତକ ଓ ଶିକ୍ଷା ସାହିତ୍ୟ ବାହାରେ ପ୍ରତିଷ୍ଠା ଦେବାରେ ତାଙ୍କର ଥିଲା ଅନନ୍ୟ ଅବଦାନ । 1903 ମସିହା , ସେପ୍ଟେମ୍ବର ମାସ 10 ତାରିଖ । ଆଜିର ଦିନରେ ଯାଜପୁର ଜିଲ୍ଲାର ହରିଦାସପୁର ନିକଟସ୍ତ ମୁରାରୀପୁର ଗ୍ରାମରେ ଉପେନ୍ଦ୍ର ତ୍ରିପାଠୀଙ୍କ ଜନ୍ମ । ପିଲାଦିନୁ ସେ ଥିଲେ, ସାହିତ୍ୟ ପ୍ରତି ଅନୁରାଗୀ । ଚତୁର୍ଥ ଶ୍ରେଣୀରେ ପଢୁଥିବା ସମୟରେ ମଧୁସୂଦନ ରାଓଙ୍କ ‘ସାହିତ୍ୟ କୁସୁମ’ ଓ ମଧୁସୂଦନ ଦାସଙ୍କ ‘ଭାରତ ଇତିହାସ’ ବହି ଦୁଇଟି ଥିଲା ତାଙ୍କ ସାହିତ୍ୟିକ ଜୀବନର ପ୍ରେରଣା । ତରୁଣ ବୟସରୁ ସେ ଲେଖା ଲେଖି ଆରମ୍ଭ କରିଥିଲେ । ‘ଆଲୋକ’ ନାମକ ଏକ ହାତ ଲେଖା ପତ୍ରିକା ବାହାର କରୁଥିଲେ । ସେ ସମୟରେ ଲେଖିଥିବା ‘ବିଧବା ଗୁହାରି’ ଓ ‘ବଡ ହେଲେ ମୁଁ ମାଷ୍ଟର ହେବି’ ପରି କବିତା ଦୁଇଟି ତାଙ୍କୁ କରିଥିଲା ପରିଚିତ । ‘ବେଙ୍ଗ ବାହାଦୂର’ , ‘ଚିତ୍ର’ ଏବଂ ‘ ନିଶା ରାକ୍ଷସୀ ‘ ପୁସ୍ତକ ପାଇଁ ତାଙ୍କୁ ମିଳିଥିଲା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର । ଅର୍ଧ ଶତାବ୍ଦୀରୁ ଅଧିକ ସମୟ ଲେଖନୀ ଚାଳନା କରି ଓଡିଆ ଭାଷା-ସାହିତ୍ୟକୁ ପ୍ରତିଷ୍ଠିତ କରିଥିଲେ ସେ । ତାଙ୍କ ରଚିତ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ଗ୍ରନ୍ଥାବଳୀ ଓଡିଆ ସାହିତ୍ୟର ଅନବଦ୍ୟ କୃତି । 1969ରେ ଏହା ହୋଇଥିଲା ପ୍ରକାଶିତ ।ଏହାର ପ୍ରଥମ ଭାଗ ‘ଶିଶୁ ସାହିତ୍ୟ’, ଦ୍ବିତୀୟ ଭାଗ ‘ପଲ୍ଲୀ ଓ ବିଧଗ୍ଧ ସାହିତ୍ୟ’ ଏବଂ ତୃତୀୟ ଭାଗ ଉପନ୍ୟାସ । ‘ଗୋଟିଏ କଲମ, ଟୋପାଏ କାଳି’ ଉପେନ୍ଦ୍ର ତ୍ରିପାଠୀଙ୍କ ଆତ୍ମ ଜୀବନୀ । ଯେଉଁଥିରେ ସେ ଲେଖି ଯାଇଛନ୍ତି ସାହିତ୍ୟ ପ୍ରତି ତାଙ୍କ ଅନୁରାଗ ଓ ସଂଘର୍ଷମୟ ଜୀବନର କାହାଣୀ । ଓଡିଆ ସାହିତ୍ୟରେ ଉପେନ୍ଦ୍ର ତ୍ରିପାଠୀଙ୍କ ସାହିତ୍ୟ ଅବଦାନକୁ ସ୍ବୀକୃତି ଜଣାଇ ‘ଗୋକର୍ଣ୍ଣିକା ସାହିତ୍ୟ ସମାଜ’ ପ୍ରତିବର୍ଷ ପାଳନ କରୁଛି ଉପେନ୍ଦ୍ର ତ୍ରିପାଠୀ ଜନ୍ମ ଜୟନ୍ତୀ ଓ ପ୍ରଦାନ କରୁଛି ଶିଶୁ ସାହିତ୍ୟ ପୁରଷ୍କାର । ଉପେନ୍ଦ୍ର ତ୍ରିପାଠୀଙ୍କ ସମ୍ପର୍କରେ ମାୟାଧର ମାନସିଂହ ଲେଖି ଯାଇଛନ୍ତି - ଯଥାର୍ଥରେ ଆପଣ ଓଡିଆ ସାହିତ୍ୟର ଅନାବାଦି ଜମିକୁ ଚାଷ କରି ଏକ ଉତ୍ତମ ଖଳାରେ ସାଇତି ରଖି ପାରିଛନ୍ତି । ଉପସ୍ଥାପନା : ସୁବ୍ରତ ଜେନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.