ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଲେ ଭାରତୀୟ ମଲ୍ଲଯୋଦ୍ଧା ସୁଶିଲ ଓ ଭିନେଶ, କହିଲେ- କୃଷକଙ୍କ ସହ ପୂରା ଦେଶ ରହିଛି

Published By : Prameya-News7 Bureau | December 07, 2020 IST

ନୂଆଦିଲ୍ଲୀ ୦୭/୧୨: ଦିଲ୍ଲୀରେ ଗର୍ଜୁଛନ୍ତି ହଜାର ହଜାର ଚାଷୀ। ନୂଆ କୃଷି ନିୟମ ପ୍ରତ୍ୟାହାର ଦାବିରେ ଚାଷୀ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦେଇଛି କୃଷକ ସଂଗଠନ। ସେପଟେ ଚାଷୀଙ୍କ ସମର୍ଥନରେ ବହୁ ବଡ଼ ବଡ଼ ଖେଳାଳି, ସାହିତ୍ୟିକ ପୁରସ୍କାର ଫେରାଇବା ପାଇଁ ଦିଲ୍ଲୀରେ ଜମା ହେଉଛନ୍ତି। ଦୁଇ ଥର ଅଲମ୍ପିକ୍‌ ମେଡାଲ ଜିତିଥିବା ରେସଲର ସୁଶିଲ କୁମାର କୃଷକଙ୍କ ସମର୍ଥନରେ ଆସିଛନ୍ତି।

କୃଷକ ଆନ୍ଦୋଳନ ସହ ପୁରା ଦେଶ ଛିଡ଼ା ହୋଇଛି। ସେମାନଙ୍କ ଦାବି ସରକାର ଶୁଣିବା ଉଚିତ। ସରକାର ଭଲ ନିଷ୍ପତ୍ତି ନେବା ସହ ଚାଷୀଙ୍କୁ ଖୁସି କରାଇବା ଜରୁରୀ। କୃଷକ ଉପରେ ସାରା ଦେଶ ନିର୍ଭର କରୁଛି। ବହୁ ଦିନ ଧରି କୃଷକମାନେ ଆନ୍ଦୋଳନ କରିଆସୁଥିବାରୁ ସେମାନଙ୍କ ଦାବିକୁ ଶୀଘ୍ର ସରକାର ପୂରଣ କରନ୍ତୁ ବୋଲି ସୁଶିଲ କୁମାର କହିଛନ୍ତି।

ପଞ୍ଜାବ ଓ ହରିୟାଣାର ବହୁ ଖେଳାଳି କୃଷକଙ୍କ ସମର୍ଥନ ସୂରୁପ ସେମାନେ ନିଜର ପୁରସ୍କାର ଫେରାଉଛନ୍ତି। ସେପଟେ ପୁରସ୍କାର ଫେରାଇବାକୁ ନେଇ ସୁଶିଲ କହିଛନ୍ତି, ‘ଗୋଟିଏ କଥା କହିବାକୁ ଚାହୁଁଛି ୩ ମାସ ହେଲା ଚାଷୀମାନେ ନିଜ ହକ ପାଇଁ ଆନ୍ଦୋଳନ କରୁଛନ୍ତି। ଯଥାଶୀଘ୍ର ସେମାନଙ୍କ ଦାବି ପୂରଣ କରିବା ସହ ସେମାନଙ୍କୁ ଭରସା ଦେବା ଦରକାର ଯେ ଆଗକୁ କିଛି ଅସୁବିଧା ହେବ ନାହିଁ। ସେମାନଙ୍କ ସହ ସମଗ୍ର ଦେଶ ରହିଛି।’

ଅନ୍ୟପଟେ ନୂଆ କୃଷି ନିୟମ ସରକାର ପ୍ରତ୍ୟାହାର ନକଲେ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଫେରାଇବେ ବୋଲି କହିଛନ୍ତି ବକ୍ସର ବିଜେନ୍ଦ୍ର ସିଂହ। ଆନ୍ଦୋଳନକାରୀ କୃଷକମାନଙ୍କୁ ଉଦବୋଧନ ଦେଇ ବିଜେନ୍ଦ୍ର ସିଂହ କହିଛନ୍ତି, ‘ମୋର ପଞ୍ଜାବର ବଡ଼ ଭାଇମାନେ ଏଠାକୁ ଆସିଥିବାରୁ ମୁଁ ଏଠାକୁ ଆସିଚି। ତେଣୁ କାହିଁକି ହରିୟାଣା ପଛରେ ପଡ଼ିବ। ଯଦି ସରକାର ଏଭଳି ନିୟମକୁ ପ୍ରତ୍ୟାହାର ନକରନ୍ତି ତେବେ ମୁଁ ମୋର ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଫେରାଇବି।’

ଏହା ସହ ଭାରତୀୟ ମହିଳା ମଲ୍ଲଯୋଦ୍ଧା ଭିନେଶ ଫୋଗଟ କୃଷକଙ୍କ ସମର୍ଥନରେ ଆସିଛନ୍ତି। ନିଜର କଠିନ ପରିଶ୍ରମ ପାଇଁ କୃଷକମାନେ ସମ୍ମାବ ପାଇବା ଆବଶ୍ୟକ ବୋଲି ଭିନେଶ ଫୋଗଟ କହିଛନ୍ତି। କହି କହି ଥକିଗଲିଣି। ଏବେ ସମାଧାନ ଚାହୁଁଛି। ମୁଁ କେବଳ  କଠିନ ପରିଶ୍ରମ ପାଇଁ ସମ୍ମାନ ଚାହୁଁଛି ବୋଲି ଟ୍ବିଟରରେ ଲେଖିଛନ୍ତି ଖେଳ ରତ୍ନ ବିଜେତା ଭିନେଶ ଫୋଗଟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.