ତେଲ-ପରିବା ଦର ଅସମ୍ଭାଳ, ପାଇକାରୀ ମୁଦ୍ରାସ୍ଫିତି ୮ ବର୍ଷରେ ସର୍ବାଧିକ

Published By : Prameya-News7 Bureau | April 16, 2021 IST

ନୂଆଦିଲ୍ଲୀ, ୧୬।୦୪: ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ୍ ଲଗାତର ଅଧିକ ରହିଛି । ଏହାମଧ୍ୟରେ ମାର୍ଚ୍ଚ ମାସରେ ପାଇକାରୀ ମୁଦ୍ରସ୍ଫିତି ଗତ ୮ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ସ୍ତରରେ ପହଁଚିଛି । ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ ଖୁଚୁରା ଦରଦାମ ବୃଦ୍ଧି ହାର ଜାରି କରିଛି ।

ମନ୍ତ୍ରାଳୟ ରିପୋର୍ଟ ଅନୁସାରେ, ୨୦୨୧  ମାର୍ଚ୍ଚରେ ପାଇକାରୀ ମୁଦ୍ରାସ୍ଫିତି ୮ ବର୍ଷରେ ୭.୩୯ ପ୍ରତିଶତ ରହିଛି । ଏହାପୂର୍ବରୁ ୨୦୧୩ରେ ଏହା ୮.୬ ପ୍ରତିଶତରେ ପହଁଚି ଯାଇଥିଲା । ୨୦୨୧ ମାର୍ଚ୍ଚକୁ ୨୦୨୦ ମାର୍ଚ୍ଚ ସହ ତୁଳନା କଲେ ଏଥିରେ ୧.୫୭ ପ୍ରତିଶତ ବୃଦ୍ଧି ଘଟିଛି । ଫେବ୍ରୁଆରୀ ୨୦୨୧ରେ ପାଇକାରୀ ମୁଦ୍ରାସ୍ଫିତି ୪.୧୭ ପ୍ରତିଶତ ଥିଲା । ଯାହା ୨୭ ମାସ ମଧ୍ୟରେ ସର୍ବାଧିକ ।

ସେହିପରି ଜାନୁଆରୀ ୨୦୨୧ରେ ଦେଶରେ ପାଇକାରୀ ମୁଦ୍ରାସ୍ଫିତି ୨.୫୧ ପ୍ରତିଶତ ରହିଥିଲା । ଗତ ୩ ମାସ ମଧ୍ୟରେ ପାଇକାରୀ ମୁଦ୍ରାସ୍ଫିତି ଅହେତୁକ ବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି ।  

ମାର୍ଚ୍ଚରେ ପ୍ରାଇମେରୀ ଗୁଡସ୍ ତଥା ଖାଦ୍ୟ ଶ୍ରେଣୀରେ ମହଙ୍ଗା ଦର ଫେବ୍ରୁଆରୀ ତୁଳନାରେ ମାତ୍ର ୦.୫୫ ପ୍ରତିଶତ ବଢିଥିଲା । ଅଶୋଧିତ ତୈଳରେ ଏହି ଦର ୮.୬୪ ପ୍ରତିଶତ ରହିଥିଲା । ସେହିପରି ପ୍ରାକୃତିକ ଗ୍ୟାସ୍ ଓ ଅଣ ଖାଦ୍ୟ ବସ୍ତୁ ଶ୍ରେଣୀରେ ଏହା ୧.୯ ପ୍ରତିଶତ ଓ ୦.୩୫ ପ୍ରତିଶତ ରହିଥିଲା ।

ଦେଶରେ କୋଇଲାର ପାଇକାରୀ ମୁଦ୍ରାସ୍ଫିତି ଫେବ୍ରୁଆରୀ ତୁଳନାରେ ମାର୍ଚ୍ଚରେ କମିଛି । କୋଇଲା ଶ୍ରେଣୀରେ ପାଇକାରୀ ମୁଦ୍ରାସ୍ଫିତି ୦.୦୮ ପ୍ରତିଶତ ହ୍ରାସ ପାଇଥିଲା । ସେହିପରି ମାନ୍ୟୁଫାକ୍ଚରିଂ ଗୁଡସରେ ପାଇକାରୀ ମୁଦ୍ରାସ୍ଫିତି ୧.୨୭ ପ୍ରତିଶଚ ବୃଦ୍ଧି ପାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.