ମହଙ୍ଗା ଦର ହେଲାଣି ଅସମ୍ଭାଳ: ୮ ମାସରେ ସ​‌ର୍ବୋଚ୍ଚ ସ୍ତର, ପାଇକାରୀ ସୂଚକାଙ୍କ ୧.୪୮%

Published By : Prameya-News7 Bureau | November 16, 2020 IST

ନୂଆଦିଲ୍ଲୀ ୧୬/୧୧: କରୋନା କାଳରେ ମହଙ୍ଗା ଦର ଅସମ୍ଭାଳ ସ୍ଥିତି ଆଡ଼କୁ ଗତି କରୁଛି। ୮ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ପାଇକାରୀ ମୁଦ୍ରାସ୍ଫୀତି। ଅକ୍ଟୋବର ୨୦୨୦ ପାଇଁ ହୋଲସେଲ୍‌ ପ୍ରାଇସ୍‌ ଇଣ୍ଡେକ୍ସ(WPI) ସୂଚକାଙ୍କ ଜାରି ହୋଇଛି। ସେପ୍ଟେମ୍ବରର ୧.୩୨ରୁ ବଢ଼ି ପାଇକାରୀ ମୂଲ୍ୟ ଭିତ୍ତିକ ମୁଦ୍ରାସ୍ଫୀତି ୧.୪୮ ପ୍ରତିଶତରେ ପହଞ୍ଚିଛି। ପୂର୍ବ ଏକ ବର୍ଷ ହେଲା ଏଥିରେ ଲଗାତର ବୃଦ୍ଧି ଘଟୁଛି। ଏହା ସହ ଗତ ୮ ମାସ ଭିତରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ପାଇକାରୀ ମୁଦ୍ରାସ୍ଫୀତି। ତେବେ ଖାଦ୍ୟ ପଦାର୍ଥର ଡବ୍ଲୁପିଆଇ କମି ୫.୭୮ ହୋଇଯାଇଛି। ସେପ୍ଟେମ୍ବରରେ ଏହା ୬.୯୨ ଥିଲା।

ସେପଟେ ମ୍ୟାନୁଫ୍ୟାକଚରିଂ ଉତ୍ପାଦର ମୂଲ୍ୟରେ ବୃଦ୍ଧି ଘଟୁଥିବା ଦେଖିବାକୁ ମିଳିଛି। ସେପ୍ଟେମ୍ବରରେ ୧.୬୧ ପ୍ରତିଶତ ଥିବା ବେଳେ ଏବେ ଏହା ବଢ଼ି ୨.୧୨ ପ୍ରତିଣତ ହୋଇଛି। ଖାଦ୍ୟ ପଦାର୍ଥର ହୋଲସେଲ ମୁଦ୍ରାସ୍ଫୀତିରେ ହ୍ରାସ ହୋଇଥିଲେ ହେଁ ଖୁଚୁରା ମୂଲ୍ୟକୁ ନେଇ ଏବେ ବି ଚିନ୍ତା ଲାଗିରହିଛି। ଖାଦ୍ୟ ପଦାର୍ଥ ମୁଦ୍ରାସ୍ଫୀତି ବୃଦ୍ଧି କେବଳ ପନିପରିବା ନୁହେଁ ବରଂ ଅନ୍ୟ ଜିନିଷ ଉପ​‌ରେ ପଡ଼ିବାକୁ ଲାଗିଲାଣି। ଏକ ଲମ୍ବା ଲକ୍‌ଡାଉନ୍‌ ପରେ ଆର୍ଥିକ ଗତିବିଧି ଆରମ୍ଭ ହୋଇଛି। ମାର୍ଚ୍ଚ ପରେ ୨୦୨୦  ଅଗଷ୍ଟରେ ପ୍ରଥମ ଥର ସୂଚାକାଙ୍କ ପଜିଟିଭ୍‌ ଲିଷ୍ଟରେ ଆସିଥିଲା।

WPI ଜରିଆରେ ହୋଲ୍‌ସେଲ୍‌ ବିକ୍ରି ହେଉଥିବା ଜିନିଷର ମୂଲ୍ୟ ଜାଣିବାକୁ ମିଳେ। ଭାରତରେ ହୋଲ୍‌ସେଲ୍‌ ପ୍ରାଇସ୍‌ ଇଣ୍ଡେକ୍ସ ୩ ଭାଗରେ ବିଭକ୍ତ। ଇନ୍ଧନ ଓ ପାଓ୍ବାର, ପ୍ରାଇମେରି ବସ୍ତୁ ଓ ମ୍ୟାନୁଫ୍ୟକ୍ଚରିଂ ଉତ୍ପାଦ ସାମିଲ ରହିଛି। ମୋଟ WPIର ଏହି ୩ ଭାଗର ଯୋଗଦାନ କ୍ରମଶଃ ୧୩.୨ ପ୍ରତିଶତ, ୨୨.୬ ପ୍ରତିଶତ ଓ ୬୪.୨ ପ୍ରତିଶତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.