ବିଶ୍ବର ସବଠୁ ଧନୀ ବ୍ୟକ୍ତି ଏଲନ ମସ୍କ, ଖବର ପାଇବା ପରେ ଏମିତି ପ୍ରତିକ୍ରିୟା ଦେଲେ ଟେସ୍‌ଲା ମୁଖ୍ୟ

Published By : Prameya-News7 Bureau | January 08, 2021 IST

ନୂଆଦିଲ୍ଲୀ ୦୮/୦୧: ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଟେସଲା ମୁଖ୍ୟ ଏଲନ୍ ମସ୍କ । ଆମାଜନ ମୁଖ୍ୟ ଜେଫ୍ ବେଜୋସଙ୍କୁ ସେ ପଛରେ ପକାଇ ପ୍ରଥମ ସ୍ଥାନ ଅଧୀକାର କରିଛନ୍ତି । ବ୍ଲୁମ୍ ବର୍ଗର ରିପୋର୍ଟ ଅନୁସାରେ ମସ୍କଙ୍କ ସମ୍ପତ୍ତି ମୂଲ୍ୟ ଏବେ ୧୮୮.୫ ବିଲିୟନ ଡଲାରରେ ପହଞ୍ଚିଛି । ଯାହାକି ବେଜୋସଙ୍କ ସମ୍ପତ୍ତିଠାରୁ ୧.୫ ବିଲିୟନ ଡଲାର ଅଧିକ । ତେବେ ବିଶ୍ବର ଧନୀ ବ୍ୟକ୍ତି ହେବାର ଖବର ଶୁଣିବା ପରେ ମସ୍କ ଆଶ୍ଚର୍ଯ୍ୟ ହୋଇଛନ୍ତି। ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ବୋଲି ଜାଣିବା ପରେ ଏଲନ ମସ୍କ ଦେଇଥିବା ପ୍ରତିକ୍ରିୟା ଏବେ ଭାଇରାଲ ହେଉଛି।

ନିଜ ଆଇଫୋନ୍‌ ମାଧ୍ୟମରେ ଟ୍ବିଟ୍‌ କରି ମସ୍କ ଲେଖିଛନ୍ତି, ‘ହାଓ ଷ୍ଟ୍ରେଞ୍ଜ, ଠିକ୍‌ ଅଛି କାମକୁ ଫେରିବା।’ ବିଶ୍ବର ବଡ଼ ଧନୀ ଭାବେ ଗୁରୁବାର ପରିଚୟ ପାଇବା ପରେ ସାମାନ୍ୟ ଖୁସି ହେବା ସହ ପୁଣି ଥରେ କାର୍ଯ୍ୟକୁ ଫେରିବାକୁ ନେଇ ମସ୍କ ଲେଖିବା ପରେ ତାଙ୍କ ସଫଳତାକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ସଫଳତାର ଶୀର୍ଷରେ ପହଞ୍ଚିବା ଯେତିକି ଖୁସି ନୁହେଁ ତାଠୁ ଅଧିକ ଆନନ୍ଦ ଦିଏ ସେହି ସ୍ଥାନ ସର୍ବଦା ବଜାୟ ରଖିବା। ସଫଳତାର ଶୀର୍ଷରେ ସର୍ବଦା ରହିବାକୁ ହେଲେ ଅନବରତ ପ୍ରଚେଷ୍ଟା ଆବଶ୍ୟକ। ତେଣୁ ନିଜର ବୃହତ୍ତ ସଫଳତାରେ ବି ସାମାନ୍ୟ ଖୁସି ଜାହିର କରିବା ପରେ ପୁଣି ଥରେ କର୍ତ୍ତବ୍ୟ କରିବାକୁ ମସ୍କ ଆହ୍ବାନ ଦେଇଛନ୍ତି। ସଫଳତା ପରେ ଏଲନ ମସ୍କଙ୍କ ପ୍ରତିକ୍ରିୟା ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି।

ଗୁରୁବାର ଏଲନ୍ ମସ୍କଙ୍କ ଟେସଲା କମ୍ପାନୀର ସେୟାର ମୂଲ୍ୟ ୫.୬୫ ପ୍ରତିଶତ ବୃଦ୍ଧି ପାଇବା ଫଳରେ ତାଙ୍କୁ ଆମାଜନଠାରୁ ଟପିବା ଲାଗି ସୁଯୋଗ ସୃଷ୍ଟି କରିଥିଲା । ୨୦୧୭ରୁ ସବୁଠାରୁ ବଡ ଧନୀ ବ୍ୟକ୍ତିର ମାନ୍ୟତା ରଖି ଆସିଥିଲେ ଆମାଜନ୍ ଡଟ୍ କମ୍ ର ମୁଖ୍ୟ ଜେଫ୍ ବେଜୋସ୍ । କିନ୍ତୁ ଦକ୍ଷିଣ ଆଫ୍ରିକାରେ ଜନ୍ମ ଗ୍ରହଣ କରିଥିବା ୪୯ ବର୍ଷ ବୟସ୍କ ଇଞ୍ଜିନିୟର ଏଲନ୍ ମସ୍କ ଏବେ ତାଙ୍କୁ ଟପି ପ୍ରଥମ ସ୍ଥାନକୁ ଆସିଛନ୍ତି । ଘରୋଇ ମହାକାଶ କାର‌୍ୟ୍ୟକ୍ରମ ପାଇଁ ମସ୍କଙ୍କ ସ୍ପେସ୍ ଏକ୍ସ ବିଶ୍ବବ୍ୟାପୀ ଚର୍ଚ୍ଚାରେ ରହିଛି । ନଭେମ୍ବର ମାସରେ ମସ୍କ ମାଇକ୍ରୋସଫ୍ଟର ବିଲ୍ ଗେଟସଙ୍କୁ ଅତିକ୍ରମ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.