ପଶୁ ପ୍ରେମୀ ସାବଧାନ! ପାଳିତ ପଶୁଙ୍କୁ ବି ହେଉଛି କରୋନା ସଂକ୍ରମଣ, ବ୍ରିଟେନରେ ସାମ୍ନାକୁ ଆସିଲା ପ୍ରଥମ ମାମଲା

Published By : Prameya-News7 Bureau | July 27, 2020 IST

ଲଣ୍ଡନ ୨୭।୭:  ପଶୁପ୍ରେମୀଙ୍କ ଲାଗି ଖବର ନିଶ୍ଚିତ ରୋଚକ ହୋଇ ନ ପାରେ, ହେଲେ ବାସ୍ତବିକ ସତ୍ୟ। ପାଳିତ ପଶୁଙ୍କ ଦେହରେ ବି ହେଉଛି କରୋନା ସଂକ୍ରମଣ।  ଏକ ବିଲେଇ ଦେହରୁ ସଂକ୍ରମଣ ଠାବ ହୋଇଥିବା ପ୍ରଥମ ଥର ଜଣାପଡିଛି। ତେବେ ବିଲେଇ  ତା ମାଲିକ ଅଥବା ଅନ୍ୟ ପଶୁ ଠାରୁ ସଂକ୍ରମିତ ହୋଇଛି ତାହା କିନ୍ତୁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି।

ଜୁଲାଇ ୨୨ ତାରିଖ ଦିନ ୱେବ୍ରିଜସ୍ଥିତ ଆନିମଲ ଏଣ୍ଡ ପ୍ଲାଣ୍ଟ ହେଲଥ୍ ଏଜେନ୍ସୀ ଲାବୋରେଟରୀରେ ହୋଇଥିବା ପରୀକ୍ଷଣ ପରେ ବିଲେଇ ସଂକ୍ରମିତ ଥିବା ପୁଷ୍ଟି କରାଯାଇଥିଲା। ଏଣୁ ସ୍ୱାସ୍ଥ୍ୟ ଅଧିକାରୀମାନେ ଗୃହପାଳିତ ପଶୁଙ୍କ ସମ୍ପର୍କରେ ଆସିବା ପୂର୍ବରୁ ଓ ପରେ ହାତକୁ ଭଲ ରୂପେ ଧୋଇବା ଲାଗି ଲୋକଙ୍କୁ ସଚେତନ କରାଇଛନ୍ତି। ପରିସ୍ଥିତିରୁ ଯାହା ଜଣାପଡୁଛି ବିଲେଇ ତା ମାଲିକଙ୍କ ଦ୍ୱାରା କରୋନା ସଂକ୍ରମିତ ହୋଇଛି। କାରଣ ତା ମାଲିକ ପୂର୍ବରୁ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଥିଲେ।

ଏବେ ବିଲେଇ ଓ ତାର ମାଲିକ ଉଭୟ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି, ସେମାନଙ୍କ ଯୋଗୁ ଘରର ଅନ୍ୟ କେହି ସଂକ୍ରମିତ ହୋଇନଥିବା ମଧ୍ୟ ସ୍ପଷ୍ଟ ହୋଇଛି। ତେବେ ବିଲେଇ କରୋନା ଭାଇରସ ସଂକ୍ରମିତ ହେବା ବାସ୍ତବିକ ବିରଳ ଘଟଣା ବୋଲି ପଶୁ ଚିକିତ୍ସା ଅଧିକାରୀ କ୍ରିଷ୍ଟିନ ମିଡିଲମିସ୍‌ କହିଛନ୍ତି। ଏଥିରେ ବିଲେଇ ସଂକ୍ରମିତ ଥିବାର ହାଲୁକା ଲକ୍ଷଣ ଦେଖଯାଇଥିଲା ଏବଂ କିଛି ଦିନ ପରେ ସଂକ୍ରମଣ ମୁକ୍ତ ହୋଇଯାଇଥିଲା। ତେବେ ପାଳିତ ପଶୁଠାରୁ ମଣିଷ ସଂକ୍ରମିତ ହେବାର କୌଣସି ପ୍ରମାଣ ମିଳି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.