ବିଶ୍ବ ବାଣିଜ୍ୟ କେନ୍ଦ୍ର ଉପରେ ଆତଙ୍କବାଦୀ ଆକ୍ରମଣକୁ ପୁରିଲା ୧୭ ବର୍ଷ
11/09/2018 at 3:03 PM

ନ୍ୟୁୟର୍କ ୧୧|୯: ଆମେରିକାର ବିଶ୍ବ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି) ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଆଜି ୧୭ ବର୍ଷ ପୁରିଛି । ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆତଙ୍କବାଦୀ ସଂଗଠନ ଅଲ୍-କାଏଦା ଦ୍ବାରା ଏହି ଆକ୍ରମଣ ହୋଇଥିଲା। ଏଥିରେ ୧୯ ଆତଙ୍କବାଦୀଙ୍କ ସମେତ ମୋଟ୍ ୨ହଜାର ୯୯୬ଜଣ ପ୍ରାଣ ହରାଇଥିବା ବେଳେ ୬ହଜାରରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ। ଏ ମଧ୍ୟରେ ଆକ୍ରମଣକୁ ୧୭ ବର୍ଷ ପୁରିଛି ହେଲେ ଏବେ ବି ୧,୧୧୧ ମୃତକଙ୍କ ଦେହାବଶେଷ ମିଳିନଥିବାରୁ ସେମାନଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରି ଏକ ଟିମ୍ ଏବେ ଏହାର ସନ୍ଧାନ କରୁଛି। ଆକ୍ରମଣ ପରଠାରୁ ୨୨ହଜାରରୁ ଅଧିକ ଦେହାବଶେଷ ସଂଗ୍ରହ କରାଯାଇଛି। ଆମେରିକା ଇତିହାସରେ ଏହା ସବୁଠାରୁ ଭୟଙ୍କର ଘଟଣା ବୋଲି ବିବେଚନା କରାଯାଉଛି । ଆତଙ୍କବାଦୀମାନେ ୪ଟି ଉଡାଜାହାଜକୁ ହାଇଜ୍ୟାକ୍ କରିନେଇ ତାହା ସାହାର୍ଯ୍ୟରେ ଏହି ଆକ୍ରମଣ ଘଟାଇଥିଲେ।