ଦିନିକିଆରେ ଓପନର ସ୍ମୁତି ମନ୍ଧାନାଙ୍କ ବିଶ୍ଵ ରେକର୍ଡ, ପଛରେ ରହିଗଲେ ପୁରୁଷ କ୍ରିକେଟ୍‌ର ବଡ ବଡ ଖେଳାଳି

Published By : Prameya-News7 Bureau | March 09, 2021 IST

ଲକ୍ଷ୍ନୌ ୦୯।୦୩: ଭାରତୀୟ ମହିଳା କ୍ରିକେଟ୍‌ ଦଳର ଓପନର ସ୍ମୁତି ମନ୍ଧାନା ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଙ୍ଗଳବାର ଖେଳାଯାଇଥିବା ସିରିଜ୍‌ର ଦ୍ଵିତୀୟ ଦିନିକିଆରେ ୬୪ ବଲ୍‌ରୁ ଅପରାଜିତ ୮୦ ରନର ଇନିଂସ ଖେଳିଛନ୍ତି। ମନ୍ଧାନାଙ୍କ ଏହି ଦମଦାର ବ୍ୟାଟିଂ  ବଳରେ ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୯ ଓ୍ଵିକେଟ୍‌ରେ ହରାଇ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌କୁ ୧-୧ରେ ବରାବର କରିଛି।

ମନ୍ଧାନାଙ୍କ ଦିନିକିଆରେ ଏହା ହେଉଛି ୧୮ତମ ଅର୍ଦ୍ଧଶତକ। ବାମହାତୀ ମନ୍ଧାନା ଏହି ଇନିଂସ ସହ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି। ବିଜୟ ଲକ୍ଷ୍ୟ ପିଛା କରିବାରେ ମନ୍ଧାନାଙ୍କ ଦିନିକିଆରେ ଏହା ହେଉଛି କ୍ରମାଗତ ୧୦ତମ ଅର୍ଦ୍ଧଶତକ। ଏହି ସଫଳତା ହାସଲ କରିବାରେ ମନ୍ଧାନା ବିଶ୍ଵର ପ୍ରଥମ କ୍ରିକେଟ୍‌ର ହେବାର ଗୌରବ ଅର୍ଜନ କରିଛନ୍ତି। ଏ ପର୍ଯ୍ୟନ୍ତ କୌଣସି ପୁରୁଷ କ୍ରିକେଟ୍‌ର ମଧ୍ୟ ଏହି ସଫଳତା ପାଇ ପାରି ନାହାନ୍ତି।

ଭାରତର ଏହି ମହିଳା ଓପନିଂ ବ୍ୟାଟସମ୍ୟାନ ନ୍ୟୁଜିଲାଣ୍ଡର ସୁଜି ବେଟ୍‌ସଙ୍କ ରେକର୍ଡ ଭାଙ୍ଗିଛନ୍ତି। ବେଟ୍‌ସଙ୍କ ନାମରେ ବିଜୟ ଲକ୍ଷ୍ୟ ପିଛା କରିବାରେ ୯ ଥର ୫୦ରୁ ଉର୍ଦ୍ଧ୍ଵ ରନ କରିବାର ରେକର୍ଡ ଥିଲା। ସୁଜି ୨୦୧୫ ରୁ ୨୦୧୭ ମଧ୍ୟରେ ଏହି ଉପଲବ୍ଧି ହାସଲ କରିଥିଲେ। ଏ ପର୍ଯ୍ୟନ୍ତ ମହିଳା କି ପୁରୁଷ କ୍ରିକେଟ୍‌ର କେହି ବି ଏମିତି କମାଲ କରି ପାରିଥିଲେ। ସ୍ମୁତିଙ୍କ ଏହି ରେକର୍ଡ ପରେ ତାଙ୍କୁ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛାର ସୂଅ ଛୁଟିବାରେ  ଲାଗିଛି।

ଅନୁଭବୀ ଦ୍ରୁତ ବୋଲର ଝୁଲନ ଗୋସ୍ଵାମୀଙ୍କ ଘାତକ ବୋଲିଂ ପରେ ମନ୍ଧାନା ଓ ପୁନମ ରାଉତଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ଜରିଆରେ ଭାରତୀୟ ମହିଳା ଦଳ ଦ୍ଵିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୧୨୮ ବଲ ବଳକା ଥାଇ ୯ ଓ୍ଵିକେଟ୍‌ରେ ପରାସ୍ତ କରିଛି।

ଝୁଲନ ୧୦ ଓଭରରେ ୪୨ ରନ ଦେଇ ୪ ଓ୍ଵିକେଟ୍ ନେଇଛନ୍ତି। ରାଜେଶ୍ଵରୀ ଗାଏକଓ୍ଵାଡ ୩୭ ରନ ଦେଇ ୩ ଏବଂ ମାନସୀ ଯୋଶୀ ୨୩ ରନ ଦେଇ ୨ ଓ୍ଵିକେଟ୍ ନେଇଛନ୍ତି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୪୧ ଓଭରରେ ୧୫୭ ରନରେ ଅଲଆଉଟ୍ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.