ଆଜି ମଇଦାନକୁ ଓହ୍ଲାଇବେ ବିଶ୍ଵର ଏକ ନମ୍ଵର ମହିଳା ପହିଲମାନ ଭିନେଶ ଫୋଗାଟ୍, ଏହି ସମୟରେ ଖେଳାଯିବ ମ୍ୟାଚ୍

Published By : Prameya-News7 Bureau | August 05, 2021 IST

ଟୋକିଓ ୦୫।୦୮: ବିଶ୍ଵର ଏକ ନମ୍ଵର ମହିଳା ପହିଲମାନ ଭିନେଶ ଫୋଗାଟ୍ ଟୋକିଓ ଅଲିମ୍ପିକ୍ସରେ ଗୁରୁବାର ନିଜର ପ୍ରଥମ ମୁକାବିଲା ଖେଳିବେ। ସେ ପ୍ରଥମ ମ୍ୟାଚ୍‌ରେ ସ୍ଵିଡେନର ମହିଳା କୁସ୍ତିଯୋଦ୍ଧା ସୋଫିଆ ମେଟସନଙ୍କୁ ଭେଟିବେ।  ୫୩ କିଲୋଗ୍ରାମ ଭାରବର୍ଗରେ ଭିନେଶ ଫୋଗାଟ୍‌ଙ୍କ ନିକଟରେ ରିଓ ଅଲିମ୍ପକରେ ମିଳିଥିବା ଯନ୍ତ୍ରଣା ଉପରେ ମଇଲମ ଲଗାଇବାର ସୁବର୍ଣ୍ଣ ସୁଯୋଗ ରହିଛି।

ମାତ୍ର ପାଞ୍ଚ ବର୍ଷ ବୟସରେ ଦ୍ରୋଣାଚାର୍ଯ୍ୟ ଆଓ୍ଵାର୍ଡ ଏବଂ ଅଜା ମହାବୀର ଫୋଗାଟଙ୍କ ଅଖାଡରେ କୁସ୍ତି  ଶିଖିଥିବା ଭିନେଶ ଫୋଗାଟ୍ ମଇଦାନରେ ଏମିତି ଛାପ ଛାଡିଛନ୍ତି ଯେ, ଆଜି ପ୍ରତିଟି କ୍ରୀଡାପ୍ରେମୀ ତାଙ୍କ ଖେଳର ପ୍ରଶଂସକ ହୋଇ ଯାଇଛନ୍ତି। ଭିନେଶ ଫୋଗାଟ ରାଜ୍ୟଗୋଷ୍ଠୀ କ୍ରୀଡା ବ୍ୟତୀତ ଏସୀୟ କ୍ରୀଡାର ସ୍ଵର୍ଣ୍ଣ ପଦକ ବିଜେତା। ସେ ଅର୍ଜୁନ ଓ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରରେ ସମ୍ମାନିତ ହୋଇ ସାରିଛନ୍ତି।

୨୦୧୬ର ରିଓ ଅଲିମ୍ପିକରେ ଭିନେଶ ଫୋଗାଟ୍ ନିଜ ଶୈଳୀରେ ଅଭିଯାନ ଆରମ୍ଭ କରିଥିଲେ। ହେଲେ ଦୁର୍ଭାଗ୍ୟବଶତଃ ବାଉଟ୍ ସମୟରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା ଏବଂ ତାଙ୍କୁ ମ୍ୟାଚ୍‌ରୁ ବାହାରିବାକୁ ପଡିଥିଲା। ରିଓ ଅଲିମ୍ପିକର ସେହି ଦୁଃଖ ଏବଂ ଅବଶୋଷକୁ ଦୂର କରିବା ପାଇଁ ଭିନେଶଙ୍କ ପାଖରେ ଭଲ ସୁଯୋଗ ରହିଛି। ଗୁରୁବାର ସକାଳ ୮ଟାରେ ଭିନେଶଙ୍କ ମୁକାବିଲା ରହିଛି।

ଚିକିତ୍ସିକ ଦେଇଥିଲେ କୁସ୍ତି ଛାଡିବାର ପରାମର୍ଶ

ରିଓ ଅଲିମ୍ପିକ୍ସରେ ଲାଗିଥିବା ଆହାତ ପରେ ଡାକ୍ତର ଭିନେଶଙ୍କୁ କୁସ୍ତି ଛାଡିବାକୁ ପରାମର୍ଶ ଦେଇଥିଲେ। ଚିକିତ୍ସକଙ୍କ କହିବା କଥା ଯଦି ସେ ମେଟ୍‌କୁ ପ୍ରତ୍ୟାବର୍ତ୍ତନ କରନ୍ତି ତେବେ ଗୋଡ ଆହୁରି ଖରାପ  ହୋଇପାରେ। ଏହା ସତ୍ତ୍ଵେ ବି ଭିନେଶ ହାର ମାନିନଥିଲେ। ପ୍ରାୟ ୧୦ ମାସ କଠୋର ପରିଶ୍ରମ ପରେ ପୁନର୍ବାର ମଇଦାନକୁ ଓହ୍ଲାଇଥିଲେ। ଏପରିକି ଖ୍ୟାତି ଅନୁରୂପ ରାଜ୍ୟଗୋଷ୍ଠୀ କ୍ରୀଡା ଓ ଏସୀୟ କ୍ରୀଡାରେ ସ୍ଵର୍ଣ୍ଣ ପଦକ ନିଜ ନାମରେ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.