କରୋନା ପାଇଁ ଓ୍ବାର୍ଲଡ୍‌ ଜୁନିଅର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନ୍‌ସିପ୍ ୨୦୨୦ ବାତିଲ୍‌, ଘୋଷଣା କଲା BWF

Published By : Prameya-News7 Bureau | October 22, 2020 IST

ନୂଆଦିଲ୍ଲୀ ୨୨/୧୦: କରୋନା ମହାମାରୀ ପାଇଁ ବିଶ୍ବ ଏକ ପ୍ରକାର ଅଚଳ ଅବସ୍ଥାକୁ ଠେଲି ହୋଇଯାଇଛି। ଖେଳ ପାଖରୁ ଆରମ୍ଭ କରି ବିଭିନ୍ନ ପୂଜା ପର୍ବାଣୀ ଫିକା ପଡ଼ିଛି। କୋଭିଡ୍‌ ନିୟମ ସହ ଯଦିଓ କିଛି ଖେଳ ଆରମ୍ଭ ହୋଇଛି କିନ୍ତୁ ଅନେକ ଖେଳାଳି କରୋନାରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। କରୋନା ପାଇଁ ବ୍ୟାଡମିଣ୍ଟନ ଖେଳ ପ୍ରେମୀଙ୍କୁ ଝଟକା ଲାଗିଛି। କରୋନା ମହାମାରୀକୁ ନଜରରେ ରଖି ଓ୍ବାର୍ଲଡ୍‌ ଜୁନିଅର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନ୍‌ସିପ୍ ୨୦୨୦ ବାତିଲ କରାଯାଇଛି। ନ୍ୟୁଜିଲ୍ୟାଣ୍ଡରେ ହେବାକୁ ଥିବା ଏହି ଚାମ୍ପିୟନସିପ୍‌କୁ ବାତିଲ କରିଛି ବ୍ୟାଡ୍‌ମିଣ୍ଟନ୍‌ ଓ୍ବାର୍ଲଡ୍‌ ଫେଡେରେସନ୍‌( ବିଡବ୍ଲ୍ୟୁଏଫ୍)।

କୋଭିଡ୍‌ ୧୯ କୁ ନେଇ ଲାଗି ରହିଥିବା ଅନିଶ୍ଚିତତା ବ୍ୟାଡ୍‌ମିଣ୍ଟନ୍‌ ଓ୍ବାର୍ଲଡ୍‌ ଫେଡେରେସନ୍‌ ଓ ଆୟୋଜକ ସଂସ୍ଥାକୁ ବାଧ୍ୟ କରିଥିଲା ଚାମ୍ପିୟନସିପ୍‌ ରଦ୍ଦ କରିବା ପାଇଁ। ଅନ୍ୟ ଏକ ସଂସ୍କରଣ ପାଇଁ ୨୦୨୧ରେ ତାରିଖ ଧାର୍ଯ୍ୟ ହୋଇଥିଲା। ସେହିଭଳି ଏହି ଚାମ୍ପିୟନସିପ୍‌କୁ ଆଗାମୀ ବର୍ଷକୁ ଘୁଞ୍ଚାଇ ଦିଆଯାଇ ପାରିଥାନ୍ତା। କିନ୍ତୁ କୋଭିଡ୍‌ କଟକଣା ଓ ଅନିଶ୍ଚିତତା କାରଣରୁ ଏହାକୁ ବାତିଲ୍‌ କରିବା ବ୍ୟତୀତ କୌଣସି ବିକଳ୍ପ ନଥିଲା ବୋଲି ବିଜ୍ଞପ୍ତିରେ ବିଡବ୍ଲ୍ୟୁଏଫ୍ ପକ୍ଷରୁ ଦର୍ଶାଯାଇଛି।

ଓ୍ବାର୍ଲଡ୍‌ ଜୁନିଅର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନ୍‌ସିପ୍ ୨୦୨୦ ସଂସ୍କରଣ ବାତିଲ ହେବା ନେଇ ବିଡବ୍ଲ୍ୟୁଏଫ୍ ପକ୍ଷରୁ ଦୁଃଖପ୍ରକାଶ କରାଯାଇଛି। କାରଣ ଏହାକୁ କରିବାରେ କିଛି ଅସୁବିଧା ନଥିଲେ ହେଁ ପଡ଼ିଆରେ ଦର୍ଶକଙ୍କ ପ୍ରବେଶ ଉପରେ କିପରି କଟକଣା ଲଗାଇ ହେବ ସେନେଇ କୌଣସି ନିଷ୍କର୍ଶ ବାହାରି ପାରିଲାନି ବୋଲି ବିଡବ୍ଲ୍ୟୁଏଫ୍ର ସାଧାରଣ ସଂପାଦକ ଥୋମାସ୍‌ ଲୁଣ୍ଡ କହିଛନ୍ତି। ପୁଣି ୨୦୨୪ରେ ଓ୍ବାର୍ଲଡ୍‌ ଜୁନିଅର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନ୍‌ସିପ୍ ହେବା ନେଇ ଆଶା ରଖିଛି ବିଡବ୍ଲ୍ୟୁଏଫ୍। କିନ୍ତୁ ବିଡବ୍ଲ୍ୟୁଏଫ୍ର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ନ୍ୟୁଜିଲ୍ୟାଣ୍ଡ ବ୍ୟାଡ୍‌ମିଣ୍ଟନ ମୁଖ୍ୟ ଜୋ ହିଟ୍‌ଚୋକ୍‌।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.