ପୋଲିସର କଡା ପ୍ରହରାରେ ଟଣା ହେଲା ରଥ : ଯେଉଁମାନେ ରଥ ଟାଣିଲେ ସେମାନଙ୍କର ହୋଇଥିଲା କୋଭିଡ ପରୀକ୍ଷା

Published By : Prameya-News7 Bureau | June 23, 2020 IST

ପୁରୀ ୨୩/୦୬ : ପୂର୍ଣ୍ଣ ହୋଇଛି ଭକ୍ତର ମନବାଞ୍ଛା, ପୂର୍ଣ୍ଣ ହୋଇଛି ସେବାୟତଙ୍କ ଇଚ୍ଛା। ଭାବ ବୁଝିଛନ୍ତି ଭାବଗ୍ରାହୀ। କୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ପୁରୀରେ ଗଡ଼ିଛି ରଥଯାତ୍ରା। ତେବେ କୋର୍ଟ ରଖିଥିବା ସର୍ତ୍ତାବାଳୀକୁ କଡ଼ାକଡ଼ି ପାଳନ କରାଯାଇଛି। ପୁରୀକୁ ଯେମିତି ଭକ୍ତଙ୍କ ସୁଅ ନ ଆସିବ ସେଥିପାଇଁ ପୁରୀରେ କର୍ଫ୍ୟୁ ଲାଗିଥିଲା। ଚାରିପଟେ ଘେରି ରହିଥିଲେ ପୋଲିସ। …..

{"id":290555,"sizeSlug":"large"}

ପୂର୍ବବର୍ଷରେ ଏଠାରେ ରଥଯାତ୍ରା ସମୟରେ ଖୁନ୍ଦାଖୁନ୍ଦି ହୋଇ ଲକ୍ଷ ଲକ୍ଷ ଭକ୍ତ ଉପସ୍ଥିତ ଥାଆନ୍ତି। କିନ୍ତୁ ଏ ବର୍ଷ ପୂରା ୩ କିଲୋମିଟର ବଡ଼ଦାଣ୍ଡ ଖାଲିଖାଲି ଥିଲା। ରଥ ଗଡୁଥିଲା. ଡାହୁକ ଡାକୁଥିଲେ, କିନ୍ତୁ ରଥଟାଣିଥିଲେ ସୀମିତ ସଂଖ୍ୟକ ସେବାୟତ। ବଡ଼ଦାଣ୍ଡକୁ କାଳେ ଭକ୍ତମାନେ ଆସିଯିବେ ଏଥିପାଇଁ ପୂରୀ ଚାରିପଟେ ଚେକ୍‌ପୋଷ୍ଟ କରାଯାଇଥିଲା । ପୁରୀରେ କର୍ଫ୍ୟୁ ଜାରି କରାଯାଇଥିଲା। ଏପରିକି କେହି ଘରୁ ବାହାରି ପାରିବେ ନାହିଁ ସେଥିପାଇଁ ପୋଲିସ ଗଳି ଗଳିରେ ପଇଁତରା ମାରିଥିଲେ। ହୋଟେଲଗୁଡ଼ିକରୁ ମଧ୍ୟ କେହି ନ ବାହାରିବା ଲାଗି ଦିଆଯାଇଥିଲା କଡ଼ା ନିର୍ଦ୍ଦେଶ।

{"id":290556,"sizeSlug":"large"}

ଯେଉଁମାନେ ରଥଟାଣିବେ ସେମାନଙ୍କର ପୂର୍ବରୁ କୋଭିଡ ପରୀକ୍ଷା କରାଯାଇଥିଲା। ଯେଉଁମାନେ ନେଗେଟିଭ୍‌ ଆସିଥିଲେ ସେଇମାନେ ହିଁ ରଥ ଟାଣିଥିଲେ । ସେହିପରି ନୀତିକାନ୍ତି ପହଣ୍ଡିରେ ଯେଉଁମାନେ ସାମିଲ ହୋଇଥିଲେ ସେମାନଙ୍କର ମଧ୍ୟ କୋଭିଡ୍‌ ପରୀକ୍ଷା କରାଯାଇଥିଲା। କୋଭିଡ ନିୟମକୁ ଦେଖି ସମସ୍ତେ ମାସ୍କ ପିନ୍ଧିଥିଲେ । ଏପରିକି ନିଜେ ଗଜପତି ବି ମାସ୍କ ପିନ୍ଧି ଆସିଥିଲେ। ରଥଟାଣିବା ବେଳେ ସାମାଜିକ ଦୂରତା ପାଳନ କରାଯାଇଥିଲା। ରଥଚାରିପଟେ ସୁରକ୍ଷାର ଏକ ବଳୟ କରାଯାଇଥିଲା ଏବଂ ରଥଟଣା ମଧ୍ୟରେ ଘଣ୍ଟାଏର ବ୍ୟବଧାନ ରହିଥିଲା। ବଳଭଦ୍ରଙ୍କ ରଥ ଦିନ ୧୧ଟା ୫୫ରେ, ସୁଭଦ୍ରାଙ୍କ ରଥ ୧୨ଟା ୫୫ ଏବଂ ଶ୍ରୀଜଗନ୍ନାଥଙ୍କ ରଥ ୧ଟା ୫୫ରେ ଟଣା ଆରମ୍ଭ ହୋଇଥିଲା।

{"id":290557,"sizeSlug":"large"}

ରଥଯାତ୍ରା ଯେମିତି ସୁରୁଖୁରରେ ଶେଷ ହେବ ସେନେଇ ପ୍ରଶାସନ ଏବଂ ପୋଲିସ ଖୁବ ଯତ୍ନବାନ ହୋଇଥିଲା। ଭକ୍ତମାନେ ଯେମିତି ଘରେ ରହି ରଥଯାତ୍ରା ଦେଖିପାରିବେ ରାତାରାତି ଏହାର ସିଧାପ୍ରସାରଣ ବ୍ୟବସ୍ଥା କରାଯାଇଥିଲା । ପୂରା ବିଶ୍ବ ନଜର ରଖିଥିଲା । କୋଭିଡ ନିୟମ ଅନୁସାରେ ରଥଯାତ୍ରା ସଂପନ୍ନ ହେବ ସେଥିପାଇଁ ସମସ୍ତ ବ୍ୟବସ୍ଥା ସୁଚାରୁ ରୂପେ ସଂପନ୍ନ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.