ପୁରୀ ୦୩।୦୬: ଆଜି ଜୁନ ମାସ ୩ ତାରିଖ। ଏହି ଦିନକୁ ୱାର୍ଲଡ଼ ସାଇକେଲ ଡେ ଭାବେ ପାଳନ କରାଯାଏ। ସାଇକେଲ ଚଳାଇବା ଦ୍ୱାରା ସ୍ୱାସ୍ଥ୍ୟ ଠିକ ରହିବା ସହ ପରିବେଶ ପ୍ରଦୂଷିତ ମଧ୍ୟ ହୋଇନଥାଏ। ଏଣୁ ପରିବେଶ ପ୍ରଦୂଷଣ ରୋକିବା ଏବଂ ସାଇକେଲ ଚଳାଇବା ନେଇ ଲୋକଙ୍କୁ ଉତ୍ସାହିତ କରିବା ହେଉଛି ଏହି ଦିବସର ପରିକଳ୍ପନା। ଏହି ଅବସରରେ ଲୋକଙ୍କୁ ସାଇକେଲ ଚଳାଇବା ପାଇଁ ସଚେତନ କରିବା ଉଦ୍ଦେଶ୍ୟରେ ନିଆରା ଉଦ୍ୟମ କରିଛନ୍ତି ପୁରୀ କୁମ୍ଭରପଡା ଅଞ୍ଚଳର ଯୁବ ଶିଳ୍ପୀ ଶାଶ୍ବତ ରଞ୍ଜନ ସାହୁ।
ବିଶ୍ବ ସାଇକେଲ ଦିବସରେ ଯୁବ ଶିଳ୍ପୀ ଶାଶ୍ବତ ରଞ୍ଜନ ସାହୁ ୩ ହଜାର ୬ ଶହ ୫୩ଟି ଦିଆସିଲି କାଠିରେ ଏକ ସାଇକେଲର ସୁନ୍ଦର ପ୍ରତିକୃତି ତିଆରି କରିଛନ୍ତି। ଏହି ନିଆରା କଳାକୃତି ତିଆରି ପାଇଁ ତାଙ୍କୁ ୭ ଦିନ ସମୟ ଲାଗିଥିଲା। ଦିଆସିଲି କାଠିରେ ତିଆରି ହୋଇଥିବା ଏହି ସାଇକେଲ ପ୍ରତିକୃତିର ଉଚ୍ଚତା ୫୦ ଇଞ୍ଚ ଏବଂ ଲମ୍ବ ୨୫ ଇଞ୍ଚ ରହିଛି। ବିଶ୍ୱ ସାଇକେଲ ଦିବସ ଅବସରରେ ଶାଶ୍ବତଙ୍କ ଏହି ନିଆରା କଳାକୃତିକୁ ନେଇ ବେଶ ଚର୍ଚ୍ଚା କରାଯାଉଛି । ପୂର୍ବରୁ ଶାଶ୍ବତ ଦିଆସିଲି କାଠିରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାରେ ଚାପ ଖେଳ ଚିତ୍ର ଅଙ୍କନ କରି ବେଶ୍ ପ୍ରଶଂସା ସାଉଁଟିଥିଲେ।