କାଲି ମଞ୍ଚେଷ୍ଟରରେ ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ଫାଇଟ୍, ଜାଣନ୍ତୁ କାହା ପଲ୍ଲା କେତେ ଭାରି
26/06/2019 at 2:24 PM

ମାଞ୍ଚେଷ୍ଟର୨୬|୬; କାଲି ମଞ୍ଚେଷ୍ଟରରେ ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ଫାଇଟ୍ । ପଏଣ୍ଟ ଟେବୁଲକୁ ଦେଖିଲେ ୬ଟି ମ୍ୟାଚରୁ ମାତ୍ର ଗୋଟିଏ ବିଜୟ ସହ ୩ ପଏଣ୍ଟ ପାଇଥିବା ଇଣ୍ଡିଜ ଲାଗି ବିଶ୍ୱକପରେ ଅଭିଯାନ ଏକପ୍ରକାର ଶେଷ ହୋଇ ସାରିଛି । ଆଉ ବିରାଟ ବାହିନୀ ୫ଟି ମ୍ୟାଚରୁ ୪ଟି ବିଜୟ ଓ ଗୋଟିଏ ବାଧାପ୍ରାପ୍ତ ମ୍ୟାଚରୁ ୯ ପଏଣ୍ଟ ପାଇ ତାଲିକାରେ ତୃତୀୟ ସ୍ଥାନରେ ଅଛି ।
ଆଫଗାନିସ୍ତାନ ସହ କାଣ୍ଟେ କା ଟକ୍କର ପରେ ଇଣ୍ଡିଜ ବିରୋଧରେ ଏକ ବଡ଼ ବିଜୟର ଲକ୍ଷ୍ୟ ରଖିଛି କୋହଲି ଏଣ୍ଡ କୋ । ଉଭୟ ଦଳର ଶକ୍ତିକୁ ଦେଖିଲୁ ଟିମ୍ ଇଣ୍ଡିଆ ନିଶ୍ଚୟ ଫେଭରାଇଟ୍ । ବିଶ୍ୱକପ ରେକର୍ଡରେ ମଧ୍ୟ ଭାରତର ପଲ୍ଲା ଭାରି । ଉଭୟ ପରସ୍ପରକୁ ଦିନିକିଆ ୱାର୍ଲଡ କପରେ ୮ ଥର ଭେଟିଥିବା ବେଳେ ୫ ଥର ଭାରତ ବିଜୟୀ ହୋଇଛି ।
ଆସନ୍ତାକାଲି ଟିମ୍ ଇଣ୍ଡିଆର ପ୍ଲେଇଁ ଇଲେଭେନରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଭୁବନେଶ୍ୱରଙ୍କ ବିରୋଧରେ ଚୁଡ଼ାନ୍ତ ଏକାଦଶରେ ସାମିଲ ହୋଇଥିବା ସାମି ଚଳିତ ବିଶ୍ୱକପର ପ୍ରଥମ ହାଟ୍ରିକ ନେଇ ଦମଦାର ଏଣ୍ଟ୍ରି କରିଛନ୍ତି । ତେବେ ଇଣ୍ଡିଜକୁ ହାଲକାରେ ନେବାର ଭୁଲ କରିବା ନାହିଁ ଭାରତ । ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଦୁର୍ବଳ ପ୍ରଦର୍ଶନ କରିଥିଲେ ବି ପାକିସ୍ତାନ ବିରୋଧରେ ବିଜୟ ହାସଲ କରିଥିଲା । ଥୋମାସ, କଟ୍ରେଲ, ହୋଲ୍ଡରଙ୍କ ଭଳି ବୋଲର ଓ ଗେଲଙ୍କ ଭଳି ବିଧ୍ୱଂସୀ ବ୍ୟାଟ୍ସମ୍ୟାନଙ୍କଠାରୁ ଭାରତକୁ ସତର୍କ ରହିବାକୁ ହେବ ।
ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନ ସୁଦ୍ଧାର ସ୍ଥିତି ଦେଖିଲେ, ଆଫଗାନିସ୍ତାନ, ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକାର ସେମି ସମ୍ଭାବନା ଶେଷ ହୋଇ ସାରିଛି । ଅଷ୍ଟ୍ରେଲିଆ ସେମିକୁ ଯିବା ପକ୍କା କରି ସାରିଥିବା ବେଳେ ବାକି ୩ ସ୍ଥାନ ଲାଗି ଭାରତ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଟକ୍କର ଚାଲିଛି । ମେନ୍ ଇନ୍ ବ୍ଲ୍ୟୁର ଆହୁରି ୪ଟି ମ୍ୟାଚ ବାକି ଥିବାରୁ ଦଳ ଅନ୍ୟମାନଙ୍କଠାରୁ କମ୍ଫର୍ଟେବଲ ରହିଛି ନିଶ୍ଚୟ ।