ହକି ବିଶ୍ବକପ୍ ୨୦୧୮ : ଆଜି ଆର୍ଜେଣ୍ଟିନାକୁ ଭେଟିବ ସ୍ପେନ୍, ନ୍ୟୁଜିଲାଣ୍ଡ ଓ ଫ୍ରାନ୍ସ ମଧ୍ୟରେ ଟକ୍କର
29/11/2018 at 11:37 AM

ଭୁବନେଶ୍ବର ୨୯|୧୧: ଆଜି ହକି ବିଶ୍ବକପର ଦ୍ବିତୀୟ ଦିନ । ପ୍ରଥମ ଦିନ ପରି ଦ୍ବିତୀୟ ଦିନରେ ମଧ୍ୟ ରହିଛି ଦୁଇଟି ମ୍ୟାଚ୍ । ପୁଲ-ଏର ଦୁଇଟି ମ୍ୟାଚ୍ ଖେଳାଯିବ । ସନ୍ଧ୍ୟା ୫ଟାରେ ଅଲିମ୍ପିକ୍ ବିଜେତା ଆର୍ଜେଣ୍ଟିନା ଭେଟିବ ୟୁରୋପୀୟ ଦେଶ ସ୍ପେନକୁ ଏବଂ ରାତି ୭ଟାରେ କଳାଷ୍ଟିକର ଦେଶ ନ୍ୟୁଜିଲାଣ୍ଡ ଖେଳିବ ଚଳିତ ବିଶ୍ବକପ୍ ର ସର୍ବନିମ୍ନ ମାନ୍ୟତାପ୍ରାପ୍ତ ଦେଶ ଫ୍ରାନ୍ସ ସହିତ । ଆଜେଣ୍ଟିନା ନିଜର ଆକ୍ରମଣାତ୍ମକ ଖେଳ ଏବଂ ଉନ୍ନତ ପେନାଲଟି କର୍ଣ୍ଣର ରୂପାନ୍ତର ପାଇଁ ପରିଚିତ ଥିବାରୁ ସ୍ପେନକୁ ସହଜରେ ହରାଇବା ଲକ୍ଷ୍ୟରେ ରହିଛି । ରିଓ ଅଲିମ୍ପିକରେ ଆର୍ଜେଣ୍ଟିନା ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଏବେ ବିଶ୍ବ ମାନ୍ୟତାରେ ଦ୍ବିତୀୟ ସ୍ଥାନରେ ରହିଛି । ପ୍ରତିଦ୍ବନ୍ଦୀ ସ୍ପେନ ରହିଛି ଅଷ୍ଟମ ସ୍ଥାନରେ । ତେଣୁ ମ୍ୟାଚରେ ନିଶ୍ଚିତ ଆର୍ଜେଣ୍ଟିନା ଦୃଢ଼ ଦାବିଦାର ରହିବ। କିନ୍ତୁ ସ୍ପେନ କିନ୍ତୁ ସ୍ପେନର ଅପ୍ରତ୍ୟାଶିତ ପ୍ରଦର୍ଶନ ମଧ୍ୟ ଆର୍ଜେଣ୍ଟିନାକୁ ଚକିତ କରିଦେବା ଭଳି ସାମର୍ଥ୍ୟ ରଖିଛି। ଆର୍ଜେଣ୍ଟିନା ତାରକା ଖେଳାଳି ଗଞ୍ଜାଲୋ ପିଲାଟ କଳିଙ୍ଗ ଷ୍ଟାଡିୟମରେ ବହୁବାର ଖେଳିଥିବାରୁ ସ୍ଥାନୀୟ ପ୍ରଶଂସକଙ୍କ ପସନ୍ଦର ଖେଳାଳି ଭାବେ ଆକର୍ଷଣରେ ରହିବେ। ବିଶ୍ବର ଅନ୍ୟତମ ପେନାଲଟି କର୍ନର ବିଶେଷଜ୍ଞ ଭାବେ ତାଙ୍କ ସୁନାମ ରହିଛି। ଅନ୍ୟପକ୍ଷରେ ରାତି ମ୍ୟାଚ୍ ରେ ବିଶ୍ବ ମାନ୍ୟତାର ୯ ନମ୍ବର ନ୍ୟୁଜିଲାଣ୍ଡ ସହିତ ଫୁଟବଲ୍ ପରିଚିତର ଦେଶ ଫ୍ରାନ୍ସ ଖେଳିବ। ଚଳିତ ବିଶ୍ବକପ୍ ରେ ଫ୍ରାନ୍ସ ସବୁଠୁ ନିମ୍ନମାନ୍ୟତାପ୍ରାପ୍ତ ଦଳ ଭାବେ ଏଫଆଇଏଚ୍ ତାଲିକାରେ ୨୦ ନମ୍ବର ସ୍ଥାନରେ ରହିଛି। ଅଣ୍ଡରଡଗ୍ ଭାବେ ଏହି ଦେଶ କିଛି ଆଶ୍ଚର୍ଯ୍ୟ କରିବାର ଆଶା ରଖିଥିବ ନିଶ୍ଚିତ ।