ଜୋର ଧରିଲାଣି ହକି ଫିଭର ; ଆସନ୍ତାକାଲି ହକି ବିଶ୍ବକପ୍ ଉଦ୍‌ଘାଟନୀ ଉତ୍ସବ

Published By : Prameya-News7 Bureau | November 26, 2018 IST

ଭୁବନେଶ୍ବର ୨୬|୧୧:  ଆସନ୍ତାକାଲି ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବ । ଟ୍ବିନସିଟି ସାରା ଛାଇଯାଇଛି ହକି ଫିଭର । ସବୁଠି ଖାଲି ହକିକୁ ନେଇ ଚର୍ଚ୍ଚା । ପ୍ରଶାସନଠାରୁ ଆରମ୍ଭ କରି ଖେଳାଳି, ନୃତ୍ୟଶିଳ୍ପୀ, ସମସ୍ତେ ଦିନରାତି ଏକ କରି ଚଳାଇଛନ୍ତି ପ୍ରସ୍ତୁତି । ମୁଡ଼ ବନିଗଲାଣି ହକି । କାନ୍ଥରେ ହକି, ରାସ୍ତାରେ ହକି, ପଡ଼ିଆରେ ହକି, ଷ୍ଟାଡିୟମରେ ହକି, ହୋଟେଲରେ ହକି, ଅଫିସରେ ବି ହକି । ଖାଲି ହକି ହକି ହକି । ଉଦଘାଟନୀ ସମୟ ଯେତିକି ପାଖେଇ ଆସୁଛି ସମସ୍ତଙ୍କର ହାର୍ଟ ବିଟ୍ ସେତିକି ବଢ଼ି ବଢ଼ି ଚାଲିଛି । ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ଚାଲିଛି ରିହରସାଲ୍ । ବଲିଓଡ୍ ଷ୍ଟାର ତ ସେମାନଙ୍କର ଝଲକ୍ ଦେଖାଇବେ। ତାସହ ଶାସ୍ତ୍ରୀୟ ସଙ୍ଗୀତ  ଓ ନୃତ୍ୟ ପରିବେଷଣ କରିବେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ନୃତ୍ୟଶିଳ୍ପୀ । ସାଢେ ଆଠ ମିନିଟ୍ ର ସପ୍ତମାତୃକା ନୃତ୍ୟ ପାଇଁ ଭୁବନେଶ୍ବରର ଡ୍ୟାନସ ଏକାଡେମୀରେ ଜାରି ରହିଛି ଅଭ୍ୟାସ। ସେପଟେ କଟକ ବାରବାଟୀ ଷ୍ଟାଡିୟମରେ ଏ.ଆର. ରେହେମାନ ଶୋ ପାଇଁ ମଧ୍ୟ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ରେହେମାନଙ୍କ ଟିମ୍ ବାରାବାଟୀରେ ରହି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି। ସେହିପରି ଅନଲାଇନରେ ଟିକେଟ୍ କରିଥିବା ଦର୍ଶକ ନିଜର ପରିଚୟ ପତ୍ର ଦେଖାଇ ଟିକେଟ୍ ନେଉଛନ୍ତି । ବାରବାଟୀରେ ଶୋ ଦେଖିବାରୁ ବଞ୍ଚିତ ହକିପ୍ରେମୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୬ଟି ସ୍ଥାନରେ ଏଲସିଡି ବ୍ୟବସ୍ଥା କରାଯାଇଛି । ଟ୍ବିନ ସିଟିରେ ହକି ମାହୋଲ ଲାଗି ରହିଥିବା ବେଳେ ୪୦ ତମ ଜନ୍ମଦିନ ପାଳନ କରିଛନ୍ତି ଇଣ୍ଡିଆନ ହକି ଟିମ୍ ପୂର୍ବତନ କ୍ୟାପଟେନ ଦିଲ୍ଲୀପ ତିର୍କୀ । ଶୁଭେଚ୍ଛୁମାନଙ୍କ ସହ ସେ ହାର୍ଟବିଟ୍ ଫର୍ ହକି କେକ୍ କାଟିଛନ୍ତି । ସେପଟେ ୱାର୍ଲଡକପକୁ ଦୃଷ୍ଟିରେ ରଖି ଟ୍ବିନ୍ ସିଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା । କେବଳ ରାଜଧାନୀରେ ୭୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏହାସହ ୨ ୟୁନିଟ୍ ଏସ୍ଓଜି, ୧ ୟୁନିଟ୍ ଏନଏସଜି ଓ ୩୦୦ ପୋଲିସ ଅଫିସର ନିୟୋଜିତ ହେବେ । ପାକିସ୍ତାନ ଟିମ୍ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବାଲିଯାତ୍ରା ସମୟରେ ବାରବାଟୀରେ ରେହମାନ ଶୋ ହେଉଥିବାରୁ ପୋଲିସ ଅଧିକ ସଜାଗ ହୋଇଛି । ବିଭିନ୍ନ ପାର୍କିଂ ସ୍ଥାନରୁ ଦର୍ଶକ ଷ୍ଟାଡିୟମ ନିକଟକୁ ଆସିବା ପାଇଁ ସ୍ବତନ୍ତ୍ର ବସ୍ ବ୍ୟବସ୍ଥା କରାଯାଇଛି । କେବଳ ଭୁବନେଶ୍ବର କି କଟକ ନୁହେଁ ସାରା ଓଡିଶାରେ ଏବେ ହକି କ୍ରେଜ୍ । କେବଳ ଅପେକ୍ଷା ଉଦଘାଟନୀ ମୁହୂର୍ତ୍ତକୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.