ବିଶ୍ଵ କପରେ ବଡ ପରିବର୍ତ୍ତନ: ଖେଳିବେ ୧୪ ଟିମ୍, ୨୦୦୩ ଫର୍ମାଟ୍ ହେବ ଲାଗୁ

Published By : Prameya-News7 Bureau | May 31, 2021 IST

ନୂଆଦିଲ୍ଲୀ ୩୧।୦୫: କ୍ରିକେଟ୍ ବିଶ୍ଵ କପ୍‌ରେ ଆଇସିସି ପୁଣି ଥରେ ବଡ ପରିବର୍ତ୍ତନ କରିଛି। ଖବର ଅନୁଯାୟୀ, ପୁଣି ଥରେ ବିଶ୍ଵ କପରେ ୧୪ ଦଳ ଅଂଶ  ଗ୍ରହଣ କରିବେ ଏବଂ ରାଉଣ୍ଡ ରବିନ ବଦଳରେ ସୁପର ସିକ୍ସ ଫର୍ମାଟ ଆଧାରରେ ବିଶ୍ଵ କପ୍ ଖେଳାଯିବ। ଆଇସିସି ଏହି ଫର୍ମାଟ୍ ୨୦୨୭ ବିଶ୍ଵ କପ୍‌ରେ ଲାଗୁ କରିବ। ଉଲ୍ଲେଖଯୋଗ୍ୟ, ୨୦୦୩ ବିଶ୍ଵ କପ୍‌ ସୁପର ସିକ୍ସ ଫର୍ମାଟ୍‌ରେ ଖେଳା ଯାଇଥିଲା। ଉଲ୍ଲେଖଯୋଗ୍ୟ, ୨୦୧୯ ବିଶ୍ଵ କପ୍‌ ରାଉଣ୍ଡ ରବିନ ଫର୍ମାଟ୍‌ରେ ଖେଳା ଯାଇଥିଲା। ଏଥିରେ ୧୦ ଟିମ୍ ଭାଗ ନେଇଥିଲେ ଏବଂ ପ୍ରତି ଦଳ ୯ଟି ଲେଖାଏଁ ମ୍ୟାଚ୍ ଖେଳିଥିଲେ।

ଟେଲିଗ୍ରାଫ୍‌ର ରିପୋର୍ଟ ଅନୁଯାୟୀ, ଆଇସିସିର ବୈଠକରେ ୨୦୧୫, ୨୦୧୯ ଓ ୨୦୦୩ ସୁପର ସିକ୍ସ ମୋଡେଲ୍ ଉପରେ ଆଲୋଚନା ହୋଇଛି। ବୈଠକରେ ଏହା ଜାଣିବାକୁ ମିଳିଛି ଯେ, ୧୦ ଟିମ୍ ମୋଡେଲ୍ ସବୁଠୁ ଅଧିକ ଫାଇଦା ହୋଇଥିବା ଏବଂ ଏହାକୁ ପସନ୍ଦ କରାଯାଇଥିବା ବେଳେ ୨୦୧୫ ମୋଡେଲ୍‌କୁ କମ ଲୋକ ପସନ୍ଦ କରିଛନ୍ତି। ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ, ଇଂଲଣ୍ଡ ବିଶ୍ଵ କପକୁ ୧୦ ଦଳ ଭିତରେ ସୀମିତ ରଖିବା ପକ୍ଷରେ ନଥିଲା।

କଣ ଏହି ସୁପର ସିକ୍ସ ମୋଡେଲ୍

ଉଲ୍ଲେଖଯୋଗ୍ୟ, ସୁପର ସିକ୍ସ ମୋଡେଲ୍‌ରେ ୧୪ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଏ। ଦୁଇ ଗ୍ରୁପରେ ଗୋଟିଏ ଦଳ ଛଅଟି ଲେଖାଏଁ ମ୍ୟାଚ୍ ଖେଳିଥାଏ। ଦୁଇ ଗ୍ରୁପରୁ ଶୀର୍ଷ ୩ ଦଳ ସୁପରସିକ୍ସ ରାଉଣ୍ଡରେ ପ୍ରବେଶ କରନ୍ତି। ଯେଉଁ ଦଳ ପ୍ରଥମ ରାଉଣ୍ଡରେ ଅଧିକ ମ୍ୟାଚ୍ ଜିତିଥାନ୍ତି ସେମାନଙ୍କୁ ସୁପର ସିକ୍ସ ରାଉଣ୍ଡରେ ଅଧିକ ଫାଇଦା ମିଳିଥାଏ। କାରଣ ଅଧିକ ମ୍ୟାଚ୍ ଜିତିଥିବା କାରଣରୁ ପଏଣ୍ଟକୁ ପରବର୍ତ୍ତୀ ରାଉଣ୍ଡ ପର୍ଯ୍ୟନ୍ତ ଯୋଡା ଯାଏ। ସୁପର ସିକ୍ସରେ ଗୋଟିଏ ଦଳ ଅନ୍ୟ ପାଞ୍ଚ ଦଳ ସହ ମୁକାବିଲା କରିଥାଏ। ଏହା ପରେ ପଏଣ୍ଟ ଆଧାରରେ ୪ଟି ଦଳ ସେମି ଫାଇନାଲ୍‌ରେ ପ୍ରବେଶ କରନ୍ତି। ସୁପର ସିକ୍ସ ଫର୍ମାଟରେ ବିଶ୍ଵ କପରେ ମୋଟ୍ ୫୪ ମ୍ୟାଚ୍ ଖେଳାଯାଉଥିବା ବେଳେ ୨୦୧୯ରେ ୪୮ ମ୍ୟାଚ୍ ଆୟୋଜନ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ୨୦୦୩ ବିଶ୍ଵ କପରେ ଭାରତୀୟ ଦଳ ଦମଦାର  ପ୍ରଦର୍ଶନ କରିଥିଲା। ଦଳ ଫାଇନାଲ୍‌ରେ ପ୍ରବେଶ କରିଥିଲା।  ଲିଗ୍ ପର୍ଯ୍ୟାୟ  ଓ ସୁପର ସିକ୍ସରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଭାରତୀୟ ଦଳ ସେମି  ଫାଇନାଲରେ କେନିଆକୁ ହରାଇଥିଲା। କିନ୍ତୁ ଟାଇଟଲ୍ ମୁକାବିଲାରେ ଦଳ ଅଷ୍ଟ୍ରେଲିଆଠୁ ପରାଜିତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.